ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆମେରିକା ବୈଦେଶିକ ବିଭାଗ ଦୁଇଟି ବୃହତ୍ ପ୍ରତିରକ୍ଷା ସହାୟତା ପ୍ୟାକେଜ୍କୁ ଅନୁମୋଦନ କରିଛି। ଆମେରିକାର ବୈଦେଶିକ ବିଭାଗ ଭାରତକୁ ଆପାଚି ହେଲିକପ୍ଟର ପାଇଁ ଅତ୍ୟାବଶ୍ୟକ ସେବା ଏବଂ ସମ୍ପର୍କିତ ଉପକରଣ ଯୋଗାଇବା ସହ ‘ଏମ୍୭୭୭-ଏ୨’ ଅଲ୍ଟ୍ରା-ଲାଇଟ୍ ହାଓ୍ବିଟଜର୍ସ ତୋପର ରକ୍ଷଣାବେକ୍ଷଣ ସେବା ବିକ୍ରୟକୁ ମଞ୍ଜୁରୀ ପ୍ରଦାନ କରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଦୁଇଟିଯାକ ଚୁକ୍ତିର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୪୨୮.୨ ମିଲିୟନ୍ ଆମେରିକୀୟ ଡଲାର ବୋଲି ଜଣାପଡ଼ିଛି। ଭାରତୀୟ ସେନା ପକ୍ଷରୁ ଏହି ଉନ୍ନତ ଯୁଦ୍ଧାସ୍ତ୍ରଗୁଡ଼ିକର ଦୀର୍ଘକାଳୀନ ବ୍ୟବହାର ଓ ସୁରକ୍ଷା ପାଇଁ ଆମେରିକା ନିକଟରେ ଅନୁରୋଧ କରାଯାଇଥିଲା, ଯାହାକୁ ଏବେ ସବୁଜ ସଙ୍କେତ ମିଳିଛି।

