
ଫକ୍ସବୋରୋ: ନରୱେର ଫିଫା ବିଶ୍ବକପ୍ ପ୍ରତ୍ୟାବର୍ତ୍ତନ ମଧୁର ରହିଛି। ବୁଧବାର ସକାଳେ ଖେଳାଯାଇଥିବା ଗ୍ରୁପ୍-ଆଇ ମ୍ୟାଚ୍ରେ ତାରକା ଷ୍ଟ୍ରାଇକର୍ ଏର୍ଲିଙ୍ଗ ହାଲାଣ୍ଡଙ୍କ ଯୁଗଳ ଗୋଲ୍ରେ ନରୱେ ୪-୧ରେ ଇରାକ୍କୁ ହରାଇ ବହୁ ପ୍ରତୀକ୍ଷିତ ବିଜୟ ପାଇଛି। ୧୯୯୮ ପରେ ନରୱେ ପ୍ରଥମ ଥର ଚଳିତ ବିଶ୍ବକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ୨୮ ପରେ ବିଶ୍ବକପ୍କୁ ଫେରିଥିବା ଏହି ଦଳ ଯେଉଁ ଆଶା ନେଇ ଆସିଥିଲା ପ୍ରଥମ ମ୍ୟାଚ୍ ଜିତି ଏହା ହାସଲ କରି ନେଇଛି। ଅନ୍ୟପକ୍ଷରେ ୪୦ ବର୍ଷ ପରେ ବିଶ୍ବକପ୍ ଖେଳିବାକୁ ଆସିଥିବା ଇରାକର ପ୍ରତ୍ୟାବର୍ତ୍ତନ ଫିକା ପଡ଼ିଛି। ଇରାକ ପ୍ରଥମ ଥର ଲାଗି ୧୯୮୬ରେ ବିଶ୍ବକପ୍ ଖେଳିଥିଲା।
ନରୱେ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲା
ବୁଧବାର ମ୍ୟାଚ୍ର ବିଶ୍ବକପ୍ ପଦାର୍ପଣ କରିଥିବା ହାଲାଣ୍ଡଙ୍କ ଯୁଗଳ ଗୋଲ୍ରେ ନରୱେ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲା। ୨୯ତମ ମିନିଟ୍ରେ ଡି ମୋଲର ହୋଲ୍ଫଙ୍କ ପାସ୍ରେ ହାଲାଣ୍ଡ ଗୋଲ୍ ଦେଇ ନରୱେକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାର ୧୦ ମିନିଟ୍ ପରେ ଇରାକର ଆଇମେନ୍ ହୁସେନ (୩୯ ମିନିଟ୍) ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲେ। ହେଲେ ୪୩ତମ ମିନଟ୍ରେ ହାଲାଣ୍ଡ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ କରିବା ସହ ଦଳକୁ ୨-୧ରେ ଆଗୁଆ କରିଥିଲେ। ଦ୍ବିତୀୟାର୍ଦ୍ଧରେ ମାର୍ଟିନ ଓଡେଗାର୍ଡଙ୍କ ପାସ୍କୁ ଲିଓ ଓଷ୍ଟିଗାର୍ଡ ଗୋଲ୍ରେ ପରିଣତ କରି ନରୱେକୁ ୩-୧ଗୋଲ୍ରେ ଆଗୁଆ ରଖିଥିଲେ। ଶେଷରେ ଇନ୍ଜୁରୀ ସମୟରେ ହୁସେନ (୯୦+୬ ମିନିଟ୍)ଙ୍କ ଆତ୍ମଘାତୀ ଗୋଲ୍ ଇରାକର ପରାଜୟ ବ୍ୟବଧାନକୁ ୧-୪କୁ ବଢ଼ାଇ ଦେଇଥିଲେ। ବିଶ୍ବକପ୍ରେ ଉଭୟ ଗୋଲ୍ ଓ ଆତ୍ମଘାତୀ ଗୋଲ୍ ସ୍କୋର୍ କରିବାରେ ହୁସେନ୍ ତୃତୀୟ ଖେଳାଳି ହୋଇଥିଲେ। ତାଙ୍କ ପୂର୍ବରୁ ୧୯୭୮ରେ ନେଦରଲାଣ୍ଡ୍ସର ଏର୍ନି ବ୍ରାଣ୍ଡଟ୍ସ ଇଟାଲି ବିପକ୍ଷରେ ଓ ୨୦୧୮ରେ ଫ୍ରାନ୍ସ ବିପକ୍ଷ ଫାଇନାଲ୍ରେ କ୍ରୋଏସିଆର ମାରିଓ ମାଣ୍ଡଜୁକିକ୍ ଏହି ଅଲୋଡ଼ାରେକର୍ଡ କରିଥିଲେ।
ସୌଜନ୍ୟ ସମ୍ବାଦ




