ଭୁବନେଶ୍ବର: ପୁଞ୍ଜି ବଜାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଭୁବନେଶ୍ବରରେ ଏକ ନୂତନ କାର୍ଯ୍ୟାଳୟ ଖୋଲିବାକୁ ଯାଉଛି। ଆଜି ଏଥିପାଇଁ ଭଡ଼ା ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ଛୋଟ କାର୍ଯ୍ୟାଳୟ ଆରମ୍ଭ ହେବ। ପୂର୍ବରୁ ସେବିର ମୁମ୍ବାଇ ଓ କୋଲକାତା କାର୍ଯ୍ୟାଳୟ ଜରିଆରେ କରାଯାଉଥିବା କାମଗୁଡ଼ିକୁ ଆଗକୁ ଭୁବନେଶ୍ବରରୁ କରାଯିବ। ଏଥି ସହିତ ଭବିଷ୍ୟତରେ ଏଠାରେ ଏକ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ କରାଯିବ ବୋଲି ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ କହିଛନ୍ତି।
ମୁନସିପାଲିଟି ବଣ୍ଡ୍ ଜାରି କରିବାକୁ ଓଡ଼ିଶାକୁ ଆହ୍ବାନ
ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍ ଫଣ୍ଡ୍ସ ଇନ୍ ଇଣ୍ଡିଆ (ଆମ୍ଫି) ପକ୍ଷରୁ ଆୟୋଜିତ ଆଞ୍ଚଳିକ ନିବେଶକ ସଚେତନତା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପାଣ୍ଡେ ମୁନସିପାଲିଟି ବଣ୍ଡ୍ର ବଢ଼ୁଥିବା ଗ୍ରହଣୀୟତା ଉପରେ ଆଲୋକପାତ କରିଥିଲେ। ମୁନିସପାଲିଟିଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହ କରିବାର ଏହି ବ୍ୟବସ୍ଥାକୁ ଓଡ଼ିଶା ଗମ୍ଭୀରତାର ସହ ଗ୍ରହଣ କରିବା ଦରକାର ବୋଲି ସେ କହିଥିଲେ। ସେ କହିଲେ, ବର୍ତ୍ତମାନ ସୁଦ୍ଧା ଦେଶର ୨୨ଟି ସହରାଞ୍ଚଳ ପୌର ସଂସ୍ଥା ୩୩ ମୁନସିପାଲିଟି ବଣ୍ଡ ଜାରି କରି ୪୫୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁନସିପାଲିଟିଗୁଡ଼ିକ ଏହି ବଣ୍ଡ୍ ଜାରି କରିଛନ୍ତି। ଓଡ଼ିଶା ମଧ୍ୟ ସେଥିରେ ସାମିଲ ହୋଇ ସେହି ବଣ୍ଡ୍ର ଲାଭ ହାସଲ କରିବା ଉଚିତ୍। ଦ୍ରୁତ ଗତିରେ ବଢ଼ୁଥିବା ସହରାଞ୍ଚଳ ବିକାଶ ପାଇଁ ପାଣ୍ଠି ଆବଶ୍ୟକତା ପୂରଣ କରିବାରେ ଏହି ବଣ୍ଡ୍ ସହାୟକ ହୋଇପାରିବ। କେନ୍ଦ୍ର ସରକାର ଏହି ବଣ୍ଡ୍ ଉପରେ ଅନୁଦାନ ଆକାରରେ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ବୋଲି ଶ୍ରୀ ପାଣ୍ଡେ କହିଥିଲେ।
ଦେଶର ଅର୍ଥନୀତିରେ ଓଡ଼ିଶାର ଅବଦାନ ୩ ପ୍ରତିଶତ ପାଖାପାଖି
ଦେଶର ମ୍ୟୁଚୁଆଲ୍ ଫଣ୍ଡ୍ ବଜାର ସମ୍ପର୍କରେ ସେ କହିଥିଲେ ଯେ ୨୦୧୫-୧୬ରେ ଏହାର ଆକାର ୧୨ ଲକ୍ଷ କୋଟି ଟଙ୍କା ଥିଲା ଯାହା ବର୍ତ୍ତମାନ ୮୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେଥି ପ୍ରତି ଓଡ଼ିଶାର ଅବଦାନ ପ୍ରାୟ ୭୧ ହଜାର କୋଟି ଟଙ୍କା ରହିଛି ଯାହା ଜାତୀୟ ବଜାରର ୧ ପ୍ରତିଶତରୁ ମଧ୍ୟ କମ୍। ଦେଶର ଅର୍ଥନୀତି ପ୍ରତି ଓଡ଼ିଶାର ଅବଦାନ ୩ ପ୍ରତିଶତ ପାଖାପାଖି ରହିଛି। ମ୍ୟୁଚୁଆଲ୍ ଫଣ୍ଡ୍ ବଜାରର ଅବଦାନ ଅନ୍ତତଃ ୩ ପ୍ରତିଶତକୁ ବୃଦ୍ଧି ପାଇବା ଦରକାର ବୋଲି ସେ କହିଥିଲେ। ସିଷ୍ଟମେଟିକ୍ ଇନଭେଷ୍ଟ୍ମେଣ୍ଟ୍ ପ୍ଲାନ୍ (ଏସ୍ଆଇପି)ର ମାସିକ ଅଭିବୃଦ୍ଧିରେ ଓଡ଼ିଶା ବଜାର ସାରା ଦେଶରେ ଅଗ୍ରଣୀ ସ୍ଥାନରେ ଥିବା ସେ ସୂଚନା ଦେଇଥିଲେ।
ଆଇପିଓରେ ଭାରତ ଏକ ନମ୍ବର
ଦେଶର ପୁଞ୍ଜି ବଜାର ଆକାର ଉପରେ ଆଲୋକପାତ କରି ସେ କହିଥିଲେ ଯେ ୨୦୧୫-୧୬ ଆର୍ଥିକ ବର୍ଷରେ ମୋଟ୍ ବଜାର ପୁଞ୍ଜି ପରିମାଣ ୯୫ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫-୨୬ରେ ତାହା ୪୬୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟ ଭିତରେ ସ୍ବତନ୍ତ୍ର ନିବେଶକଙ୍କ ସଂଖ୍ୟା ୩.୮ କୋଟିରୁ ବୃଦ୍ଧି ପାଇ ୧୪.୫ କୋଟି ହୋଇଛି। ୨୦୨୫-୨୬ରେ ଭାରତରେ ୩୬୬ଟି ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜାରି କରି ୧.୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ସର୍ବାଧିକ ଆଇପିଓ ଜାରି କରିବାରେ ଭାରତ ସାରା ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି।
ଏହି ଅବସରରେ ଏଏମ୍ଏଫ୍ଆଇର ସିଇଓ ଭେଙ୍କଟ ଏନ୍ ଚାଲାସାନି, ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ଓ ଏକ୍ସଆଇଏମ୍ ବିଶ୍ବବିଦ୍ୟାଳୟର ପ୍ରଫେସର ବି ବି ରମଣା ବକ୍ତବ୍ୟ ରଖିଥିଲେ।
ସୌଜନ୍ୟ ସମ୍ବାଦ
