ମସ୍କାଟିନ୍ (ଆଇଓ୍ବା): ଆମେରିକାର ଆଇଓ୍ବା ରାଜ୍ୟ ଅନ୍ତର୍ଗତ ମସ୍କାଟିନ୍ ସହରରେ ଅତି ହୃଦୟବିଦାରକ ଗୁଳିକାଣ୍ଡ ଘଟିଛି, ଯେଉଁଠାରେ ଜଣେ ସଶସ୍ତ୍ର ବ୍ୟକ୍ତି ନିଜ ପରିବାରର ୬ ଜଣ ସଦସ୍ୟଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଜୀବନ ମଧ୍ୟ ହାରିଛନ୍ତି। ମସ୍କାଟିନ୍ ପୋଲିସଅନୁଯାୟୀ, ଗତ ସୋମବାର ମଧ୍ୟାହ୍ନ ସମୟରେ ଗୁଳିଫୁଟିବା ନେଇ ପ୍ରଥମ ଖବର ମିଳିବା ମାତ୍ରେ ପୋଲିସ ଅଧିକାରୀମାନେ ଏକ ଆବାସିକ ଗୃହରେ ପହଞ୍ଚି ସେଠାରୁ ୪ ଜଣଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ସାମୂହିକ ଗୁଳିକାଣ୍ଡ ଏକ ପାରିବାରିକ ବିବାଦ ବା କଳହରୁ ସୂତ୍ରପାତ ହୋଇଥିଲା, କିନ୍ତୁ ଏହି ରକ୍ତପାତ ପଛର ପ୍ରକୃତ କାରଣ କଣ ଥିଲା ସେ ସମ୍ପର୍କରେ ପୋଲିସ ସ୍ପଷ୍ଟ ଭାବେ କିଛି ପ୍ରକାଶ କରିନାହିଁ।
ପୋଲିସ ଅଧିକାରୀମାନେ ଏକ ଆବାସିକ ଗୃହରେ ପହଞ୍ଚି ସେଠାରୁ ୪ ଜଣଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର
ପୋଲିସ ପହଞ୍ଚିବା ପୂର୍ବରୁ ହିଁ ହତ୍ୟାକାରୀ ଜଣକ ଘଟଣାସ୍ଥଳରୁ ଫରାର୍ ହୋଇଯାଇଥିଲା, ମାତ୍ର ସେନା ଓ ପୋଲିସ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ ତାକୁ ମସ୍କାଟିନର ୫୨ ବର୍ଷୀୟ ବାସିନ୍ଦା ରାଇନ୍ ୱିଲିସ୍ ମ୍ୟାକଫାରଲ୍ୟାଣ୍ଡ ବୋଲି ଚିହ୍ନଟ କରାଯାଇଥିଲା। ପୋଲିସ ମୁଖ୍ୟ ଆନ୍ଥୋନୀ କିଏସ୍ ଏକ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତକୁ ସହରର ନଦୀକୂଳରେ ଥିବା ଏକ ପଦଚାରୀ ବ୍ରିଜ୍ ନିକଟରୁ ଠାବ କରାଯାଇଥିଲା। ପୋଲିସ ଅଧିକାରୀମାନେ ତା’ ସହ ଆଲୋଚନା କରି ଆତ୍ମସମର୍ପଣ କରିବାକୁ କହୁଥିବା ସମୟରେ ହିଁ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲା। ଏହାପରେ ଘଟଣାରେ ଅଧିକ ପୀଡ଼ିତ ଥାଇପାରନ୍ତି ବୋଲି ଆଶଙ୍କା କରି ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ନିକଟସ୍ଥ ଅନ୍ୟ ଏକ ଘରୁ ଏବଂ ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ଆଉ ଦୁଇଜଣ ପୁରୁଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଯାହାଙ୍କୁ ମ୍ୟାକଫାରଲ୍ୟାଣ୍ଡ ହିଁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ସୌଜନ୍ୟ ସମ୍ବାଦ

