ଯୋଡ଼ା: କେନ୍ଦୁଝରଜିଲ୍ଲା ଯୋଡ଼ା ବ୍ଲକ୍ରେ ଡିଏମ୍ଏଫ୍ ପକ୍ଷରୁ ଖୋଲା ଯାଇଥିବା ‘ଆମ କଳିକା’ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ କେନ୍ଦ୍ରରେ କାମ କରୁଥିବା ମହିଳା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି। ଖଣିଖାଦାନଭରା ଯୋଡ଼ା ଅଞ୍ଚଳରେ ଅନେକ ଶ୍ରମିକ ବିଭିନ୍ନ ଖଣି ଓ କାରଖାନାରେ କାମ କରୁଛନ୍ତି। ଶ୍ରମଜୀବୀ ଅଭିଭାବକମାନେ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ ସେମାନଙ୍କ ଶିଶୁମାନଙ୍କୁ କାହା ପାଖରେ ଛାଡ଼ିବେ ତାକୁ ନେଇ ଚିନ୍ତାରେ ପଡ଼ୁଥିଲେ। ବଡ଼ ପୁଅଝିଅମାନେ ଶିଶୁଙ୍କ ଦେଖାରଖା କରୁଥିଲେ।
ଫଳରେ ସମ୍ପୃକ୍ତ ପିଲାମାନେ ସ୍କୁଲ ଯାଇପାରୁ ନଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଡିଏମ୍ଏଫ୍ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ‘ଆମ କଳିକା’ କେନ୍ଦ୍ର ଖୋଲା ଯାଇଥିଲା। ଶ୍ରମଜୀବୀ ଅଭିଭାବକମାନେ କାର୍ଯ୍ୟକ୍ଷେତ୍ରକୁ ଗଲା ବେଳେ ଶିଶୁମାନଙ୍କୁ କେନ୍ଦ୍ରରେ ଛାଡ଼ିବେ। ଫେରିଲା ବେଳେ ପୁଣି ଘରକୁ ନେଇଯିବେ। କେନ୍ଦ୍ରରେ କାର୍ଯ୍ୟ କରୁଥିବା ମହିଳା କର୍ମୀମାନେ ଶିଶୁମାନଙ୍କ ଦେଖାଚାହାଁ କରିବା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦେଉଥିଲେ। ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକ ଏହାର ପରିଚାଳନା ଦାୟିତ୍ବରେ ରହିଛନ୍ତି।
ଯୋଡ଼ାରେ ୧୬୮ଟି ‘ଆମ କଳିକା’ କେନ୍ଦ୍ର ରହିଥିବା ବେଳେ ଏଥିରୁ ୯୦ଟି କେନ୍ଦ୍ରକୁ ଆସନ୍ତା ୧ ତାରିଖରୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସମ୍ପୃକ୍ତ କେନ୍ଦ୍ରର କର୍ମୀମାନଙ୍କୁ ଜଣାଇ ଦିଆଯାଇଛି। କେନ୍ଦ୍ରଗୁଡ଼ିକ ବନ୍ଦ ହେବା ଦ୍ବାରା ଏହା ଉପରେ ନିର୍ଭର କରୁଥିବା ୧୫୦୦ରୁ ଅଧିକ ଅଭିଭାବକ ଅସୁବିଧାର ସମ୍ମୁଖୀନ ହେବେ। ୧୮୦ ଜଣ ମହିଳା କର୍ମୀ ରୋଜଗାର ହରାଇବେ। କେନ୍ଦ୍ରଗୁଡ଼ିକୁ ବନ୍ଦ ନ କରି ପୂର୍ବପରି ଚାଲୁ ରଖିବା ପାଇଁ ଆଜି ମହିଳା କର୍ମୀମାନେ ଜିଲ୍ଲାପାଳ, ଡିଏମ୍ଏଫ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିବା ଜିଲ୍ଲା ପରିଷଦ ସଦସ୍ୟ ଡମ୍ବରୁଧର କୁଦାଦାଃ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ

