ପାଣିପାଗମହାନଗର

Monsoon Update : ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି ମୌସୁମୀ ବର୍ଷା…

ଭୁବନେଶ୍ୱର ୨୩।୦୫: ଭୀଷଣ ଗରମ ପ୍ରକୋପରୁ ମିଳିବ ଆଶ୍ଵସ୍ତି। ଜୁନ୍ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଯୋଗୁ ପାଗ ବଦଳିବ ଓ ତାପମାତ୍ରା କମିବ। ଅନ୍ୟପକ୍ଷରେ ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ ରୁ ୧୨ ତାରିଖ ସୁଦ୍ଧା ଆସିପାରେ। ଯାହାକି ସ୍ଵାଭାବିକ କିମ୍ଵା ସାମାନ୍ୟ ଆଗୁଆ ହୋଇପାରେ ବୋଲି କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକଙ୍କ କହିବାନୁସାରେ, ଆସନ୍ତା ୨୬ ତାରିଖବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ । ଅନ୍ୟପକ୍ଷରେ ଆସନ୍ତା ୨୪-୨୫ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ଗତି ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ଆଡ଼କୁ ରହିପାରେ । ଏହା ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ବାତବାରଣ ସୃଷ୍ଟି କରିବ । ଏହା ପ୍ରଭାବରେ ଉତ୍ତର ପୂର୍ବ ଭାରତ ଦିଗରେ ମୌସୁମୀ ଆଗେଇ ପାରେ । ଓଡ଼ିଶାରେ ବର୍ତ୍ତମାନ ଲାଗି ରହିଥିବା ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୨୬ ତାରିଖ ପରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା କିଛି ଆଶ୍ୱସ୍ତି ଆଣିପାରେ । ମାତ୍ର ପଶ୍ଚିମରେ ବିଶେଷ ତ୍ରାହି ମିଳିବା ସମ୍ଭାବନା କମ୍ । ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ମୌସୁମୀ ଆଗମନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ଅଧିକ ରହିପାରେ ।

ସେ କହିବାନୁସାରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଜୁନ୍ ୧ କିମ୍ବା ୨ ତାରିଖବେଳକୁ ସୃଷ୍ଟି ହୋଇପାରେ କିମ୍ବା ମୌସୁମୀ ଟ୍ରଫ ରହିପାରେ । ଏହା ଓଡ଼ିଶାରେ ପ୍ରଭାବ ପକାଇବ । ମୌସୁମୀ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ । ରାଜ୍ୟରେ ପ୍ରାକ୍ ମୌସୁମୀ ସ୍ଥିତି ଆସିପାରେ । ଫଳରେ ଉପକୂଳରେ ତାତି କମିପାରେ । ମାତ୍ର ପଶ୍ଚିମ ଓଡ଼ିଶାରେ ମୌସୁମୀ ନ ଆସିବା ଯାଏଁ ଏଭଳି ଗରମ ସ୍ଥିତି ରହିପାରେ । ଜୁନ୍ ୧୦ରୁ ୧୨ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ।

 

 

 

ସୌଜନ୍ୟ Prameya News7

Show More
Back to top button