Maharashtra: ଏୟାର ଇଣ୍ଡିଆ କୋଠା ୧୬୦୦ କୋଟିରେ ବିକ୍ରି; କିଣିଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ଦକ୍ଷିଣ ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ କୋଠାକୁ ୧୬୦୧ କୋଟି ଟଙ୍କାରେ ମହାରାଷ୍ଟ୍ର ସରକାର କିଣିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ ଉପସ୍ଥିତିରେ ଏହି କାରବାର ହୋଇଛି। ନରିମାନ ପଏଣ୍ଟ୍ର ୨୩ ମହଲା ବିଶିଷ୍ଟ ସମୁଦ୍ର ଆଡ଼କୁ ମୁହଁ କରିଥିବା ଏହି କୋଠାକୁ ୧୯୭୪ରେ ନିର୍ମାଣ କରାଯାଇଥିଲା
ସେହି ସମୟରେ ତାହା ମୁମ୍ବାଇର ଏକ ପ୍ରମୁଖ ଆକର୍ଷଣ ଥିଲା। ବିଶେଷ କରି ଏସ୍କାଲେଟର୍ରେ ଚଢ଼ିବା ଅନୁଭୂତି ହାସଲ କରିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିଲା। ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍ ଅଧିଗ୍ରହଣ କରିବା ପରେ କମ୍ପାନି ପାଖରେ ଥିବା ଅନ୍ୟାନ୍ୟ ସମ୍ପତ୍ତିକୁ ଏୟାର ଇଣ୍ଡିଆ ଆସେଟ୍ ହୋଲ୍ଡିଂସ୍ ଲିମିଟେଡ୍କୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ସଂସ୍ଥାଠାରୁ ଏହି କୋଠାକୁ କିଣିବା ପାଇଁ ୨୦୨୧ରୁ ମହାରାଷ୍ଟ୍ର ସରକାର କଥାବାର୍ତ୍ତା ଆରମ୍ଭ କରିଥିଲେ। ୨୦୨୩ ନଭେମ୍ବରରେ ସେହି ପ୍ରସ୍ତାବକୁ ମହାରାଷ୍ଟ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ୨୦୨୪ ମାର୍ଚ୍ଚରେ କେନ୍ଦ୍ର ସରକାର ଚୂଡ଼ାନ୍ତ ମଞ୍ଜୁରି ପ୍ରଦାନ କରିଥିଲେ। ସ୍ଥାନ ସଙ୍କଟ ଦେଇ ଗତି କରୁଥିବା ମହାରାଷ୍ଟ୍ର ସରକାରଙ୍କ ପାଇଁ ଏହି କୋଠା ବେଶ୍ ଗୁରୁତ୍ବପୂର୍ଣ୍ଣ। ଆଗାମୀ ଦିନରେ ମହାରାଷ୍ଟ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏହି କୋଠାକୁ ସ୍ଥାନାନ୍ତର ହେବ। ତା ପୂର୍ବରୁ କୋଠାର ସୁରକ୍ଷା ଅଡିଟ୍ କରିବା ଓ ଆବଶ୍ୟକ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଠାର ମୁଖ୍ୟ ଫାଟକକୁ ମହାରାଷ୍ଟ୍ର ସରକାର ବଦଳାଇବେ। ସେଥିରେ ମହାରାଷ୍ଟ୍ରର ସଂସ୍କୃତି, ଐତିହ୍ୟର ଛାପ ଦେଖିବାକୁ ମିଳିବ।
ସୌଜନ୍ୟ ସମ୍ବାଦ




