Calcutta High Court : ମମତାଙ୍କୁ ଝଟ୍କା; ଋତବ୍ରତ ହେବେ ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ଜୋରଦାର ଝଟ୍କା ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ପଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କୋର୍ଟ ବର୍ତ୍ତମାନ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି।

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ଜୋରଦାର ଝଟ୍କା ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ପଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କୋର୍ଟ ବର୍ତ୍ତମାନ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। କୋର୍ଟ ବାଚସ୍ପତି ରଥିନ୍ ବସୁଙ୍କ ନିଷ୍ପତ୍ତିରେ ଦଖଲ ଦେବାକୁ ମନା କରିଦେଇଥିବାରୁ ଋତବ୍ରତ ବିରୋଧୀ ଦଳ ନେତା ରହିବେ।ଜଷ୍ଟିସ୍ କୃଷ୍ଣ ରାଓ କହିଛନ୍ତି ଯେ, ମାମଲାର ପରବର୍ତ୍ତୀ ଶୁଣାଣି ୨୮ ଜୁଲାଇରେ ହେବ। ସେ ସମସ୍ତ ପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣି ତାରିଖ ପୂର୍ବରୁ ସେମାନଙ୍କର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଟିଏମ୍ସି ବିଧାୟକ ତଥା ମମତାଙ୍କ ବିଶ୍ବସ୍ତ ଶୋଭନଦେବ ଚଟ୍ଟୋପାଧ୍ୟାୟ ବାଚିସ୍ପତିଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ୍ ଲଗାଇବାକୁ ହାଇକୋର୍ଟରେ ଏହି ଆବେଦନ କରିଥିଲେ। ଜୁନ୍ ୧ ତାରିଖରେ ତୃଣମୂଳ କଂଗ୍ରେସ ଦଳ ବିରୋଧୀ କାର୍ଯ୍ୟ ନେଇ ଋତବ୍ରତଙ୍କୁ ଦଳରୁ ବହିଷ୍କାର କରିଥିଲା। ବୁଧବାର କୋର୍ଟ ବାଚସ୍ପତିଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ବିଲ୍ବଦଲ ଭଟ୍ଟାଚାର୍ଯ୍ୟଙ୍କୁ ପଚାରିଥିଲେ ଯେ, ବାଚସ୍ପତି ମେ ୯ ତାରିଖରେ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ନାମିତ କରିଥିବା ଏକ ଚିଠିକୁ କାହିଁକି ଉପେକ୍ଷା କରି ରଖିଥିଲେ। କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ବାଚସ୍ପତି ସେହି ପ୍ରତିନିଧିତ୍ୱ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି କିନ୍ତୁ ଜୁନ ୩ ତାରିଖରେ ବିଦ୍ରୋହୀ ଶିବିରରୁ ମିଳିଥିବା ଅନ୍ୟ ଏକ ଚିଠି ଉପରେ କାର୍ଯ୍ୟ କରି ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ଘୋଷଣା କରିଛନ୍ତି।
ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସିଆଇଡି କରୁଛି ତଦନ୍ତ
କୋର୍ଟ ଆହୁରି ପ୍ରଶ୍ନ କରିଛନ୍ତି ଯେ, ପ୍ରଥମ ପ୍ରତିନିଧିତ୍ୱକୁ କାହିଁକି ଅଣଦେଖା କରାଯାଇଥିଲା, ଦ୍ୱିତୀୟ ପ୍ରତିନିଧିତ୍ୱକୁ ପ୍ରାୟ ତୁରନ୍ତ ଗ୍ରହଣ କରାଯାଇଥିଲା, ସେ ବିଷୟରେ ବାଚସ୍ପତିଙ୍କ ପକ୍ଷରୁ କାହିଁକି କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ? ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ଅନେକ ବିଧାୟକ ବିଦ୍ରୋହୀ ପାଲଟିଥିଲେ। ଦଳୀୟ ନେତୃତ୍ୱ ବରିଷ୍ଠ ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିଧାୟକ ଦଳର ନେତା ଭାବରେ ପ୍ରସ୍ତାବ ଦେଇଥିଲେ। କିନ୍ତୁ, ଦଳର ନିଷ୍ପତ୍ତିକୁ ଅବମାନନା କରି ଋତବ୍ରତ ୫୮ ଜଣ ବିଧାୟକଙ୍କ ସମର୍ଥନ ହାସଲ କରି ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ। ଅନେକ ଟିଏମସି ବିଧାୟକ ଅଭିଯୋଗ କରିଥିଲେ ଯେ, ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ସମର୍ଥନ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାଖଲ କରାଯାଇଥିବା ଦସ୍ତାବିଜରେ ସେମାନଙ୍କର ଦସ୍ତଖତ ଜାଲ କରାଯାଇଥିଲା। ବିଧାୟକଙ୍କ ଜାଲ ଦସ୍ତଖତ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସିଆଇଡି ତଦନ୍ତ କରୁଛି।
ସୌଜନ୍ୟ ସମ୍ବାଦ




