ନୀଳଗିରି ୨୩।୦୫ : ଚର୍ଚ୍ଚାରେ ଏବେ ଘୋଷ୍ ଟ୍ରି । କୁଲଡିହା ଅଭୟାରଣ୍ୟରେ ଥିବା ୪୦୦ ବର୍ଷର ପୁରୁଣା ଘୋଷ୍ଟ ଟ୍ରି ଏବେ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି। ଅଞ୍ଚଳବାସୀ ଏହାକୁ ଭୂତ ଗଛ ବୋଲି କହୁଛନ୍ତି। ଏହି ଗଛ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଉତ୍ସାହ ବୃଦ୍ଧି ପାଇଛି । ଏହାରି ଭିତରେ ଆଉ ଏକ ବିରଳ ଘଟଣା ପୁଣି ଦେଖିବାକୁ ମିଳିଛି । ଏକ ବିରଳ ବିରାଟକାୟ ପେଚା ଭୂତ ଗଛ ଉପରେ ବସି ରହିଥିବା ବେଳେ ଜୈବ ବିବିଧତା ପାଇଁ ଖୁସି ଖବର ବୋଲି ଚର୍ଚ୍ଚା ହେଉଛି ।
ପେଚା ରାତିରେ ଦେଖିଲେ ଅନେକ ଭୟଭୀତ ହେଉଥିବା ବେଳେ ଏହି ଭୂତ ଗଛରେ ବିରାଟକାୟ ପେଚା ବସିବା ପରେ ଆହୁରି ଲୋକମାନଙ୍କୁ ସସପେନ୍ସ ବଢ଼ିଯାଇଛି । ଘୋଷ୍ଟ ଟ୍ରିରେ ଏକ ବିରାଟକାୟ ବିରଳ ପେଚା ବସିଥିବା କ୍ୟାମେରାରେ କଏଦ ହୋଇଛି । ଏହାକୁ ସ୍ପାଟେଡ୍ ବେଲିଡ୍ ଇଗଲ ଆଉଲ ବୋଲି ଇଂରାଜୀରେ କୁହାଯାଏ । ବନ୍ୟଜୀବ ପ୍ରେମୀ ଓ ପକ୍ଷୀ ଅବଲୋକନକାରୀମାନେ ଜଙ୍ଗଲ ଅଞ୍ଚଳରେ ସର୍ବେକ୍ଷଣ କରୁଥିବାବେଳେ ଏହି ବିରଳ ପେଚାଟି ଏହି ଗଛ ଉପରେ ଶାନ୍ତ ଭାବେ ବସିଥିବା ଦେଖିଥିଲେ । ବଡ଼ ଆକାର, ତୀକ୍ଷ୍ମ କମଳା ଆଖି, କାନ ଭଳି ଦେଖାଯାଉଥିବା ପର ଓ ଛାତି ଓ ପେଟରେ ଥିବା ଚିହ୍ନ ଏହି ପକ୍ଷୀକୁ ଅତ୍ୟନ୍ତ ଆକର୍ଷଣୀୟ କରିଥିଲା ।
ଏହା ଭାରତୀୟ ଉପମହାଦେଶର ଅତ୍ୟନ୍ତ ଦୁର୍ଲଭ ଓ ଲଜ୍ଜାଳୁ ପେଚାମାନଙ୍କ ମଧ୍ୟରୁ ଗୋଟିଏ ବାଲି କୁହାଯାଏ । କୁଲଡିହାର ଘନ ଜଙ୍ଗଲ, ବଡ଼ ବଡ଼ ଗଛ ଓ ଶାନ୍ତ ପରିବେଶ ଏହି ପକ୍ଷୀ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ହୋଇପାରିଛି । ଏହି ଦୁର୍ଲଭ ଦର୍ଶନ ବନ୍ୟଜୀବ ସୁରକ୍ଷା ଓ ପକ୍ଷୀ ସଂରକ୍ଷଣ ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ବନ ବିଶେଷଜ୍ଞ, ଟୁରିଷ୍ଟ ଗାଇଡ୍ ତଥା ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ ମତ ପ୍ରକାଶ କରିଛନ୍ତି । ତେବେ ରାତିରେ ଦେଖିଲେ ଭୟ ହେବା ସହ ଭୂତର ବାହନ ବୋଲି ଅନେକ ମତ ଦିଅନ୍ତି ।
ସୌଜନ୍ୟ Prameya News7

