ଆଜି ଜ୍ୟୋତିକା ଜଣେ ସଫଳ ଅଭିନେତ୍ରୀ ଭାବେ ପରିଗଣିତ। ତେବେ ଆରମ୍ଭରେ ତାଙ୍କୁ ଅନେକ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି କଥା ମନେପକାଇ ସେ ବଲିଉଡ୍ ଓ କଲିଉଡ୍ ମଧ୍ୟରେ ପ୍ରଭେଦ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି। ଜ୍ୟୋତିକା ୧୯୯୮ର ବଲିଉଡ୍ ଚଳଚ୍ଚିତ୍ର ‘ଡୋଲି ସଜା କେ ରଖ୍ନା’ ଜରିଆରେ ଅଭିନୟ ଜଗତରେ ପାଦ ରଖିଥିଲେ। ଏ ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରି ନ ଥିଲା। ଏହା ପରେ ତାଙ୍କ ପାଇଁ ବଲିଉଡ୍ର ଦରଜା ଏକପ୍ରକାର ବନ୍ଦ ହୋଇଗଲା। ଅଭିନୟ ଲାଗି ତାଙ୍କୁ ଆଉ ସୁଯୋଗ ମିଳିଲା ନାହିଁ। ସେହି ସମୟରେ ସେ ଗୋଟିଏ ତାମିଲ ଚଳଚ୍ଚିତ୍ରରେ ଅଭିନୟ କଲେ।
ଦୁର୍ଭାଗ୍ୟବଶତଃ ତାହା ମଧ୍ୟ ଭଲ ବ୍ୟବସାୟ କଲା ନାହିଁ। ତେବେ ତାଙ୍କ ଅଭିନୟ ଦକ୍ଷତାକୁ ଦେଖି ସେଠାରେ ସୁଯୋଗର ସୁଅ ଛୁଟିଲା। ଏହା ପରେ ତାମିଲ ଶିଳ୍ପରେ ତାଙ୍କୁ ଅନେକ ପ୍ରକାର ଚରିତ୍ରରେ ଅଭିନୟ କରିବା ସୁଯୋଗ ମିଳିଲା ଏବଂ ସେଠାରେ ହିଁ ସେ ତାରକାର ପରିଚୟ ପାଇଲେ। ଜ୍ୟୋତିକା ଏକମାତ୍ର ଅଭିନେତ୍ରୀ ଯିଏ ପାଞ୍ଚ ଥର ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ବଲିଉଡ୍ରେ ନିଜକୁ ସୀମିତ ରଖିଥିଲେ ସେ ସେଭଳି ସୁଯୋଗ ପାଇ ନଥାନ୍ତେ ବୋଲି ଜ୍ୟୋତିକା ପ୍ରକାଶ କରିଛନ୍ତି।
ଆଉ ଏକ ଦୃଷ୍ଟିରୁ ଦକ୍ଷିଣ ଭାରତୀୟ ଓ ବଲିଉଡ୍ ଶିଳ୍ପ ମଧ୍ୟରେ ଥିବା ପ୍ରଭେଦକୁ ଜ୍ୟୋତିକା ଉଜାଗର କରିଛନ୍ତି। ତାହା ହେଲା- ହିନ୍ଦୀ ଚଳଚ୍ଚିତ୍ରରେ ଏବେ ଯେମିତି ବୟସ୍କ ମହିଳାଙ୍କୁ ଭଲଭାବେ ଚିତ୍ରଣ କରାଯାଉଛି, ଦକ୍ଷିଣ ଭାରତୀୟ ଶିଳ୍ପ ସେ ସ୍ତରକୁ ପହଞ୍ଚି ପାରି ନାହିଁ। ଦୁଇ ବର୍ଷ ତଳେ ସେ ପୁଣି ବଲିଉଡ୍କୁ ଫେରିଛନ୍ତି। ଆଗକୁ ତାଙ୍କ ଅଭିନୀତ ‘ସିଷ୍ଟମ୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସେଥିପାଇଁ େସ ଖୁବ୍ ଉତ୍ସାହିତ ଅଛନ୍ତି।
ସୌଜନ୍ୟ ସମ୍ବାଦ

