‘Chaand Mera Dil’: ‘ଚାନ୍ଦ ମେରା ଦିଲ୍’ରେ ଅନନ୍ୟା ପାଣ୍ଡେଙ୍କ ଭରତନାଟ୍ୟମ୍‌କୁ ନେଇ ବିବାଦ

ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ନୂଆ ଫିଲ୍ମ ‘ଚାନ୍ଦ୍ ମେରା ଦିଲ୍’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ଭିଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି କ୍ଲିପ୍‌ରେ ଅନନ୍ୟା ଭାରତନାଟ୍ୟମ୍‌କୁ ହିପ୍-ହପ୍ ଓ ଅନ୍ୟ ଆଧୁନିକ ନୃତ୍ୟ ଶୈଳୀ ସହ ମିଶାଇ ପରିବେଷଣ କରୁଥିବା ଦେଖାଯାଇଛି।

କ୍ଲାସିକାଲ୍ ନୃତ୍ୟଶିଳ୍ପୀଙ୍କ ବଢ଼ିଲା ଅସନ୍ତୋଷ

ଏହି ଆଧୁନିକ ମିଶ୍ରଣ ଶୈଳୀକୁ ନେଇ ଅନେକ କ୍ଲାସିକାଲ୍ ନୃତ୍ୟଶିଳ୍ପୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରସିଦ୍ଧ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ଅନିତା ଆର୍. ରତ୍ନମ୍ କହିଛନ୍ତି ଯେ, ଏହି ପରିବେଷଣ ଦେଖି ଲାଗୁଥିଲା ଯେପରି ଭାରତନାଟ୍ୟମ୍‌କୁ ବିକୃତ କରାଯାଇଛି। ଭାରତନାଟ୍ୟମ୍‌ରେ ନିୟମ, ଶୈଳୀ, ସଙ୍ଗୀତ ଓ ଭାବନାର ଗଭୀରତା ଥାଏ, କିନ୍ତୁ ଏହି କ୍ଲିପ୍‌ରେ ସେଗୁଡ଼ିକ ଦେଖିବାକୁ ମିଳୁନାହିଁ।’

ଅନ୍ୟ ନୃତ୍ୟଶିଳ୍ପୀ କ୍ରିତିକା ଶିବସ୍ୱାମୀ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏବେ ଚଳଚ୍ଚିତ୍ର ଜଗତ କ୍ଲାସିକାଲ୍ କଳାକୁ ଗୁରୁତ୍ୱ ଦେଉନାହିଁ ଏବଂ ଏଭଳି ପରିବେଷଣ ମାଧ୍ୟମରେ ତାହାର ମଜାକ ଉଡ଼ାଯାଉଛି ବୋଲି ସେ କହିଛନ୍ତି।

ତେବେ ଫିଲ୍ମର ଅସିଷ୍ଟାଣ୍ଟ କୋରିଓଗ୍ରାଫର ଅନନ୍ୟା ଆର୍ କପୁର୍, ଅନନ୍ୟାଙ୍କ ପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଅନନ୍ୟା ଅତ୍ୟନ୍ତ ପରିଶ୍ରମ କରିଥିଲେ ଏବଂ ଭାରତନାଟ୍ୟମ୍‌କୁ ଭଲଭାବରେ ଶିଖିବା ପରେ ପରିବେଷଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ‘ଚାନ୍ଦ ମେରା ଦିଲ୍’ ଫିଲ୍ମଟିକୁ ବିବେକ ସୋନୀ ଓ ତୁଷାର ପରାଞ୍ଜପେ ଲେଖିଛନ୍ତି। ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ସଚିନ୍-ଜିଗର ।

 

 

 

 

ସୌଜନ୍ୟ ସମ୍ବାଦ