ରାଜ୍ୟ

‘Arnab’: ‘ଅର୍ଣ୍ଣବ’ ଆନ୍ଧ୍ରରେ ପଶିଲା, ଓଡ଼ିଶାରେ ଢାଳିଲା

ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଦୁର୍ବଳ ହେବାରେ ଲାଗିଛି। ସ୍ଥଳଭାଗ ଛୁଇଁବାର ୬ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ୧୨ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହୋଇଛି। ରାତି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇ ଘଣ୍ଟାପ୍ରତି ୭ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।

ଭୁବନେଶ୍ବର: ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଦୁର୍ବଳ ହେବାରେ ଲାଗିଛି। ସ୍ଥଳଭାଗ ଛୁଇଁବାର ୬ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ୧୨ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହୋଇଛି। ରାତି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇ ଘଣ୍ଟାପ୍ରତି ୭ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଜି ଭୋର ସମୟରେ ସ୍ଥଳଭାଗ ଛୁଇଁବା ସମୟରେ ଝଟକା ପବନର ବେଗ ୧୫୦ କିମି ରହିଥିଲା। ମାଡ଼ ହେବା ପରେ ଦୁର୍ବଳ ହୋଇଥିଲେ ମଧ୍ୟ ପବନର ବେଗ ହଠାତ୍‌ କମି ନ ଥିଲା, ବରଂ ସନ୍ଧ୍ୟା ପର୍ଯ୍ୟନ୍ତ କୋପ ଲାଗି ରହିଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ବଳୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିମି ଓ ଝଟକା ପବନ ୧୦୦ କିମି ରହିଥିଲା।

ଓଡ଼ିଶା ସଂଲଗ୍ନ ଛତିଶଗଡ଼ ଦେଇ ଆଗକୁ ବଢ଼ୁଥିବା ଗଭୀର ଅବପାତ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ପବନ ଲାଗିରହିବ। ଗୁରୁବାର ସକାଳ ସୁଦ୍ଧା ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୬୦ରୁ ୯୦ କିମି ରହିବାର ସମ୍ଭାବନା ରହିଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋରଧା ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୮୦ କିମି ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ପ୍ରଭାବ ରହିବ। ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାଲେଶ୍ବର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ପବନ ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୩୦ ଓ ୩୧ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ତେବେ ପରବର୍ତ୍ତୀ ଦୁଇ ଦିନରେ ପୁରୀ, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସମୁଦ୍ର ଅଶାନ୍ତ ରହିଥିବାରୁ ୨୯ ତାରିଖ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ବାରଣ ହୋଇଛି।

ଗଭୀର ଅବପାତରେ ପରିଣତ ହେଲା
ଗଜପତି, କୋରାପୁଟରେ ସର୍ବାଧିକ ବର୍ଷା
ଓଡ଼ିଶାରେ ଝଟକା ପବନ ୮୦ କିମି ଛୁଇଁଲା
ଆଜି ପାଇଁ ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶରେ ସବୁଠାରୁ ଅଧିକ କ୍ଷତି କରିଛି। ତେବେ ଓଡ଼ିଶାରେ ବର୍ଷାପବନର ପ୍ରଭାବ ରହିଥିଲା। ଗତକାଲି ସକାଳଠାରୁ ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ରାଜ୍ୟରେ ହାରାହାରି ୨୩.୯ ମିମି ବର୍ଷା ହୋଇଛି। ୧୪ଟି ବ୍ଲକ୍ ଓ ୩ଟି ସହରାଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ଗଜପତିଜିଲ୍ଲା ମହେନ୍ଦ୍ରଗଡ଼‌ରେ ୨୪୯.୯ ମିମି ବର୍ଷା ହୋଇଥିବା ବେଳେ କୋରାପୁଟ ଜିଲ୍ଲା ପଟାଙ୍ଗିରେ ୧୮୮, ଗଜପତି ଜିଲ୍ଲା ମୋହନାରେ ୧୮୨.୪, ଗଞ୍ଜାମ ବ୍ଲକ୍‌ରେ ୧୬୧.୪, ଛତ୍ରପୁରରେ ୧୫୪.୬, ସେମିଳିଗୁଡ଼ାରେ ୧୪୩.୧ ମିମି ବର୍ଷା ‌ହୋଇଥିଲା। ଜିଲ୍ଲାଗୁଡ଼ିକରେ ହାରାହାରି ବର୍ଷା ମଧ୍ୟରେ ଗଜପତିରେ ୧୨୧.୨ ମିମି, ଗଞ୍ଜାମରେ ୮୩.୧ ମିମି, କୋରାପୁଟରେ ୬୧ ମିମି ଓ ପୁରୀରେ ୫୪.୨ ମିମି ବର୍ଷା ହୋଇଥିଲା। ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୧୩୯୬ ମିମି, ଭଦ୍ରକରେ ୧୦୮.୭, ବୌଦ୍ଧରେ ୫୮, ଅନୁଗୋଳରେ ୫୧, ଗୋପାଳପୁରରେ ୪୮, ଫୁଲବାଣୀରେ ୪୬, ବଲାଙ୍ଗୀରରେ ୪୫, ବାଲେଶ୍ବରରେ ୪୨.୬ ମିମି ବର୍ଷା ରେକର୍ଡ କରାଯାଇଛି। ଅଧିକାଂଶ ସ୍ଥାନରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୬୦ କିମି ରହିଥିଲା। ସ୍ଥାନେ ସ୍ଥାନେ ଝଟକା ପବନ ୮୦ କିମି ଛୁଇଁଥିବା ନେଇ ପାଣିପାଗ ବିଭାଗ କହିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button