ଜାତୀୟ

ରାଷ୍ଟ୍ରପତିଙ୍କ ଗାଁକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଓଡ଼ିଶାକୁ ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ

ରାଇରଙ୍ଗପୁର ୨୦।୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ରାଜ୍ୟସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଉଭୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଓଡ଼ିଶାକୁ ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ।

ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ସମୟରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ। ଉଭୟ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଠାରେ ପ୍ରାର୍ଥନା କରିବେ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଓ ପାହାଡପୁର ସ୍କୁଲ ବୁଲି ଦେଖିବେ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

ତେବେ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘‘ବିକାଶର ଧାରା, ଓଡ଼ିଶା ସାରା’’। ଏହି ଅବସରରେ ୪୭ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ଶିଳାନ୍ୟାସ ହେବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୦୦ ମେଗାୱାଟ୍ ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଇବ୍ ତାପଜ ବିଦ୍ୟୁତ ଷ୍ଟେସନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପ୍ରକଳ୍ପର ୬୬୦ ମେଗାୱାଟ୍ ଲେଖାଏଁ ଦୁଇଟି ୟୁନିଟ୍ ଅନ୍ତର୍ଭୁକ୍ତ। ଝାରସୁଗୁଡା ଜିଲ୍ଲାର ଲଖନପୁରରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବୌଦ୍ଧଠାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୋଠା, ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୯ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର ମଧ୍ୟ ଉଦଘାଟନ କରାଯିବ। ଏହାସହ ଆହୁରି ଅନେକ ପ୍ରକଳ୍ପ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button