ଶିବଶଙ୍କର ଓଝା
୧୯୮୫ ମସିହାର କଥା। ‘ନାଗଫାସ’ ଓ ‘ଦଣ୍ଡାବାଳୁଙ୍ଗା’ର ଅଭୂତପୂର୍ବ ସଫଳତା ପରେ ପ୍ରଯୋଜକ ବସନ୍ତ ନାୟକ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ନେଇ ‘ପକା କମ୍ବଳ ପୋତ ଛତା’ ନିର୍ମାଣ କରୁଥାନ୍ତି। ଦିନେ ପ୍ରଶାନ୍ତ ନନ୍ଦ ଏହି ସିନେମାର ଗୀତ ରଚନା ଦାୟିତ୍ବ ସ୍ବରୂପ ନାୟକଙ୍କୁ ଦେବାକୁ ବସନ୍ତବାବୁଙ୍କୁ ପ୍ରସ୍ତାବ ଦେଲେ। ଆଉ ବସନ୍ତ ବି ରାଜି ହୋଇଗଲେ। ଏହି ସିନେମାରେ ପ୍ରଶାନ୍ତ ନନ୍ଦଙ୍କ କଣ୍ଠରେ ଏକ ଗୀତ ରେକର୍ଡିଂ କରିବାର ଇଚ୍ଛା ପୋଷଣ କରନ୍ତି ବସନ୍ତ, ଆଉ ତାଙ୍କ ମନପସନ୍ଦର ଗୀତ ‘ସତ କହି ପାଏ ପଛେ ଫାଶୀ ଲୋ ବାରମାସୀ’ ବି ଲେଖନ୍ତି ସ୍ବରୂପ। ସ୍ବରରେ ସଜାନ୍ତି ବାସୁଦେବ ରଥ।
୧୯୮୬ରେ ମୁକ୍ତିପ୍ରାପ୍ତ ‘ପକା କମ୍ବଳ ପୋତ ଛତା’ ସୁପରହିଟ୍ ହେଲା। ଆଉ ତା’ ପରେ ବସନ୍ତ ନାୟକ ଓ ସ୍ବରୂପଙ୍କ ଯୋଡ଼ି ଜମିଗଲା। ବସନ୍ତଙ୍କ ପ୍ରଯୋଜିତ ସିନେମାରେ ଯିଏ ବି ସଂଗୀତ ନିର୍ଦ୍ଦେଶନା ଦିଅନ୍ତୁ, ଗୀତ କିନ୍ତୁ ଲେଖୁଥିଲେ ସ୍ବରୂପ। ଏହାପରେ ତାଙ୍କୁ ସଂଗୀତ ନିର୍ଦ୍ଦେଶନା ସୁଯୋଗ ବି ଦେଲେ ବସନ୍ତ ନାୟକ। ୧୯୮୮ରେ ମୁକ୍ତିପ୍ରାପ୍ତ ଅସୀମ କୁମାରଙ୍କ ନିର୍ଦ୍ଦେଶିତ ତଥା ବସନ୍ତ ନାୟକଙ୍କ ପ୍ରଯୋଜିତ ‘ଯାହାକୁ ରଖିବେ ଅନନ୍ତ’ରେ ସ୍ବରୂପ ନାୟକ ଗୀତ ଲେଖିବା ସହ ସଂଗୀତ ନିର୍ଦ୍ଦେଶନା ଦେଲେ। ଏଥିରେ ଥିବା ସବୁ ଗୀତ (ରୂପାନାନୀ ଲୋ…, ଏ ଅଗଣା ଏ ଘର…, ଜହ୍ନ ହସୁଥିବ ତାରା…, ମୁଁ ଏ ସହର ରୋମିଓ…) ଖୁବ୍ ଲୋକପ୍ରିୟ ହୋଇଥିଲା।

