ଦେଶ ବିଦେଶ

CJP: କକ୍ରୋଚ୍ ଜନତା ପାର୍ଟିଠାରୁ ଦୂରରେ ରହିବାକୁ ମୁସଲିମ ଯୁବକଙ୍କୁ ମସଜିଦରୁ ନିବେଦନ

ନୂଆଦିଲ୍ଲୀ: ଶନିବାର ଜନ୍ତରମନ୍ତରଠାରେ କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନକୁ ନେଇ ମୁସଲିମ ସମାଜିକ ଗଣମାଧ୍ୟମ, ମସଜିଦ, ହ୍ୱାଟସ୍ଆପ୍ ଗ୍ରୁପ ଓ ଅନ୍ୟାନ୍ୟ ମାଧ୍ୟମରେ ଏକ ସତର୍କତାର ସନ୍ଦେଶ ପ୍ରସାରିତ ହୋଇଛି। ମୁସଲିମ ଯୁବକମାନେ କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଇଛି। ସୋସିଆଲ ମିଡିଆରେ ପ୍ରଚାରିତ ପୋଷ୍ଟଗୁଡ଼ିକରେ ସଚେତନ କରାଯାଇଛି ଯେ, କେବଳ କିଛି ଘଣ୍ଟାର ପ୍ରତିବାଦ ଦୀର୍ଘକାଳୀନ ସମସ୍ୟାର ରୂପ ନେଇପାରେ। ଗିରଫ, ଜେଲ, ମିଡିଆ ଟ୍ରାୟଲ ଓ ଦେଶବିରୋଧୀ ଅଭିଯୋଗ- ଏସବୁରେ ପ୍ରଥମେ ଯୁବକମାନେ ହିଁ ଶିକାର ହେବାର ଆଶଙ୍କା ରହିଛି।

ଜଣେ କଲେଜ ଛାତ୍ର ଅଶରଫଙ୍କ କହିବା ଅନୁସାରେ, ତାଙ୍କ ପିତା ସ୍ପଷ୍ଟଭାବେ ପ୍ରଦର୍ଶନରୁ ଦୂରେଇ ରହିବାକୁ ପରାମର୍ଶ ଦେବା ସହ ପ୍ରଥମେ ନିଜ କ୍ୟାରିୟରର ଯତ୍ନ ନେବାକୁ କହିଛନ୍ତି। ମସଜିଦର ଇମାମମାନେ ମଧ୍ୟ ସତର୍କତାର ସନ୍ଦେଶ ପ୍ରସାରଣ କରିଛନ୍ତି। ଶୁକ୍ରବାର ଶାହିନବାଗର ଏକ ମସଜିଦରେ ପ୍ରାର୍ଥନା ପରେ ଜଣେ ଇମାମ ମୁସଲମାନ ଯୁବକମାନଙ୍କୁ ବିକ୍ଷୋଭରେ ଯୋଗ ଦେବା ପୂର୍ବରୁ ଗମ୍ଭୀର ଭାବେ ଚିନ୍ତା କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ସକ୍ରିୟତା କେବଳ ରାସ୍ତାକୁ ଓହ୍ଲାଇବା ନୁହେଁ; ପ୍ରକୃତ ପରିବର୍ତ୍ତନ ଶିକ୍ଷା, ଅର୍ଥନୈତିକ ପ୍ରଗତି ଓ ସାମୂଦାୟିକ କାର୍ଯ୍ୟ ମାଧ୍ୟମରେ ଆସିଥାଏ।

ବାଟଲା ହାଉସ ମସଜିଦର ଇମାମ ଅହମଦ କହିଛନ୍ତି, ଇସଲାମ ଆମକୁ ନ୍ୟାୟ ପାଇଁ ଛିଡ଼ା ହେବାକୁ ଶିକ୍ଷା ଦିଏ। ଅନାବଶ୍ୟକ କ୍ଷତି ଓ ଅରାଜକତାଠାରୁ ଦୂରେଇ ରହିବାକୁ ଶିଖାଏ। କୌଣସି ବି ପ୍ରଦର୍ଶନରେ ଭାଗ ନେବା ପୂର୍ବରୁ ମୁସଲମାନ ଯୁବକ ନିଜକୁ ପଚାରିବା ଉଚିତ ଏହାର ଉଦ୍ଦେଶ୍ୟ କ’ଣ? କିଏ ଏହାକୁ ଆୟୋଜନ କରୁଛି? ଏହା ଶାନ୍ତିପୂର୍ଣ୍ଣ ହେବ ନା ହିଂସାତ୍ମକ? ସେଠାକୁ ଗଲେ ଆମର ଲାଭ ହେବ ନା କ୍ଷତି? ତେବେ ମୁସଲମାନ ସମାଜ ଭିତରେ ସମସ୍ତଙ୍କର ମତ ସମାନ ନୁହେଁ। କିଛି ମତ ଅନୁସାରେ, ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ପ୍ରତ୍ୟେକ ନାଗରିକଙ୍କର ଲୋକତାନ୍ତ୍ରିକ ଅଧିକାର ଏବଂ ଏହାକୁ ସମ୍ପୂର୍ଣ୍ଣରୁପେ ପରିତ୍ୟାଗ କରିବା ଉଚିତ ନୁହେଁ।।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button