ଜିଲ୍ଲାରାଜ୍ୟ

Trauma Care Center: ପାଣିକୋଇଲି ଟ୍ରମାକେୟାର ସେଣ୍ଟର: ପିପିପି ମୋଡ୍‌କୁ ତୀବ୍ର ବିରୋଧ, ଉପଖଣ୍ତସ୍ତରୀୟ ଚିକିତ୍ସାଳୟ ମାନ୍ୟତା ଦାବି

ଯାଜପୁର ଜିଲ୍ଲା ପାଣିକୋଇଲିଠାରେ ନିର୍ମିତ ଟ୍ରମାକେୟାର ସେଣ୍ଟରକୁ ଉପଖଣ୍ତସ୍ତରୀୟ ଚିକିତ୍ସାଳୟ ଘୋଷଣା କରିବାକୁ ଦାବି ଜୋର୍‌ ଧରିଛି। ଏଥିପାଇଁ ଯାଜପୁର ୟୁଥ୍ ଫୋରମ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୦ ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଦିଆଯାଇଛି।

ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଦିଆଯାଇଛି। ସରକାର ଏହାକୁ ପିପିପି ମୋଡ୍‌ରେ ଚଳାଇବା ପାଇଁ ଯୋଜନା କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭ ଏକର ଜମିରେ ନିର୍ମାଣ ହୋଇଥିବା ଏହି ଅତ୍ୟାଧୁନିକ ଚିକିତ୍ସାଳୟରେ ୧୦୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାମଧ୍ୟରେ ୫୦ ଲକ୍ଷ ଟଙ୍କାର ବିଭିନ୍ନ ମେଡିକାଲ୍‌ ଉପକରଣ ମଧ୍ୟ ରହିଛି। ହିସାବକୁ ନେଲେ ସମ୍ପୂର୍ଣ୍ଣ ପ୍ରକଳ୍ପରେ ଜମି ମୂଲ୍ୟ ସହ ୨ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗ ହୋଇଛି।

ଉପଖଣ୍ତସ୍ତରୀୟ ଚିକିତ୍ସାଳୟ ମାନ୍ୟତା ଦାବି
ସମର୍ଥନରେ ୧୦ ହଜାର ଲୋକଙ୍କ ଦସ୍ତଖତ

ଫୋରମ୍‌ର ସଭାପତି ଆଇନଜୀବୀ ରାକେଶ କୁମାର ସାହୁଙ୍କ କହିବା କଥା, ପାଣିକୋଇଲିଠାରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମିତ ଟ୍ରମାକେୟାର ସେଣ୍ଟରରେ ୨ ଶହ ଶଯ୍ୟା ସୁବିଧା ମିଳିପାରିବ। ସରକାରୀ ନିୟମ ମୁତାବକ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକସଂଖ୍ୟା ଥିବା ଜିଲ୍ଲାରେ ୨ଟି ଉପଖଣ୍ତସ୍ତରୀୟ ଚିକିତ୍ସାଳୟ ନିର୍ମାଣ ହୋଇପାରିବ। ପୂର୍ବରୁ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ତସ୍ତରୀୟ ଚିକିତ୍ସାଳୟ ଘୋଷଣା କରିବାକୁ ଦାବି ରହିଥିବା ବେଳେ ଏବେ ଟ୍ରମାକେୟାର ସେଣ୍ଟରକୁ ଏଥିରେ ସାମିଲ କରାଯିବା ଉଚିତ। ଟ୍ରମାକେୟାର ନିକଟରେ ବ୍ୟସ୍ତବହୁଳ ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଏହା ଉପରେ ନିକଟସ୍ଥ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର ଲୋକେ ସ୍ବାସ୍ଥ୍ୟ ସେବା ପାଇପାରିବେ। ଉପଖଣ୍ତସ୍ତରୀୟ ଚିକିତ୍ସାଳୟ ଘୋଷଣା କରାଗଲେ ଡାକ୍ତର, କର୍ମଚାରୀ ନିଯୁକ୍ତି ମଧ୍ୟ ସହଜ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ଭାରତୀୟ ଜନସ୍ବାସ୍ଥ୍ୟ ବିଭାଗ ନିୟମ ଅନୁଯାୟୀ ଶହେ ଶଯ୍ୟାବିଶିଷ୍ଟ ଚିକିତ୍ସାଳୟକୁ ଉପଖଣ୍ତସ୍ତରୀୟ ଚିକିତ୍ସାଳୟ ଘୋଷଣା କରାଯାଇପାରିବ। ପାଣିକୋଇଲି ଟ୍ରମାକେୟାର ୨ ଶହ ଶଯ୍ୟାବିଶିଷ୍ଟ ହୋଇଥିବାରୁ ଏଥିପାଇଁ କିଛି ବାଧକ ନାହିଁ। ଏହାସହିତ ଜାତୀୟ ରାଜପଥରେ କୌଣସି ଦୁର୍ଘଟଣା ହେଲେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା କଟକ ବଡ଼ଡାକ୍ତରଖାନା ପରିବର୍ତ୍ତେ ଟ୍ରମାକେୟାରରେ ହିଁ ଉଚ୍ଚସ୍ତରୀୟ ଚିକିତ୍ସା ଦିଆଯାଇପାରିବ। ଦୁର୍ଘଟଣାର ପ୍ରଥମ କିଛି ଘଣ୍ଟା (ଗୋଲ୍‌ଡେନ୍ ଆୱାର)ରେ ହିଁ ଆହତଙ୍କୁ ଏଠାରେ ଚିକିତ୍ସା କରାଯାଇ ଜୀବନ ବଞ୍ଚାଯାଇପାରିବ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ଟ୍ରମାକେୟାର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଆସିଥିଲେ। ଖୁବ୍‌ଶୀଘ୍ର ଏହା ଖୋଲାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏଁ ତାହା ଫଳପ୍ରଦ ହୋଇନାହିଁ। ଆସନ୍ତା ମାସରେ ଅଧିକାରୀମାନେ ପୁଣି ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ତେବେ ଏହି ଟ୍ରମାକେୟାର ସେଣ୍ଟରକୁ ତୁରନ୍ତ ସରକାରୀ ମାନ୍ୟତା ଦେଇ କାର୍ଯ୍ୟକ୍ଷମ ନ କଲେ ୟୁଥ୍ ଫୋରମ୍ ସମେତ ସ୍ଥାନୀୟ ଲୋକେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button