ମହାନଗରରାଜ୍ୟ

NHRC’: ତୃତୀୟ ଦିନ ୧୨ ଜଣଙ୍କୁ ଏନ୍‌ଏଚ୍‌ଆର୍‌ସିର ମାରାଥନ୍‌ ଜେରା

ଭୁବନେଶ୍ବର: ବାଲିଅନ୍ତାରେ ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପୁଲିସ ସାମ୍ନାରେ ପିଟିପିଟି ହତ୍ୟା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି) ତଦନ୍ତକାରୀ ଟିମ୍‌ ଆଜି ତୃତୀୟ ଦିନରେ ୧୨ ଜଣଙ୍କୁ ସକାଳୁ ରାତିଯାଏ ଝାଳବୁହା ଜେରା କରିଛି। ଆଜି ପୀଡ଼ିତା ଯୁବତୀଙ୍କ ଠାରୁ ଆରମ୍ଭ କରି ଡାକ୍ତରୀ ଟିମ୍‌, ଆମ୍ବୁଲାନ୍ସ ଚାଳକ, ସୌମ୍ୟଙ୍କ ସାଙ୍ଗ ଓମ୍‌ ପ୍ରକାଶ ରାଉତ, ବାଲିଅନ୍ତା ଥାନା ପୂର୍ବତନ ଆଇଆଇସିଙ୍କୁ ମିଶାଇ ୧୨ଜଣଙ୍କୁ ମାରାଥନ୍‌ ଜେରା କରିଛି। ଏ ସମସ୍ତଙ୍କ ବୟାନ ରେକର୍ଡ଼ କରାଯାଇଛି।

ଆଜି ସକାଳ ୯ଟାରେ ଘଟଣାଦିନ ସ୍କୁଟି ଦୁର୍ଘଟଣା ପରେ ଦୁର୍ବ୍ୟବହାର ସାମ୍ନା କରିଥିବା ପୀଡ଼ିତା ଓ ତାଙ୍କ ସାଙ୍ଗ ଅତିଥି ଭବନରେ ଟିମ୍‌ ଆଗରେ ହାଜର ହୋଇଥିଲେ। ଉଭୟଙ୍କୁ ଏନ୍‌ଏଚ୍‌ଆର୍‌ସି ଟିମ୍‌ କିଏ ତାଙ୍କ ସ୍କୁଟିକୁ ଧକ୍କା ଦେଲା, ସୌମ୍ୟ ଆକ୍ରମଣ ଓ ଦୁର୍ବ୍ୟବହାର କରିଥିଲେ କି, ସେତେବେଳେ ଓମ୍‌ ସୌମ୍ୟଙ୍କୁ ଆକଟ କରିଥିଲେ କି, ପୂର୍ବରୁ ସେମାନେ ଏହି ଦୁହିଁଙ୍କୁ ଜାଣିଥିଲେ କି, ଏମିତି ଦୁଇ ଯୁବତୀଙ୍କୁ ପ୍ରାୟ ଘଣ୍ଟାଏ ଜେରା କରିଥିଲେ। ପରେ ଆମ୍ବୁଲାନ୍ସ ଚାଳକ, ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ କରିଥିବା କ୍ୟାପିଟାଲ୍‌ ହସ୍ପିଟାଲ୍‌ ଡାକ୍ତରୀ ଟିମ୍‌, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରୀ ଟିମ୍‌, ହାଇଟେକ୍‌ର ଡାକ୍ତରୀ ଟିମ୍‌, ଏସ୍‌ଏଫ୍‌ଏସ୍‌ଏଲ୍‌ର ବିଶେଷଜ୍ଞଙ୍କୁ ଜେରା କରାଯାଇଥିଲା। କେତେବେଳେ ଆମ୍ବୁଲାନ୍ସ ଆସିଥିଲା, ହାଇଟେକ୍‌ ହସ୍ପିଟାଲ୍‌ଠାରୁ ବାଳକାଟି ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସୌମ୍ୟଙ୍କୁ ଆଣିବା ବେଳେ କେଉଁମାନେ ସାଙ୍ଗରେ ଥିଲେ, କେଉଁ ସମୟରେ କେଉଁ ହସ୍ପିଟାଲ୍‌କୁ ପଠାଯାଇଥିଲା, ପୁଲିସର ଉପସ୍ଥିତି, ସବୁ ଟିକିନିଖି ପଚାରି ଲପିବଦ୍ଧ କରିଥିଲେ।

ଏହାପରେ ପୁଣି ପୂର୍ବତନ ପୂର୍ବତନ ଥାନା ଅଧିକାରୀ ଅନୀଲ ପରିଡ଼ାଙ୍କ ସମେତ ଘଟଣା ଦିନ ଉପସ୍ଥିତ ଥିବା ଏସ୍‌ଆଇ, ଏଏସ୍‌ଆଇ ଏବଂ କନଷ୍ଟେବଳଙ୍କୁ ମିଶାଇ ୧୨ଜଣଙ୍କୁ ଅତିଥି ଭବନକୁ ଡକାଇ ମାରାଥନ୍‌ ଜେରା କରିଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ହାଜର ହୋଇଥିବା ଓମ୍‌ଙ୍କୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ୩ଘଣ୍ଟା ଜେରା କରାଯାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସେ କିଳଭି ନିଜେ ବର୍ତ୍ତିଲେ, କେଉଁ ପରିସ୍ଥିତିରେ ସୌମ୍ୟଙ୍କୁ ବଞ୍ଚାଇପାରିଲେନି, ଓମ୍‌ଙ୍କ ସାଙ୍ଗମାନେ ସୌମ୍ୟଙ୍କୁ ଆକ୍ରମଣ କରିଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ଅଭିଯୋଗ ଆଣି ଗିରଫ କରିଥିବା ଏବଂ ଏହା ପଛରେ ଓମ୍‌ଙ୍କ ଭୂମିକା କ’ଣ, ଏନ୍‌ଏଚ୍‌ଆର୍‌ସି ଟିମ୍‌ ଏମିତି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ। ଏହାଛଡ଼ା ସୌମ୍ୟଙ୍କର ଜିମ୍‌ ସହ‌ଯୋଗୀ ଓ ଅନ୍ୟ କିଛି ସାଙ୍ଗଙ୍କୁ ମଧ୍ୟ ଟିମ୍‌ ଆଜି ପଚରାଉଚରା କରିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନ୍ଏଚ୍‌ଆର୍‌ସି ଟିମ୍‌ ଜେରା କରିଥିବା ବେଳେ ଗୁରୁବାର ବଡ଼ବଡ଼ିଆଙ୍କ ପାଳି ପଡ଼ିବ ବୋଲି କୁହାଯାଉଛି।

 

 

 

ସୌଜନ୍ୟ ସମ୍ବାଦ

 

Show More
Back to top button