ଭତ୍ତା ନ ମିଳିବାରୁ ବୃଦ୍ଧାଙ୍କ ଆତ୍ମହତ୍ୟା ଘଟଣା: ବିଡିଓ, ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ, ୪ ଦିନ ପରେ ବି ଆସିନାହାନ୍ତି ଅଧିକାରୀ
ତିନିମାସ ହେଲା ଭତ୍ତା ମିଳି ନ ଥିବାରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ମର୍ଦ୍ଦକୋଟ ପଞ୍ଚାୟତ ଚଢ଼େୟାପଡ଼ା ଗ୍ରାମର ବି.ସାବିତ୍ରୀ ଦୋରା (୬୭) ଗତ ରବିବାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ବ୍ରହ୍ମପୁର/ବେଗୁନିଆପଡ଼ା: ତିନିମାସ ହେଲା ଭତ୍ତା ମିଳି ନ ଥିବାରୁ ଗଞ୍ଜାମଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ମର୍ଦ୍ଦକୋଟ ପଞ୍ଚାୟତ ଚଢ଼େୟାପଡ଼ା ଗ୍ରାମର ବି.ସାବିତ୍ରୀ ଦୋରା (୬୭) ଗତ ରବିବାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ଅଭିଯୋଗର ତଦନ୍ତ ପାଇଁ ବେଗୁନିଆପଡ଼ା ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଥିବା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ତେବେ ଘଟଣାକୁ ଚାରିଦିନ ବିତିଥିଲେ ମଧ୍ୟ କୌଣସି ଅଧିକାରୀ ତଦନ୍ତ ପାଇଁ ପହଞ୍ଚି ନାହାନ୍ତି। ବେଗୁନିଆପଡ଼ା ବିଡିଓ ସୁନୀଲ କୁମାର ସାମନ୍ତ କହିଛନ୍ତି, ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ ହେବ। ଭତ୍ତା ନ ମିଳିବାରୁ ମାନସିକ ଭାରସାମ୍ୟ ହରାଇ ସାବିତ୍ରୀ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା ପରିବାରବର୍ଗ ଆଜି ବି ଦୋହରାଇଛନ୍ତି ବୋଲି ସରପଞ୍ଚ ସନ୍ତୋଷ ବିଶ୍ବାଳ କହିଛନ୍ତି।
୪ ଦିନ ପରେ ବି ଆସିନାହାନ୍ତି ଅଧିକାରୀ
ଆତ୍ମହତ୍ୟା ପୂର୍ବରୁ ପଞ୍ଚାୟତ ଅଫିସ ଯାଇଥିଲେ ସାବିତ୍ରୀ
ସାବିତ୍ରୀଙ୍କ ଝିଅ ଚାନ୍ଦ ଦୋରା କହିଛନ୍ତି, ମାଆ ତିନିମାସ ହେଲା ଭତ୍ତା ପାଇଁ ପଞ୍ଚାୟତ ଅଫିସକୁ ଦୌଡ଼ୁଥିଲେ। ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ବି ସେ ପଞ୍ଚାୟତ ଅଫିସ୍କୁ ଯାଇଥିଲେ। କିନ୍ତୁ ଭତ୍ତା ନ ମିଳିବାରୁ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିଲେ। ଆଉ ଭତ୍ତା ମିଳିବନି ବୋଲି ଭାବିଥିଲେ। ଖାଇବା ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୧୨୦୦ରୁ ୧୫୦୦ ଟଙ୍କା ଧାର ଆଣିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ନିଜ ପାଇଁ ଚପଲ ମଧ୍ୟ କିଣି ପାରି ନଥିଲେ। ଶେଷରେ ପଞ୍ଚାୟତ ଅଫିସରୁ ଫେରିବା ବାଟରେ ହିଁ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ ବୋଲି ଚାନ୍ଦ କହିଛନ୍ତି। ସାବିତ୍ରୀ ଏକ ଭଙ୍ଗା ଘରେ ଏକୁଟିଆ ରହୁଥିଲେ। ନିକଟରେ ସାବିତ୍ରୀଙ୍କ ଦିଅର ଓ ଦେଢ଼ଶୁରଙ୍କ ପରିବାର ମଧ୍ୟ ରହୁଛନ୍ତି।
ଭତ୍ତା ମିଳୁ ନ ଥିବାରୁ ଅନ୍ୟ ବୃଦ୍ଧବୃଦ୍ଧା ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗତକାଲି ବିଜେଡି ନେତ୍ରୀ ରଞ୍ଜିତା ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଆଜି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିନିଧି ଅଶୋକ ତାରିଣୀ ଓ ବିଜେପିର ଏକ ପ୍ରତିନିଧିଦଳ ତାଙ୍କ ପରିବାରକୁ ଭେଟିବା ସହ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




