ଭୁବନେଶ୍ବର (ସଂଗ୍ରାମ କେଶରୀ ସିଂହ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଓଡ଼ିଶା ଜଳୁଛି। ରାଜଧାନୀ ସମେତ ଅଧିକାଂଶ ସହର ତାପମାତ୍ର ୪୦ ଡିଗ୍ରି ଅତିକ୍ରମ କରିଛନ୍ତି। ପ୍ରଚଣ୍ଡ ରୁଦ୍ରତାପ ସହିତ ଗୁଳୁଗୁଳିରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଯାହାଫଳରେ ଲୋକମାନଙ୍କର ଦିନକୁ ଦିନ ବିଦ୍ୟୁତ୍ ବ୍ୟବହାର ମାତ୍ରାଧିକ ବୃଦ୍ଧି ପାଇଛି। ବିଦ୍ୟୁତ୍ ଯୋଗାଣଠାରୁ ମାତ୍ରାଧିକ ବ୍ୟବହାର ବୃଦ୍ଧି ପାଉଥିବାରୁ ନାହିଁନଥିବା ଦୁର୍ଘଟଣା ସଟ୍ସର୍କିଟ୍ ଓ ଟ୍ରାନ୍ସଫରମର ପୋଡ଼ି ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଧନଜୀବନ ନଷ୍ଟ ହେବାରେ ଲାଗିଛି।
ନିକଟରେ ରାଜଧାନୀରେ ଏକାଧିକ ଆପାର୍ଟମେଣ୍ଟ ଓ ସୋରୁମରେ ସଟ୍ସର୍କିଟ୍ ଯୋଗୁଁ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଯଦି ଏହିଭଳି ବିଦ୍ୟୁତ୍ ଯୋଗାଣଠାରୁ ଅଧିକ ବିଦ୍ୟୁତ୍ ବ୍ୟବହାର ଫଳରେ ଲୋଡ଼ ଅଧିକ ପଡ଼ିବ, ତାକୁ ନେଇ ସଟ୍ସର୍କିଟ୍ ଫଳରେ ଭୟଙ୍କର ସ୍ଥିତିର ଆଶଙ୍କା ଦେଖାଦେଇଛ। ଅପର ପକ୍ଷରେ ଅନେକ ଗ୍ରାମାଞ୍ଚଳରେ ଲୋ ଭୋଲଟେଜ୍ ପାଇଁ ଗ୍ରାମବାସୀ ଏହି ଗରମରେ ନାହିଁନଥିବାର ଯନ୍ତ୍ରଣା ଭୋଗ କରୁଛନ୍ତି।
ପ୍ରକାଶ ଥାଉକି ରାଜ୍ୟଠାରୁ ଆରମ୍ଭ କରି ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ବିଦ୍ୟୁତ୍ ବ୍ୟବହାର ଆଶାତୀତ ବୃଦ୍ଧି ପାଇଛି। ଗତକାଲି ସର୍ବାଧିକ ଗରମ ଅନୁଭୂତ ହୋଇଥିବା ବେଳେ ଦେଶରେ ପିକ୍ ସମୟରେ ରେକର୍ଡ଼ ପରିମାଣ ୨୭୦ ଗିଗାୱାଟ୍ ବିଦ୍ୟୁତ୍ ଶକ୍ତି ବ୍ୟବହାର ହୋଇଛି। ଯାହାକି ଗତବର୍ଷ ଏହି ସମୟରେ ୨୪୩ ଗିଗାୱାଟ୍ ଥିଲା ବୋଲି କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେହିପରି ଓଡ଼ିଶାରେ ସ୍ଥିତି ମଧ୍ୟ ଅଧିକ ସଙ୍ଗୀନ୍। ଗତ ୧୯ତାରିଖ ସୁଦ୍ଧା ଗ୍ରହଣ କରାଯାଇଥିବା ତଥ୍ୟ ମୁତାବକ ଓଡ଼ିଶାରେ ୭୫୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ପିକ୍ ସମୟରେ ଆବଶ୍ୟକତା ରହିଥିଲା। ଯାହାକି ଗତବର୍ଷ ଏହି ସମୟରେ ବିଦ୍ୟୁତ୍ ଉପଯୋଗର ପରିମାଣ ୬୪୧ମେଗାୱାଟ୍ ଥିଲା। ଯାହାକି ଗତବର୍ଷଠାରୁ ଚଳିତ ବର୍ଷ ୧୭ଶତକଡ଼ା ବୃଦ୍ଧି ଘଟିଛି। ମାତ୍ରାଧିକ ଭାବେ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇଥିବା କଟକ ଜିଲ୍ଲାରେ ୨୪୧ ମେଗାୱାଟ୍ ଓ ପୁରୀରେ ୭୫ମେଗାୱାଟ୍ ପହଞ୍ଚିଛି।
ସୂଚନାଯୋଗ୍ୟ ଲୋକମାନଙ୍କର ବିଦ୍ୟୁତ୍ ବ୍ୟବହାର ଓ ଚାହିଦାକୁ ଲକ୍ଷ୍ୟ କରି ସ୍ଥାପନ କରାଯାଇଥିବା ଟ୍ରାନ୍ସଫରମର ଉପରେ ଅତ୍ୟଧିକ ଲୋଡ୍ ପଡ଼ିବା ଯୋଗୁଁ ଅଧିକାଂଶ ସ୍ଥାନରେ ଟ୍ରାନ୍ସଫରମର ପୋଡ଼ିଯୋଉଛି। ଏପରିକି ସଟ୍ସର୍କିଟ୍ ଯୋଗୁଁ ଭୟାନକ ଅଗ୍ନିକାଣ୍ଡ ଘଟୁଛି। ଗ୍ରୀଷ୍ମ ପ୍ରବାହ ସମୟରେ ଲୋକମାନେ ଅଧିକ ଏସି, ଫ୍ୟାନ୍, କୁଲର ବହୁଳ ଭାବେ ବ୍ୟବହାର କରୁଥିବା ଯୋଗୁଁ ଅଧିକ ବିଦ୍ୟୁତ ଲୋଡ୍ ପଡ଼ୁଛି ବୋଲି ଶକ୍ତିମନ୍ତ୍ରୀ କନନବର୍ଦ୍ଧନ ସିଂଦେଓ କହିବା ସହିତ ବିଦ୍ୟୁତ୍ କାଟ ଓ ଟ୍ରାନ୍ସଫରମର ପୋଡ଼ୁଛି ବୋଲି ଗଣମାଧ୍ୟମରେ ମତ ରଖିଛନ୍ତି। ଜନସାଧାରଣ ବିଦ୍ୟୁତ୍ ଅପଚୟକୁ ରୋକିବା ସହିତ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ପରାମର୍ଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ

