ୱାସିଂଟନ: ପୃଥିବୀଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ମଙ୍ଗଳ ଗ୍ରହରେ କେହି ବାସ କରୁଛନ୍ତି କି ? ସେମାନେ ପଥର ଉପରେ ପଥର ଥୋଇ ସ୍ତୁପ ଆକୃତିର କଳାକୃତି କରିଛନ୍ତି କି? ନାସାର ରୋଭରର ଏକ ଚିତ୍ର ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ନାସାର ପରସେଭରନ୍ସ ରୋଭର ମଙ୍ଗଳ ଗ୍ରହରୁ ଏପରି କିଛି ଚିତ୍ର ପଠାଇଛି। ଯାହାକୁ ଦେଖିବା ପରେ ବଡ଼ ବଡ଼ ବୈଜ୍ଞାନିକମାନେ ଚକିତ ହୋଇଯାଇଛନ୍ତି। ଲାଲ ଗ୍ରହର ଏକ ନିର୍ଜନ ଏବଂ ଧୂଳିପୂର୍ଣ୍ଣ ସ୍ଥାନରେ ତିନୋଟି ପଥର ଗୋଟିଏ ଉପରେ ଗୋଟିଏ କରି ରଖାଯାଇଛି। ଯେପରି କୌଣସି ମଣିଷ ସେଗୁଡ଼ିକୁ ସେଠାରେ ସଜାଇ ରଖିଛନ୍ତି। ୧୩ ମେ’, ୨୦୨୬, ମିଶନର ୧୮୫୯ତମ ମଙ୍ଗଳ ଦିବସରେ ନିଆଯାଇଥିବା ଏହି ଚିତ୍ରଟି ସୋସିଆଲ ମିଡିଆରେ ଏବଂ ମହାକାଶ ଉତ୍ସାହୀଙ୍କ ମଧ୍ୟରେ ଏକ ବିତର୍କ ସୃଷ୍ଟି କରିଛି।
ସ୍ପେସ୍ ଡଟ୍ କମ୍ର ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନଙ୍କ ଅନୁସାରେ ଏହା ଏଲିଏନ୍ କିମ୍ବା କୌଣସି ଯାଦୁକରୀ ଚମତ୍କାର ନୁହେଁ। ଏହା ଏକ ବଡ଼ ପଥର ହୋଇଥାଇପାରେ ଯାହା ସମୟ କ୍ରମେ ପ୍ରବଳ ପବନ କିମ୍ବା ପ୍ରବାହିତ ଜଳର ଶକ୍ତି ଦ୍ୱାରା ଭାଙ୍ଗି ଭାଙ୍ଗି ଏଭଳି ହୋଇଯାଇଛି। ଯଦିଓ ଆଜି ମଙ୍ଗଳ ଗ୍ରହ ଶୁଷ୍କ ଏବଂ ଶାନ୍ତ ଦେଖାଯାଉଛି, ଏହାର ଇତିହାସ ବହୁତ ଅଶାନ୍ତ ଥିଲା। ନାସାର କ୍ୟୁରିଓସିଟି ରୋଭରରୁ ମିଳିଥିବା ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ମଙ୍ଗଳ ଗ୍ରହର ଆକାର ପରିବର୍ତ୍ତନରେ ପବନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବୈଜ୍ଞାନିକମାନଙ୍କ ଅନୁସାରେ ଅତୀତରେ ମଙ୍ଗଳ ଗ୍ରହର ଜଳବାୟୁ ରେନ୍ ଫରେଷ୍ଟ ଭଳି ଆର୍ଦ୍ର ଥିଲା।
ମଙ୍ଗଳ ଗ୍ରହରେ ଏପରି ଅଦ୍ଭୁତ ବସ୍ତୁ ଦେଖିବା ନୂଆ ନୁହେଁ
ଗତ ପାଞ୍ଚ ବର୍ଷ ମଧ୍ୟରେ, ପରସିଭରନ୍ସ ରୋଭର ଚିତାବାଘ ପରି ଚିହ୍ନିତ ପଥର, ଜଟିଳ ସୂତା ପରି ଗଠନ ଏବଂ ପପକର୍ନ ପରି ପଥରର ଚିତ୍ର ଉତ୍ତୋଳନ କରିଛି। ପ୍ରାରମ୍ଭରେ ଏହି ବସ୍ତୁଗୁଡ଼ିକ ରହସ୍ୟମୟ ମନେ ହେଉଥିଲେ ମଧ୍ୟ, ବୈଜ୍ଞାନିକମାନେ ପରେ ପ୍ରକୃତ କାରଣ ଆବିଷ୍କାର କରିଥିଲେ। ୧୯୭୬ ମସିହାରେ, ନାସାର ୱାଇକିଙ୍ଗ୍ ମିଶନ ମଙ୍ଗଳ ଗ୍ରହରେ ଏକ ଆକୃତି ପ୍ରକାଶ କରିଥିଲା ଯାହା ଏକ ମାନବ ମୁହଁ ସଦୃଶ ଥିଲା। ଏହା ଅନେକ କଳ୍ପନାଜଳ୍ପନାକୁ ଜନ୍ମ ଦେଇଥିଲା, କିନ୍ତୁ ପରେ ଜଣାପଡିଥିଲା ଯେ, ଏହା ଛାଇ ଆଲୁଅର ଖେଳ ଥିଲା।
ସୌଜନ୍ୟ ସମ୍ବାଦ

