ବଲାଙ୍ଗିର ୧।୬: ବଲାଙ୍ଗିରର ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କୁ ଜନଅଭିଯୋଗ ଶୁଣାଣି ସମୟରେ ଛିଡା କରି କଥା ହେବା ଓ ଚୌକି ଖଣ୍ଡିଏ ନ ଦେବା ଘଟଣା ଏବେ ସମଗ୍ର ପଶ୍ଚିମଓଡ଼ିଶାରେ ଆନ୍ଦୋଳନ ରୂପ ନେଇଛି । ଏନେଇ ସୋମବାର ବଲାଙ୍ଗିରରେ ଚାଲିଥିବା ଜନଶୁଣାଣି ଅଭିଯୋଗ ପ୍ରକୋଷ୍ଠକୁ ଚୌକି ନେଇ ଚୌକି ଉପହାର ଦେଇ ପ୍ରତିବାଦ କରିଛନ୍ତି କିଛି ସଂଗଠନ । ଚୌକିରେ ସିନିୟର ସିଟିଜନ, ଭିନ୍ନକ୍ଷମ ଓ ପୂର୍ବତନ ସାଂସଦ, ବିଧାୟକ ଲେଖି ପଦଯାତ୍ରା କରି ଆସି ଜନଅଭିଯୋଗ ଶୁଣାଣି ବେଳେ ଚୌକି ଉପହାର। ଜିଲ୍ଲାପାଳଙ୍କୁ ଚୌକି ଉପହାର ଦେବାକୁ ଯିବାବେଳେ ଅଟକାଇଛି ପୋଲିସ ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୫ ତାରିଖରେ ଆଗଲପୁର ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା । ସେଠାରେ ୮୫ ବର୍ଷୀୟ ବରିଷ୍ଠ ନାଗରିକ,ପୂର୍ବତନ ସାଂସଦ ତଥା କୋସଲ ଆନ୍ଦୋଳନର ପୁରୋଧା ବାଲଗୋପାଳ ମିଶ୍ରଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏପରିକି ତାଙ୍କୁ ଏକ ଚୌକି ଦେବା ପରିବର୍ତ୍ତେ ଦୀର୍ଘସମୟ ଧରି ଠିଆ କରାଇ ଆଲୋଚନା କରିଥିଲେ । ଏହାକୁ କୋସଲାଞ୍ଚଳର ସମସ୍ତ କୋସଲବାଦୀ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା । ଏହି ପ୍ରସଙ୍ଗରେ ମିଳିତ କୋସଲବାଦୀ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହାକୁ ନିନ୍ଦା କରାଯାଇଥିଲା । ଉକ୍ତ ଅସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଜନମାନସ, କୋସଲାଞ୍ଚଳର ସ୍ବାଭିମାନ ଓ ସାମାଜିକ ମୂଲ୍ୟବୋଧ ଉପରେ ସିଧାସଳଖ ଆଘାତ ଦେବା ସହ ସମାନ ବୋଲି ଅଭିଯୋଗ କରାଯାଇଥିଲା । ସଂଗଠନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବାଲଗୋପାଳ ମିଶ୍ର କେବଳ ଜଣେ ପୂର୍ବତନ ସାଂସଦ କିମ୍ବା ବିଧାୟକ ନୁହେଁ, ସେ କୋସଲ ଆନ୍ଦୋଳନର ଜଣେ ପ୍ରମୁଖ ପୁରୋଧା, ଯିଏ କୋସଲାଞ୍ଚଳର ଅଧିକାର, ଭାଷା, ସଂସ୍କୃତି ଓ ସମ୍ମାନ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଏପରିକି ସେ ଜଣେ ବୟୋଜ୍ୟେଷ୍ଠ ଓ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଅସମ୍ବେଦନଶୀଳ ବ୍ୟବହାର କରାଯିବା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ।
ବିଶେଷକରି ଜଣେ ବରିଷ୍ଠ ନାଗରିକ, ପୂର୍ବତନ ଜନପ୍ରତିନିଧି ଓ ସମାଜ ପାଇଁ ଦୀର୍ଘଦିନ ଧରି ଅବଦାନ ରଖୁଥିବା ବ୍ୟକ୍ତିଙ୍କ ସହ ସମ୍ମାନଜନକ ବ୍ୟବହାର କରିବା ପ୍ରଶାସନର ନୈତିକ ଦାୟିତ୍ଵ । ତେଣୁ ପ୍ରଶାସନ ନିଜ ଭୁଲକୁ ସ୍ଵୀକାର କରୁ ଓ ଜିଲ୍ଲାପାଳ ଭୁଲ ମାଗନ୍ତୁ ନଚେତ ଆଗକୁ ଆନ୍ଦୋଳନ ତୀବ୍ରହେବ ବୋଲି ଚେତାବନୀ ଦେଇଥିଲା ସଙ୍ଘ । ଏହା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ଏବଂ ଦୋଷୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ । ଏଥିସହ ଆଗାମୀ ଦିନରେ ଏପରି ଘଟଣାର ଯେମିତି ପୁନରାବୃଦ୍ଧି ନହୁଏ, ସେଥିପାଇଁ ପ୍ରଶାସନ ନିଜ ଆଚରଣ ଓ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ପରିବର୍ତ୍ତନ ଆଣୁ ବୋଲି ଦାବି କରାଯାଇଥିଲା ।
ସୌଜନ୍ୟ Prameya News7

