ଅପରାଧଜିଲ୍ଲାରାଜ୍ୟ

Cyber Fraud: ତିନିବର୍ଷରେ ୬୬୪ ସାଇବର ଠକେଇ, ଲୁଟିଛନ୍ତି ୩୨ କୋଟିରୁ ଅଧିକ

ରାଉରକେଲା (ଦେବବ୍ରତ ଗଡ଼ତିଆ): ଜିଲ୍ଲାରେ ସାଇବର ଅପରାଧ ଓ ଠକେଇ ମାମଲା ଉଦବେଗଜନକ ବୃଦ୍ଧି ପାଇଛି। ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲା ସମେତ ରେଳବାଇ ପୁଲିସ ଜିଲ୍ଲାରେ କ୍ରମବର୍ଦ୍ଧିଷ୍ଣୁ ସାଇବର ଠକେଇ ମାମଲା ସ୍ଥାନୀୟ ଜନସାଧାରଣ ଓ ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ସାଇବର ଅପରାଧୀ ବିଭିନ୍ନ ଅଭିନବ ଉପାୟ ଆପଣାଇ ସାଧାରଣଲୋକଙ୍କୁ ପ୍ରଲୋଭିତକରି କଷ୍ଟଲବ୍ଧ ଅର୍ଥ ଲୁଟି ନେଉଛନ୍ତି। ବିଶେଷକରି ସେୟାର ମାର୍କେଟରେ ନିବେଶ କରି ଟଙ୍କା ଦ୍ୱିଗୁଣିତ କରିବା, କ୍ରିପ୍ଟୋକରେନ୍ସି ଟ୍ରେଡିଂ, ଆକର୍ଷଣୀୟ ଅନଲାଇନ୍ ପାର୍ଟ-ଟାଇମ୍ ଚାକିରି, ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ‘ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ୍‌’ ମାଧ୍ୟମରେ ତଥା ନକଲି ବ୍ୟାଙ୍କ ତଥା ଇନସ୍ୟୁରାନ୍ସ ସ୍କିମ୍ ନାଁରେ ବ୍ୟାପକ ସ୍କାମ୍ ଚଳାଇଛନ୍ତି। ଗତ ତିନିବର୍ଷରେ ଜିଲ୍ଲାରେ ମୋଟ୍‌ ୬୬୪ଟି ସାଇବର ଠକେଇ ହୋଇଛି। ଗତ ୨୦୨୩ ମସିହାରେ ମୋଟ୍‌ ୧୬୭ଟି ଘଟଣା ଘଟିଥିବାବେଳେ ୨୦୨୪ରେ ୨୭୪ ଓ ୨୦୨୫ରେ ୨୨୩ଟି ସାଇବର ଠକେଇ ହୋଇଥିଲା। ପୁଲିସ କେବଳ ଶହେ ଜଣ ସାଇବର ଠକଙ୍କୁ ଧରିବାରେ ବିଫଳ ହୋଇଛି।

ଠକଦଳଙ୍କ ଟାର୍ଗେଟ୍‌ରେ ସ୍ମାର୍ଟସିଟି

କେବଳ ଗତ ୨୧ ମାସ, ଅର୍ଥାତ୍‌ ୨୦୨୪ ଜୁନ ମାସରୁ ୨୦୨୬ ଫେବ୍ରୁଆରି ପର୍ଯ୍ୟନ୍ତ ମୋଟ୍‌ ୫୮୪ଟି ଘଟଣା ଘଟିଥିଲା। ସାଇବର ଠକ ଦଳ ୩୧ କୋଟି ୭୯ ଲକ୍ଷ ୪୬ ହଜାର ୧୭୭ ଟଙ୍କା ଠକିନେଇଛନ୍ତି। ଏହି ଠକଦଳଙ୍କ ଟାର୍ଗେଟ୍‌ରେ ସ୍ମାର୍ଟସିଟି ରାଉରକେଲାବାସୀ ଥିବା ଜଣାପଡ଼େ। କାରଣ, ମୋଟ୍‌ ଠକେଇର ଶିକାର ବ୍ୟକ୍ତିଙ୍କ ମଧ୍ୟରୁ ସର୍ବାଧିକ ରାଉରକେଲା ନିବାସୀ। ଗତ ୨୧ ମାସରେ, ରାଉରକେଲା ପୁଲିସ ଜିଲ୍ଲାରେ ମୋଟ୍‌ ୪୬୯ଟି ମାମଲା ରୁଜୁ ହୋଇଥିବାବେଳେ ଠକ ଦଳ ୧୭ କୋଟି ୫୯ ଲକ୍ଷ ୯୪ ହଜାର ୪୮୦ ଟଙ୍କା ଲୁଟିଥିବା ଜଣାପଡ଼ିଛି। ସେହିଭଳି ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୧୦୪ଟି ଘଟଣା ଘଟିଥିବାବେଳେ ୧୪ କୋଟି ୧୪ ଲକ୍ଷ ୪,୪୪୮ ଟଙ୍କା ଏବଂ ରାଉରକେଲା ରେଳବାଇ ପୁଲିସ ଜିଲ୍ଲାରେ ୧୧ଟି ମାମଲାରେ ୫ ଲକ୍ଷ ୪୭ ହଜାର ୨୪୯ ଟଙ୍କା ଠକେଇ ହୋଇଛି। ଅପରପକ୍ଷରେ ସାଇବର ଠକଙ୍କୁ ଧରିବାରେ ପୁଲିସ ସଂପୂର୍ଣ୍ଣ ବିଫଳ ହୋଇଛି। ମୋଟ୍‌ ମାମଲା ତୁଳନାରେ ଚାର୍ଜ୍‌ସିଟ୍‌ ଦାଖଲ ହାର ହେଉଛି ୨.୯୧%। ଅବଶ୍ୟ, ସାଇବର ଅପରାଧର ମୁକାବିଲା ପାଇଁ ସୁନ୍ଦରଗଡ଼ ଓ ରାଉରକେଲା ପୋଲିସ ଦ୍ବାରା ‘ଅପରେସନ ସାଇବର କବଚ’ ଭଳି ଅଭିଯାନ କରାଯାଇଥିଲା। ଏହି ଅଭିଯାନ ଅଧୀନରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି କେତେକ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀଙ୍କ ସମେତ ଅନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button