Congress Fact-finding team ଚନ୍ଦାହାଣ୍ଡି ଚାଷୀଙ୍କୁ ନିର୍ଯାତନା ଘଟଣା : ଘଟଣାସ୍ଥଳରେ କଂଗ୍ରେସ ତଥ୍ୟାନୁସନ୍ଧାନ ଦଳ

ନବରଙ୍ଗପୁର (ସୁରେଶ ନାଇଡ଼ୁ): ଚନ୍ଦାହାଣ୍ଡିରେ ୫ଜଣ ଚାଷୀ ତଥା ଯାଦବଙ୍କୁ ଆଣ୍ଟେଇବା ଘଟଣାକୁ ନେଇ ଏବେ ଜିଲ୍ଲାରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହି ଘଟଣାରେ ପିସିସି ନିର୍ଦ୍ଦେଶ ଜିଲ୍ଲା କଂଗ୍ରେସ କମିଟିର ତଥ୍ୟାନୁସନ୍ଧାନ ଦଳ ରାଇଘର ବ୍ଲକର ହଳଦୀ ଓ ବରପଦୀ ଗାଁକୁ ଯାଇ ଚାଷୀଙ୍କୁ ଭେଟି ଆସିଛନ୍ତି। ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର ଅପରାଧିକ ଦଫା ଲଗାଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସଂଧ୍ୟାରେ ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତଜିଲ୍ଲାପାଳ,ଉପଜିଲ୍ଲାପାଳ, ଅତିରିକ୍ତ ଏସପି, ଡିଏସପି ଆଦିଙ୍କୁ ପୃଥକ ପୃଥକ ଭାବେ ଭେଟିଥିଲେ। ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପିଙ୍କ ସହ ଆଲୋଚନା କରିଥିଲେ। ସଂଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ମୁଖ୍ୟଙ୍କ ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା । ଆସନ୍ତା ଜୁନ୫ ତାରିଖ ମଧ୍ୟରେ ପୁଲିସ ଓ ପ୍ରଶାସନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ. ଲିପିକା ମାଝୀ  କହିଛନ୍ତି, ପୂର୍ବରୁ କମିଟିର ସଭ୍ୟ ମାନେ ରାଇଘର ବ୍ଲକ ହଳଦୀ ଓ ବରପଦର ଅଞ୍ଚଳର ୫ଜଣ ଚାଷୀ ରୂପଧର ଗଣ୍ଡ, ଭୁବନ ଗୌଡ, ଗୋପିଲାଲ ଗୌଡ,  ଦୀପକ ଢ଼ାଲି, ଦଶରଥ ରାଉତ ଚନ୍ଦାହାଣ୍ଡି ବ୍ଲକ ଡହିମାଲ ଗାଁର ରୂପା ସିଂ ଗଣ୍ଡଙ୍କୁ ବଳଦ ଚରାଇବା ଓ ସେମାନଙ୍କୁ ଚାଷ କାର୍ଯ୍ୟରେ ଲଗାଇବା ପାଇଁ ତାଲିମ ଦେବା ଦାୟିତ୍ୱ ଦେଇଥିଲେ। ଏବେ ଚାଷ କାର୍ଯ୍ୟ ଆରମ୍ଭ ସମୟ। ଚାଷୀମାନେ ବଳଦଗୁଡ଼ିକୁ ଘରକୁ ନେବା ପାଇଁ ଯାଇଥିବା ବେଳେ ଚନ୍ଦାହାଣ୍ଡି ବ୍ଲକ ଲୋଧୁଆପଡ଼ା ନିକଟରେ କିଛି ବ୍ୟକ୍ତି ବଜରଙ୍ଗ ଦଳ କର୍ମୀ ପରିଚୟ ଦେଇ ସେମାନଙ୍କୁ ଅଟକାଇଥିଲେ। ଗୋଚାଲାଣ ଅଭିଯୋଗ ଆଣି ୫ଜଣଚାଷୀଙ୍କୁ ୪୪ଡିଗ୍ରୀ ଖରାରେ କାନ ଧରି ଆଣ୍ଠେଇବା ସହ ଆଣ୍ଠେଇ ଆଣ୍ଠେଇ ପିଚୁ ରାସ୍ତାରେ ଚଲାଇଥିଲେ । କାନ ଧରି ଆଣ୍ଠେଇବା ସମୟରେ ପିଚା ତଳେ ଲୁହା କଣ୍ଟା ଦେଇଥିଲେ ବୋଲି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ. ମାଝୀ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଓବିସି ସେଲ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲାସଭାନେତ୍ରୀ ଡ.ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ପୂର୍ବତନ ସଭାପତି ମୁନା ତ୍ରିପାଠୀ, କ୍ଷେମରାଜ ବାଘ, ସନରାଜ ଗଣ୍ଡ, ଅଖିଳ ଭତରା, ସମେତ ଏକ ୧୩ ଜଣିଆ କମିଟି ହଳଦୀ ଓ ବରପଦର ଗାଁକୁ ଯାଇ ପରିସ୍ଥିତି ଓ ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି । ଜଣେ ମନ୍ତ୍ରୀ ଓ ଏମପିଙ୍କ ଚାପରେ ପୁଲିସ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଇ କୋହଳ ଆଇନ୍ ଲଗାଇଛି ବୋଲି ଏମାନେ କହିଛନ୍ତି। ଘଟଣାରେ ଜଡିତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନିର୍ଯାତିତ ଚାଷୀମାନଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ସାହୁ, ବୃନ୍ଦାବନ ତ୍ରିପାଠୀ, ଅବଦୁଲ ଫିରୋଜ, ହାରାବତୀ ଗଣ୍ଡ, ପୀଡ଼ିତ ୪ ଚାଷୀ ଉପସ୍ଥିତ ଥିଲେ। ଏବେ ବିଜେଡି ପକ୍ଷରୁ ବି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ଘଟଣାକୁ ନେଇ ତଦନ୍ତ କରିବେ ବୋଲି ସୂଚନା ମିଳିଛି।

 

 

 

ସୌଜନ୍ୟ ସମ୍ବାଦ