Nick’s love for Indian music: ଭାରତୀୟ ସଂଗୀତ ପ୍ରେମରେ ନିକ୍‌

ଆମେରିକୀୟ ଗାୟକ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ଭାରତ ପ୍ରୀତି କାହାକୁ ବା ଅଛପା! ଆମ ଦେଶର ଯୁବପିଢ଼ିଙ୍କ ନିକ୍‌ ଜିଜୁ ଭାବେ ପରିଚିତ ଏହି ଗ୍ଲୋବାଲ୍‌ ଷ୍ଟାର୍‌ ଭାରତୀୟ ସଂସ୍କୃତିକୁ ନେଇ ଅତୀତରେ ଅନେକ ବାର ନିଜର ଭଲପାଇବା ଜାହିର କରିସାରିଛନ୍ତି। ନିକଟରେ ତାଙ୍କ ଆଗାମୀ ସିନେମା ପ୍ରମୋସନ୍‌ ଇଭେଣ୍ଟ୍‌ରେ ନିକ୍‌ ନିଜର ଡ୍ୟାନ୍‌ସ୍‌ ଟ୍ରାକ୍‌ ଭାବେ ସବୁଠାରୁ ଆଗରେ ରଖିଛନ୍ତି ଭିକି କୌଶଲଙ୍କ ‘ତବା ତବା’ ଗୀତ। ଏହି ଗୀତ ବାଜିବା ମାତ୍ରେ ସେ ନାଚିବାକୁ ପ୍ରସ୍ତୁତ ହୋଇଯାଆନ୍ତି ବୋଲି କହିଛନ୍ତି ନିକ୍‌। ତାଙ୍କର ଏହି ସାକ୍ଷାତ୍‌କାର ପରେ ନିକ୍‌ ଭାରତୀୟ ସଂସ୍କୃତି ପରି ଭାରତୀୟ ସଂଗୀତ ପ୍ରେମରେ ବି ପଡ଼ିଛନ୍ତି ବୋଲି ସ୍ପଷ୍ଟ ହୋଇଛି।

ୟା’ ପୂର୍ବରୁ ବି ନିକ୍‌ ବଲିଉଡ୍‌ ଗୀତ ପ୍ରତି ନିଜର ଭଲପାଇବା ଦେଖାଇ ସାରିଛନ୍ତି। ଦୁଇ ମାସ ତଳେ ସେ ତାଙ୍କ ଭାଇଙ୍କ ସହ ମିଶି ରଣବୀର ସିଂହଙ୍କ ‘ଧୁରନ୍ଧର୍‌’ ଫିଲ୍ମର ଏକ ଗୀତରେ ନୃତ୍ୟ ପ୍ରଦର୍ଶନ କରି ଭାରତୀୟଙ୍କ ମନ ଜିଣିଥିଲେ। ସେହିଭଳି ହ୍ରିତିକ୍‌ ରୋଶନ୍ ଓ କିଆରା ଆଡ୍‌ଭାନୀଙ୍କ ‘ୱାର୍‌ ୨’ ସିନେମାର ଏକ ଗୀତରେ ବି ନିକ୍‌ଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ମିିଳିଥିଲା। ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ରିଲିଜ୍‌ ହୋଇଥିବା ‘ବ୍ୟାଡ୍‌ ନିଉଜ୍‌’ ସିନେମାର ‘ତବା ତବା’ ଗୀତକୁ ନିଜର ପ୍ରିୟ ଭାରତୀୟ ଗୀତ ବୋଲି କହିଛନ୍ତି ନିକ୍‌। ଏହି ଲୋକପ୍ରିୟ ପଞ୍ଜାବୀ ଗୀତରେ ନିକ୍‌ଙ୍କ ନୃତ୍ୟ ସୋସିଆଲ୍‌ ମିଡିଆରେ ଅସଂଖ୍ୟ ଭିୟୁ ସାଉଁଟିଥିଲା।

 

 

ସୌଜନ୍ୟ ସମ୍ବାଦ