କିବ୍: ରୁଷ୍ ଗତ ରାତିରେ କିବ୍ ଓ ୟୁକ୍ରେନର ଅନ୍ୟାନ୍ୟ ସହର ଉପରେ ଶହ ଶହ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି, ଯେଉଁଥିରେ ଅତି କମ୍ରେ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଆପାର୍ଟମେଣ୍ଟ କୋଠାର ଭଗ୍ନାବଶେଷ ତଳେ କିଛି ଲୋକ ଫସି ରହିଥିଲେ, ଯେଉଁଥିରେ ଏକ ୩ ବର୍ଷର ଶିଶୁ, ଜଣେ ମାଆ ଓ ତାଙ୍କ ୮ ବର୍ଷ ପୁଅର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଆକ୍ରମଣ ଗତରାତିରୁ ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ଚାଲିଥିଲା ।
ରୁଷ୍ ଏକ ବଡ଼ ଧରଣର ବିମାନ ଆକ୍ରମଣ ହେବାକୁ ଯାଉଛି ବୋଲି ଚେତାବନୀ ଦେବା ଏବଂ ବିଦେଶୀ କୂଟନୀତିଜ୍ଞମାନଙ୍କୁ ୟୁକ୍ରେନର ରାଜଧାନୀ ଛାଡିବାକୁ କହିବା ପରେ କିବ୍ ବାସିନ୍ଦା କିଛି ଦିନ ଧରି ଆତଙ୍କରେ ଥିଲେ। ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି ଯେ ଏହାର ଜବାବରେ ପାଲଟା ଆକ୍ରମଣ କରାଯିବ। ୟୁକ୍ରେନର ଆମେରିକା ନିର୍ମିତ ପାଟ୍ରିଅଟ୍ ଏୟାର୍ ଡିଫେନ୍ସ କ୍ଷେପଣାସ୍ତ୍ରର ଅଭାବର ଲାଭ ଉଠାଇବାକୁ ଚେଷ୍ଟା କରୁଛି ରୁଷ୍, କାରଣ ଇରାନ ଯୁଦ୍ଧ ଦ୍ୱାରା ପାଟ୍ରିଅଟ୍ର ଅନ୍ତର୍ଜାତୀୟ ଷ୍ଟକ୍ ହ୍ରାସ ପାଇଛି। ଏହା ସାଧାରଣ ନାଗରିକଙ୍କୁ ରୁଷ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପାଇଁ ବିଶେଷ ଭାବରେ ଅସୁରକ୍ଷିତ କରିଛି।
ସୌଜନ୍ୟ ସମ୍ବାଦ

