2 Prescriptions: ମନମୁଣ୍ଡା ଡାକ୍ତରଖାନାରେ ରୋଗୀଙ୍କ ପାଇଁ ୨ଟି ପ୍ରେସକ୍ରିପସନ: ଗୋଟିଏ ନିରାମୟ, ଅନ୍ୟଟି ଔଷଧ ଦୋକାନ ପାଇଁ

କଣ୍ଟାମାଳ: ବୌଦ୍ଧଜିଲ୍ଲା ମନମୁଣ୍ଡା ଡାକ୍ତରଖାନାରେ ଏକ ଅଜବ ବ୍ୟବସ୍ଥା ଚାଲିଥିବା ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ୨ଟି ପ୍ରେସକ୍ରିପସନର ବ୍ୟବସ୍ଥା କରାଯାଇଛି। ଗୋଟିଏ ପ୍ରେସକ୍ରିପସନରେ ଡାକ୍ତରଖାନାର ନିରାମୟରୁ ମାଗଣା ଔଷଧ ପାଇଁ ଓ ଅନ୍ୟଟି ବାହାର ଔଷଧ ଦୋକାନରୁ ଆଣିବା ପାଇଁ ଡାକ୍ତର କହୁଥିବା ଅଭିଯୋଗ ହୋଉଛି। ସରକାର ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ପାଇଁ ମାଗଣା ଔଷଧର ବ୍ୟବସ୍ଥା କରିଥିବା ବେଳେ ମନମୁଣ୍ଡା ଡାକ୍ତରଖାନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ଲମ୍ବସରି ପଞ୍ଚାୟତ ଚନ୍ଦନିଆମୁଣ୍ଡା ଗ୍ରାମର ସ୍ୱାଧୀନ ଭୋଇ(୩୭) ବାଇକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ଆସିଥିଲେ। ଡାକ୍ତର ଅଙ୍କିତ ପ୍ରଧାନ ତାଙ୍କୁ ଚିକିତ୍ସା କରିବା ପରେ ଦୁଇଟି ପ୍ରେସକ୍ରିପସନ ଦେଇଥିଲେ।
ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ
ଗୋଟିଏ ନିରାମୟରୁ ଓ ଅନ୍ୟଟି ବାହାର ଔଷଧ ଦୋକାନରୁ ଆଣିବା ପାଇଁ କହିଥିଲେ। ସେହିପରି ବିଚିକା ଗ୍ରାମର ଦେବାଂଶୀ ସାହୁ(୧୩) ଜ୍ୱରରେ ପୀଡ଼ିତ ହୋଇ ମନମୁଣ୍ଡା ଡାକ୍ତରଖାନାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଏଭଳି ୨ଟି ପ୍ରେସକ୍ରିପସନ ଦେଇଥିଲେ। ସରକାର ଡାକ୍ତରଖାନା ଗୁଡିକରେ ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଥିବା କହୁଥିବା ବେଳେ ମନମୁଣ୍ଡା ଡାକ୍ତରଖାନାରେ ଦୁର୍ଘଟଣା ଓ ଜ୍ୱର ଭଳି ସାଧାରଣ ଔଷଧ ମହଜୁଦ ନ ଥିବାର ଆଳ ଦେଖାଇ ଔଷଧ ଦୋକାନରୁ ଆଣିବାକୁ ଡାକ୍ତର କହୁଥିବା ଯୋଗୁଁ ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଡାକ୍ତର ଅଙ୍କିତ ପ୍ରଧାନଙ୍କୁ ପଚାରିବାରୁ ନିରାମୟରେ ଥିବା ଔଷଧ ପାଇଁ ଗୋଟାଏ ଓ ଯେଉଁ ଔଷଧ ନିରମୟରେ ନାହିଁ ବାହାରୁ କିଣିବା ପାଇଁ ଦୁଇଟି ପ୍ରେସକ୍ରିପସନ ଦେଇଥିବା କହିଥିଲେ। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ସାହୁଙ୍କୁ ପଚାରିବାରୁ ରୋଗୀଙ୍କୁ ଡାକ୍ତର କେବଳ ଗୋଟିଏ ପ୍ରେସକ୍ରିପସନ ଦେବେ, ନିରାମୟରେ ଔଷଧ ନ ମିଳିଲେ ସଂପୃକ୍ତ କର୍ମଚାରୀ ବାହାର ଔଷଧ ଦୋକାନରୁ ଆଣିବାକୁ କହିପାରିବେ ବୋଲି କହିଥିଲେ ଏଵଂ ଉକ୍ତ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହି ଘଟଣା ଲୋକ ଲୋଚନକୁ ଆସିଲା ପରେ ଡାକ୍ତର ଓ ଔଷଧ ଦୋକାନୀଙ୍କ ଭିତିରି ବୁଝାମଣା ଥିବା ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
ସୌଜନ୍ୟ ସମ୍ବାଦ




