ଦେଶ ବିଦେଶ

Manipur: ମଣିପୁରରେ ପୁଣି ହିଂସା: କୁକି ସଂପ୍ରଦାୟର ୩ ଜଣଙ୍କୁ ହତ୍ୟା, ସମଗ୍ର ଗାଁ ଜାଳିଦେବାକୁ ଉଦ୍ୟମ

ଗୁଆହାଟୀ: ମଣିପୁରରେ ପୁଣି କୁକି ସଂପ୍ରଦାୟକୁ ନିଶାଣ କରି ଉଗ୍ରପନ୍ଥୀମାନେ ବର୍ବର ଆକ୍ରମଣ କରିଛନ୍ତି। କାଙ୍ଗପୋକପି ଜିଲ୍ଲାରେ ଶୁକ୍ରବାର ସକାଳେ ହୋଇଥିବା ଆକ୍ରମଣରେ ଜଣେ ମହିଳାଙ୍କ ସମେତ ତିନି ଜଣ କୁକି ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି ଏବଂ ସାତଟି ଘରେ ନିଆଁ ଲଗାଇ ଦିଆଯାଇଛି। ସମଗ୍ର ଗାଁ ଜାଳିଦେବାକୁ ଉଦ୍ୟମ ହୋଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। କାଙ୍ଗପୋକପି ଜିଲ୍ଲାର ସାଇତୁ-ଗାମ୍ଫାଜୋଲ ସବ୍‌ଡିଭିଜନ୍‌ର ଲୋଇବୋଲ ଖୁଲେନ ନାମକ ଏକ ଛୋଟ ଗାଁରେ ଭୋର ପ୍ରାୟ ୪ଟା ସମୟରେ ଏହି ଆକ୍ରମଣ ଘଟିଥିଲା।

ମୃତକମାନେ ହେଲେ ଲେଖୋଙ୍ଗମ୍ ହାଓକିପ୍, ତାଙ୍କ ପତ୍ନୀ ତିନମେରୀ ହାଓକିପ୍ ଓ ଜାଙ୍ଗମିନଲାଲ୍ ହାଓକିପ୍। କୁକି ସଂଗଠନ କୁକି ଇନପି ମଣିପୁର (କେଆଇଏମ୍) ଅଭିଯୋଗ କରିଛି ଯେ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲିମ୍ (ଏନ୍‌ଏସ୍‌ସିଏନ୍-ଆଇଏମ୍)ର ସଶସ୍ତ୍ର କ୍ୟାଡର ଓ ଏହାର ପ୍ରକ୍ସି ସଂଗଠନ ଜେଲିଆଙ୍ଗ୍ରୋଙ୍ଗ ୟୁନାଇଟେଡ୍ ଫ୍ରଣ୍ଟ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା। ଏହି ଘଟଣାକୁ ନିନ୍ଦା କରି କିମ୍ ଏକ ବିବୃତିରେ କହିଛି ଯେ ଏହି ଆକ୍ରମଣରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ସାତୋଟି ଘର ସଂପୂର୍ଣ୍ଣ ଜଳିଯାଇଛି । ଏହି ଘଟଣାକୁ ମୌଳିକ ମାନବିକ ଅଧିକାରର ଗୁରୁତର ଉଲ୍ଲଂଘନ ବୋଲି ବର୍ଣ୍ଣନା କରି ସଂଗଠନ କହିଛି, ଏହି ନିନ୍ଦନୀୟ ହିଂସା ଘଟଣା ତିନି ନିରୀହ ନାଗରିକଙ୍କ ଦୁଃଖଦ ହତ୍ୟା ଏବଂ ଘର ଓ ଜୀବିକା ନଷ୍ଟ କରିଛି।

ସାଧାରଣ ନାଗରିକଙ୍କୁ ଜାଣିଶୁଣି ଟାର୍ଗେଟ୍ କରିବା ଏବଂ ଘର ଜାଳିବା କୌଣସି ପରିସ୍ଥିତିରେ ଯଥାର୍ଥ ହୋଇପାରିବ ନାହିଁ। ଏହି ଘଟଣାର ତୁରନ୍ତ ତଦନ୍ତ କରିବା, ଦାୟୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା, ଧରିବା ଓ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ସଂଗଠନ କେନ୍ଦ୍ର ସରକାର ତଥା ସୁରକ୍ଷା ଏଜେନ୍ସିମାନଙ୍କୁ ଅନୁରୋଧ କରିଛି। ଏହି ଆକ୍ରମଣ ଏହି ଅଞ୍ଚଳରେ ଜାତିଆଣ ଉତ୍ତେଜନା ବୃଦ୍ଧି କରିଛି। କର୍ତ୍ତୃପକ୍ଷ ଏହି ଘଟଣା ଉପରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତି ଜାରି କରିନାହାନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button