ଜାତୀୟ

NEET UG Re-Examination: ନିଟ ୟୁଜି ପୁନଃପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା ବୈଠକ: ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଜୁନ ୨୧ ତାରିଖରେ ପୁନଃ ନୀଟି ୟୁଜି ପରୀକ୍ଷା ହେବାକୁ ଯାଉଛି। ଏଥର ଯେମିତି ଆଉ ପ୍ରଶ୍ନପତ୍ର ଲିକ ନ ହୁଏ ଏଥିପାଇଁ କେନ୍ଦ୍ର ସରକାର ପୂରା ସଜାଗ। ଏନେଇ ଗୁରୁବାର(୧୮ ଜୁନ ୨୦୨୬) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।

ନୂଆଦିଲ୍ଲୀ: ଜୁନ ୨୧ ତାରିଖରେ ପୁନଃ ନୀଟି ୟୁଜି ପରୀକ୍ଷା ହେବାକୁ ଯାଉଛି। ଏଥର ଯେମିତି ଆଉ ପ୍ରଶ୍ନପତ୍ର ଲିକ ନ ହୁଏ ଏଥିପାଇଁ କେନ୍ଦ୍ର ସରକାର ପୂରା ସଜାଗ। ଏନେଇ ଗୁରୁବାର(୧୮ ଜୁନ ୨୦୨୬) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ ସରକାର, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରୀକ୍ଷା ପ୍ରସ୍ତୁତି କେମିତି ଚାଲିଛି ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଶିକ୍ଷା ମନ୍ତ୍ରୀ। ଏହି ବୈଠକରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର, ଉଚ୍ଚଶିକ୍ଷା ବିଭାଗ ସଚିବ ବିନୀତ ଯୋଶୀ ଏବଂ NTAର ମହାନିର୍ଦ୍ଦେଶକ ଶ୍ରୀ ଅଭିଷେକ ସିଂ ପ୍ରମୁଖ ଯୋଗ ଦେଇଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କ’ଣ ଦେଲେ ନିର୍ଦ୍ଦେଶ ?

ବୈଠକକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପ୍ରକ୍ରିୟାରେ ସର୍ବୋଚ୍ଚ ମାନର ସ୍ୱଚ୍ଛତା, ନିରପେକ୍ଷତା ଏବଂ ଦକ୍ଷତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ଏବଂ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁନଃପରୀକ୍ଷାକୁ ମୁକ୍ତ ଏବଂ ନିରପେକ୍ଷ ଭାବରେ ପରିଚାଳନା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସବୁ ସ୍ତରରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ଅଧିକାରୀମାନେ ସମସ୍ତ ରାଜ୍ୟକୁ ଯାଇ ପୁନଃପରୀକ୍ଷା ପ୍ରକ୍ରିୟା ସହ ଜଡିତ କାର୍ଯ୍ୟକଳାପର ସମନ୍ୱୟ ରକ୍ଷା କରିବେ ଓ NTA ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗଠିତ କମାଣ୍ଡ ସେଣ୍ଟରକୁ ରିପୋର୍ଟ କରିବେ। ସେହିପରି ଛାତ୍ରଛାତ୍ରୀମାନେ ଯେପରି ଚାପମୁକ୍ତ ପରିବେଶରେ ପୁନଃପରୀକ୍ଷା ଦେଇପାରିବେ, ସେଥିପାଇଁ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ଉଚିତ୍ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଧର୍ମେନ୍ଦ୍ରର।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧାକୁ ଗୁରୁତ୍ୱ ଦେଇଥିଲେ। ପରୀକ୍ଷା ପୂର୍ବରୁ ସିଟିଂ ଆରେଞ୍ଜମେଣ୍ଟ (ବସିବା ବ୍ୟବସ୍ଥା) ଏବଂ ପାନୀୟ ଜଳ ସମେତ ସମସ୍ତ ଆବଶ୍ୟକୀୟ ସୁବିଧା ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସହଜ ଅନୁଭବ କରାଇବା ଆବଶ୍ୟକ ବୋଲି ସେ କହିଥିଲେ। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ନୋଡାଲ ଅଧିକାରୀମାନଙ୍କୁ ସେ ଅନୁରୋଧ କରିଛନ୍ତି।

ସେହିପରି ବୈଠକରେ ଯୋଗ ଦେଇଥିବା ଉଚ୍ଚଶିକ୍ଷା ବିଭାଗ ସଚିବ ବିନୀତ ଯୋଶୀ କହିଛନ୍ତି ଯେ ବର୍ତ୍ତମାନଠାରୁ ପରୀକ୍ଷା ତାରିଖ ମଧ୍ୟରେ ଥିବା ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସକ୍ରିୟ ସମନ୍ୱୟ, ସମୟାନୁବର୍ତ୍ତୀ ନିର୍ଦ୍ଦେଶାବଳୀ ପ୍ରଚାର ଏବଂ ସମସ୍ତ ନିର୍ଦ୍ଧାରିତ ପ୍ରୋଟୋକଲର କଠୋର ପାଳନ ଆବଶ୍ୟକ ବୋଲି ସେ କହିଛନ୍ତି।

NTA ମହାନିର୍ଦ୍ଦେଶକ ଅଭିଷେକ ସିଂ କହିଛନ୍ତି ଯେ, ପୁନଃପରୀକ୍ଷା ଯେପରି ସୁରୁଖୁରୁରେ ହେବ, ସେଥିପାଇଁ NTA ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି, ରାଜ୍ୟ ପୋଲିସ ବିଭାଗ ଏବଂ ଗୁଇନ୍ଦା ସଂସ୍ଥା ସମେତ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ସହ କାମ କରୁଛି।

ବୈଠକର ଏହିସବୁ ପ୍ରସଙ୍ଗରେ ହେଲା ଆଲୋଚନା

ବୈଠକରେ ପରୀକ୍ଷା ପ୍ରସ୍ତୁତି, ସମନ୍ୱୟ ବ୍ୟବସ୍ଥା, ସୁରକ୍ଷା ପ୍ରୋଟୋକଲ, ଯୋଗାଯୋଗ ବ୍ୟବସ୍ଥା, ଅଭିଯୋଗ ନିବାରଣ ବ୍ୟବସ୍ଥା ଏବଂ ପରୀକ୍ଷା ନିର୍ଦ୍ଦେଶାବଳୀ ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପୁନଃପରୀକ୍ଷା ସୁରୁଖୁରୁରେ, ସ୍ୱଚ୍ଛ ଭାବରେ ଏବଂ କୌଣସି ଅସୁବିଧା ବିନା ପରିଚାଳନା କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ଅଂଶୀଦାରଙ୍କ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ହାଇବ୍ରିଡ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ୨୨୨ ଜଣ ଅଂଶଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଅନୁଷ୍ଠାନର ନୋଡାଲ ଅଧିକାରୀ, କୁଳପତି ଏବଂ ଦେଶର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ। ସମସ୍ତେ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ ଏବଂ ପରୀକ୍ଷା ସୁରୁଖୁରୁରେ ପରିଚାଳନା କରିବା ସହ ପରୀକ୍ଷାର୍ଥୀମାନଙ୍କୁ ଏକ ସୁଗମ ଓ ସମସ୍ୟାମୁକ୍ତ ଅଭିଜ୍ଞତା ପ୍ରଦାନ କରିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

 

 

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button