Brutal beating: ପୁଲିସ ସାମନାରେ ନିର୍ଧୁମ୍‌ ମାଡ଼, ଭାଙ୍ଗିଦେଲେ ଗାଡ଼ି: ଥାନା ଭିତରେ ଗୁଣ୍ଡାଗର୍ଦ୍ଦି

ବାରିପଦା: ପୁଲିସ ଉପସ୍ଥିତିରେ କାର୍‌ ଚାଳକଙ୍କୁ ନିର୍ଘାତ ପିଟିଲେ। ଖାଲି ପିଟିଲେନି, କାର୍‌ ବି ଭଙ୍ଗାରୁଜା କଲେ। ଶୁକ୍ରବାର ସନ୍ଧ୍ୟାରେ ବାରିପଦା ଟାଉନ୍‌ ଥାନା ପରିସରରେ ଏଭଳି କାଣ୍ଡ ଭିଆଇ କିଛି ଯୁବକ ଥାନା ପରିସରକୁ ଏକପ୍ରକାର ରଣକ୍ଷେତ୍ର କରିଦେଇଥିଲେ। ସୂଚନା ଅନୁସାରେ, ବାରିପଦାରୁ ଆଜି କେତେକ ଯୁବକ ପର୍ଯ୍ୟଟନ ପୀଠ ଦେବକୁଣ୍ଡରୁ କାର୍‌ ଯୋଗେ ଫେରୁଥିଲେ। ପୋଡ଼ାଅସ୍ତିଆ ଛକ ନିକଟରେ ସାଇଡ୍‌ ମାରିବାକୁ କେନ୍ଦ୍ର କରି ଅନ୍ୟ କେତେକ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା।

କାର୍‌ ଚାଳକ କୌଣସିପ୍ରକାର ଗାଡ଼ି ନେଇ ସେଠାରୁ ପଳାଇ ଆସିଥିଲେ। ମାତ୍ର ଅନ୍ୟ ଯୁବକମାନେ ୪ଟି ବାଇକ୍‌ରେ ପିଛା କରି କାର୍‌କୁ ଶ୍ରୀଜଗନ୍ନାଥ ମନ୍ଦିର ପାଖରେ ଅଟକାଇବା ସହ କାର୍‌ ଚାଳକଙ୍କୁ ପ୍ରବଳ ମାଡ଼ ମାରିଥିଲେ। କାର୍‌ରେ ଥିବା ଯୁବକମାନେ ଜୀବନବିକଳରେ ଟାଉନ୍‌ ଥାନା ଭିତରକୁ ପଶି ଯାଇଥିଲେ। ହେଲେ ଉକ୍ତ ଯୁବକମାନେ ଡରିନଥିଲେ। ସିଧା ଥାନା ଭିତରକୁ ପଶିବା ସହ କାର୍‌ ଚାଳକ ଓ ଗାଡ଼ିରେ ଥିବା ଯୁବକମାନଙ୍କୁ ପିଟାମରା କରି କାର୍‌ ଭଙ୍ଗାରୁଜା କରିଥିଲେ। ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ଧସ୍ତାଧସ୍ତି, ମାଡ଼ ମରାମରି ହୋଇଥିଲେ। ଏହି ଘଟଣାରେ ପୁଲିସ ଦୁଇ ପକ୍ଷରୁ ୮ ଜଣ ଯୁବକଙ୍କୁ ଅଟକ ରଖିଥିବା ଅତିରିକ୍ତ ଏସ୍‌ପି ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇଛନ୍ତି।

 

 

ସୌଜନ୍ୟ ସମ୍ବାଦ