ବ୍ରହ୍ମପୁର/କବିସୂର୍ଯ୍ୟନଗର/ପୁରୁଷୋତ୍ତମପୁର: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ଏଚ୍ଆର୍ପିସି ପକ୍ଷରୁ ଦ୍ବିତୀୟ ଦିନରେ ତଦନ୍ତ ଜାରି ରହିଛି। ପୁରୁଷୋତ୍ତମପୁର ସହର ତାରାତାରିଣୀ ପୀଠ ନିକଟ ଦିଗନ୍ତ ଡାକବଙ୍ଗଳାରେ ଆଜି ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୃତ ସୁଶାନ୍ତଙ୍କ ପରିବାରବର୍ଗଙ୍କୁ ପଚରାଉଚରା କରାଯାଇଛି।
ଆଜି ସକାଳ ୧୦ଟାରେ ପୁଲିସ ଗାଡ଼ିରେ ମୃତ ସୁଶାନ୍ତଙ୍କ ପରିବାର ଉକ୍ତ ଡାକବଙ୍ଗଳାକୁ ଯାଇଥିଲେ। ସେଠାରେ ଏଚ୍ଆର୍ପିସି ଟିମ୍ ମୁଖ୍ୟ ଡିଏସ୍ପି ଅନ୍ନପୂର୍ଣ୍ଣା ବେହେରାଙ୍କ ସହ ୪ଜଣିଆ ଟିମ୍ ସେମାନଙ୍କୁ ଜେରା କରିଥିଲେ। ପ୍ରଥମେ ମୃତକଙ୍କ ଭାଇ ଶ୍ରୀକାନ୍ତ ସାହୁ ସମସ୍ତ ତଥ୍ୟ ରଖିଥିଲେ। ପରେ ବାପା ଖଦାଳ ସାହୁ, ପତ୍ନୀ ମାମାଜିନ ଓ ଅନ୍ୟମାନେ ଜଣକ ପରେ ଜଣେ ତଦନ୍ତକାରୀ ଦଳ ସାମନାରେ ଘଟଣା ବାବଦରେ କହିଥିଲେ। ସମସ୍ତଙ୍କ ବୟାନର ଭିଡିଓଗ୍ରାଫି କରାଯାଇଛି। ମେ’ ୨୫ରେ ସୁଶାନ୍ତଙ୍କୁ ତତ୍କାଳୀନ ବାଲିଛାଇ ଫାଣ୍ଡି ଅଧିକାରୀ ଏଏସ୍ଆଇ ବୈକୁଣ୍ଠ ଜେନା ନେବାଠାରୁ ୩୧ ତାରିଖ ରାତିରେ ପରିବାର ଲୋକେ ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଥାନାରୁ ଆଣିବା ଏବଂ ଏମ୍କେସିଜିରେ ମୃତ୍ୟୁ ହେବା ପର୍ଯ୍ୟନ୍ତ ସବୁ ପ୍ରସଙ୍ଗ ତଦନ୍ତକାରୀ ଟିମ୍ ଟିପି ରଖିଥିଲେ। ଅନ୍ୟପଟେ, ମୃତକଙ୍କ ପରିବାରକୁ ପୁଲିସ ବୟାନ ବଦଳାଇବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଭାଇ ଶ୍ରୀକାନ୍ତ କହିଛନ୍ତି, ଥାନାରେ ନୁହେଁ ମେଡିକାଲ୍ରେ ଭାଇଙ୍କ ଦେହ ଖରାପ ହୋଇଛି ବୋଲି କହିବାକୁ ଏମ୍କେସିଜି ଫାଣ୍ଡି ଅଧିକାରୀ ଟୁଲୁ ଜେନା ବାରମ୍ବାର ଚାପ ପକାଉଛନ୍ତି।
ମହିଳାଙ୍କୁ ଦୁର୍ବ୍ୟବହାର ସମୟର ଭିଡିଓ ରେକର୍ଡ କରିଥିଲେ ସୁଶାନ୍ତ
୨୬ କର୍ମଚାରୀଙ୍କୁ ବଦଳି
ଏଚ୍ଆରପିସିରେ ତଥ୍ୟ ରଖିଲେ ପରିବାର
ଇତିମଧ୍ୟରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି। ଗତ ୨୦ ତାରିଖରେ ଆଇପିଏସ୍ ନିତେଶ ମିଶ୍ରା ଭାଟଖାଲି ପାହାଡ଼ରେ ଚଢ଼ଉ କରିଥିଲେ। ଏହି ସମୟରେ ୟୁନିଫର୍ମରେ ନଥିବା ହୋମଗାର୍ଡ କୃଷ୍ଣଚନ୍ଦ୍ର ପ୍ରଧାନ ସେଠାରେ ଉପସ୍ଥିତ ଥିବା ପ୍ରତିମା ସାହୁଙ୍କୁ ଟଣାଓଟରା କରିଥିଲେ। ପ୍ରତିମାଙ୍କ ପୁତୁରା ସୁଶାନ୍ତ ନିଜ ମୋବାଇଲ୍ରେ ଏହାକୁ ରେକର୍ଡ କରୁଥିବା ବେଳେ ଶ୍ରୀ ମିଶ୍ରା ଦେଖି ଦେଇଥିଲେ। କୌଶଳକ୍ରମେ ସୁଶାନ୍ତ ଘଟଣାସ୍ଥଳରୁ ଖସି ଆସିଥିଲେ ବି ଏହା ପ୍ରଘଟ ହେବା ଆଶଙ୍କାରେ ସୁଶାନ୍ତଙ୍କୁ ପୁଲିସ ଉଠାଇ ନେଇଥିବା ସନ୍ଦେହ କରାଯାଉଛି। ଆଜି ଏଚ୍ଆର୍ପିସି ଟିମ୍କୁ ଏନେଇ ମୃତକଙ୍କ ଭାଇ ଅବଗତ କରାଇଛନ୍ତି। ଏଥିସହ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ କବିସୂର୍ଯ୍ୟନଗର ଥାନା, କବିସୂର୍ଯ୍ୟନଗର ଡାକ୍ତରଖାନା, ଆସିକା ଡାକ୍ତରଖାନା ଓ ଏମ୍କେସିଜି ଡାକ୍ତରଖାନାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ମୃତକଙ୍କ ପରିବାର ଦାବି କରିଛନ୍ତି।
ଅନ୍ୟପକ୍ଷରେ ଦକ୍ଷିଣାଞ୍ଚଳ ଆଇଜି ନିତିଶେଖରଙ୍କ ନିର୍ଦ୍ଦେଶାନୁସାରେ ଆଜି କବିସୂର୍ଯ୍ୟନଗର ଥାନା ଓ ବାଲିଛାଇ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ବଦଳି କରିଦିଆଯାଇଛି। ମୋଟ ୨୬ ଜଣ କର୍ମଚାରୀଙ୍କୁ ଅନ୍ୟ ଉପଖଣ୍ଡକୁ ବଦଳି ହୋଇଛି। ଏଥିମଧ୍ୟରୁ ୨ଜଣ ଏସ୍ଆଇ ଓ ୩ ଏଏସ୍ଆଇଙ୍କ ସମେତ ୨୫ ଜଣଙ୍କୁ ଉପଖଣ୍ଡରୁ ବଦଳି କରାଯାଇଥିବା ବେଳେ ଏପିଆର୍ ଜ୍ୟୋତ୍ସ୍ନା ପଣ୍ଡାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି।
ସୌଜନ୍ୟ ସମ୍ବାଦ

