କେନ୍ଦ୍ରାପଡା: ନିଜ ପରିବାର ପ୍ରତିପୋଷଣ କରିବା ସହିତ ପରିବାର ମୁହଁରେ ହସ ଫୁଟାଇବା ଲାଗି ଦାଦନ ଖଟିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ରାଜକନିକା ଓ ଆଳି ବ୍ଲକର ଚାରି ଓଡ଼ିଆ ଶ୍ରମିକ l ଚାରି ମାସ ହେବ ମିଳୁନି ଟଙ୍କା, ଭୋକ ଉପାସରେ କଟୁଛି ଶ୍ରମିକଙ୍କ ଜୀବନ | ପାଖରେ ନାହିଁ ପାସପୋର୍ଟ, କାମକୁ ନ ଗଲେ ପୋଲିସରେ ଧରାଇ ଦେବା ସହ ହତ୍ୟା ଧମକ ଦେଉଛି କମ୍ପାନୀର ମାଲିକ | କିଛି ଏଭଳି ଅଭିଯୋଗ କରି ଘରକୁ ଫେରିବାକୁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ଚାରି ଓଡ଼ିଆ ଶ୍ରମିକ l
ସୂଚନା ଅନୁସାରେ ରାଜକନିକା ବ୍ଲକର ଗୋବlଙ୍ଗ ଗାଁର କ୍ଷୀରୋଦ ଦାସ, ପୋଇଝlରିଆ ଗାଁର ମନୋଜ ମଲିକ, ନହୁଣୀ ଗାଁର କୈଳାଶ ସେଠୀ, ଆଳି ବ୍ଲକର ପଦନୀପାଳ ଗାଁର ନିତ୍ୟାନନ୍ଦ ମଲ୍ଲିକ ଓ ଉତ୍ତରପ୍ରଦେଶର ପସି ରାଜକୁମଦଲ ନାମକ ଏହି ପାଞ୍ଚ ଜଣ ଶ୍ରମିକ ଥାଇଲାଣ୍ଡର କବିନ ବୁରୀ ଜିଲ୍ଲାର ସlନଭି ଭିନର ପ୍ଲାଇବୋଡ଼ କମ୍ପାନୀରେ ବର୍ଷେରୁ ଉର୍ଦ୍ଧ୍ବ ଦିନ ହେବା କାମ କରୁଛନ୍ତି l ଏମାନଙ୍କୁ କମ୍ପାନୀର ମାଲିକ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ନେଇଥିଲା l ଭିଡିଓରେ ଶ୍ରମିକମାନେ କହିଛନ୍ତି ଯେ ପ୍ରଥମ ୯ ମାସ ଠିକ ଭାବେ ଦରମା ଦେଇ ଦେଉଥିଲା l ହେଲେ ଏବେ ଚାରିମାସ ଆମକୁ ଦରମା ଦେଉ ନାହିଁ, ଆମ ପାଖରେ ଖାଇବାକୁ ଖାଦ୍ୟ ନାହିଁ | ଓଳିଏ ଖାଇଲେ ଓଳିଏ ଉପାସ ରହୁଛୁ | କୈଳାଶଙ୍କ ହାତ ଗୋଡ଼ ଫୁଲିବା ସହ ଦେହ ଅସୁସ୍ଥ ରହୁଛି ତାଙ୍କୁ ମାଲିକ ମେଡିକାଲ ବି ନେଉନାହିଁ | ଆମ ପାଖରେ ଟଙ୍କାଟିଏ ନାହିଁ l ପାସପୋର୍ଟ ଓ ଭିସା ଅବଧି ସରିଯାଇଛି, ଟଙ୍କା ଦେଲେ ହିଁ ଛାତ୍ର ପାସପୋର୍ଟ କରି ତୁମକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ମାଲିକ କହିଛି l କାମ କୁ ନ ଗଲେ ପୋଲିସରେ ଧରାଇ ଦେବା ସହ ହତ୍ୟା ଧମକ ଦେଉଛି ମାଲିକ ବୋଲି ଶ୍ରମିକମାନେ କହିଛନ୍ତି l ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କୁ ଘରକୁ ଫେରାଇ ଆଣିବାକୁ ଭିଡିଓ ମାଧ୍ୟମରେ ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି |
ସୌଜନ୍ୟ ସମ୍ବାଦ

