Ganja: ଓଡ଼ିଶାରୁ ଖସିଗଲେ, ଛତିଶଗଡରେ ଧରାପଡ଼ିଲେ: ଗଞ୍ଜେଇ ଚୋରା ଚାଲାଣବେଳେ ଦୁଇ ଓଡ଼ିଆ ଯୁବକଙ୍କୁ ଧରିଲା ପଡୋଶୀ ରାଜ୍ୟ ପୁଲିସ

ଚନ୍ଦାହାଣ୍ଡି(ମହମ୍ମଦ ହୁସେନ): ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ମୋହରା ଗ୍ରାମର ଦୁଇ ଯୁବକ ନିଜ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଛତିଶଗଡ଼ ରାଜ୍ୟ ଅମଲିପଦର ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ମୋହରା ଗ୍ରାମର ହୀରାଲାଲ କୈବର୍ତ୍ତ (୪୦) ଏବଂ ଟିକମ ଟୋଲଟିଆ (୩୫) ନିଜ ବାଇକ ସିଜି ୦୪ ଏଲୟୁ ୨୫୫୦ରେ ଦୁଇଟି ବ୍ୟାଗରେ ୧୫ କିଲୋଗ୍ରାମ ଗଞ୍ଜେଇ ନେଇ ଛତିଶଗଡ଼ ରାଜଧାନୀ ରାୟପୁର ଅଭିମୁଖେ ଯାଉଥିବା ସମୟରେ ଅମଲିପଦରଠାରେ ଛତିଶଗଡ ପୁଲିସର ଯାଞ୍ଚ ସମୟରେ ଧରାପଡିଥିଲେ । ଅମଲିପଦର ଥାନାରେ ହୀରାଲାଲ କୈବର୍ତ୍ତ ଓ ଟିକମ ଟୋଲଟିଆଙ୍କ ନାମରେ ଏନଡିପିଏସ ମାମଲା ରୁଜୁ କରିବା ସହ ଗଞ୍ଜେଇ ବୋଝେଇ ବାଇକକୁ ଜବତ କରିବା ସହ ତଦନ୍ତ ଜାରି ରହିଛି।

ତେବେ ଚନ୍ଦାହାଣ୍ଡି ପୋଲିସ ଖବର ପ୍ରକାଶ ପାଇବା ପରେ ହାତକୁ ହାତ ବାନ୍ଧି ବସିଥିବାବେଳେ ସୀମାନ୍ତରେ ଏହି ଅନୈତିକ ଗଞ୍ଜେଇ କାରବାର ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି । ଚନ୍ଦାହାଣ୍ଡିରୁ ବହୁ ନାମିଦାମୀ ଯୁବକ ଏହି କାରବାରରେ ଲିପ୍ତ ଥିବାବେଳେ ପୁଲିସର ନିଷ୍କ୍ରିୟତା ପରୋକ୍ଷରେ ଗଞ୍ଜେଇ ବ୍ୟବସାୟୀଙ୍କୁ ସୁହାଉଥିବା ଭଳି ମନେ ହେଉଛି । ଜବତ ଗଞ୍ଜେଇର ମୂଲ୍ୟ ୯ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି |

 

 

 

ସୌଜନ୍ୟ ସମ୍ବାଦ