Beauty Mohanty’s death: ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣା: ଆସିଲା ୮ ଲକ୍ଷ ପୃଷ୍ଠାର ମୋବାଇଲ୍ ତଥ୍ୟ, ୨୦୨୪ରୁ ୨୦୨୬ ପର୍ଯ୍ୟନ୍ତ ତଥ୍ୟ ଅନୁଧ୍ୟାନ
ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ କଟକ କମିସନରେଟ୍ ପୁଲିସ ହାତରେ ଡିଜିଟାଲ୍ ତଥ୍ୟ ହସ୍ତଗତ ହୋଇଛି। ୨୦୨୪ରୁ ୨୦୨୬ ଜୁଲାଇ ୪ ତାରିଖରେ ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା ଯାଏଁ ତାଙ୍କ ମୋବାଇଲର ସମସ୍ତ ତଥ୍ୟ ଭୁବନେଶ୍ବର....

କଟକ: ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ କଟକ କମିସନରେଟ୍ ପୁଲିସ ହାତରେ ଡିଜିଟାଲ୍ ତଥ୍ୟ ହସ୍ତଗତ ହୋଇଛି। ୨୦୨୪ରୁ ୨୦୨୬ ଜୁଲାଇ ୪ ତାରିଖରେ ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା ଯାଏଁ ତାଙ୍କ ମୋବାଇଲର ସମସ୍ତ ତଥ୍ୟ ଭୁବନେଶ୍ବର ରସୁଲଗଡ଼ସ୍ଥିତ ଫରେନସିକ୍ ସାଇନ୍ସ ଲାବରେଟୋରି (ଏସ୍ଏଫ୍ଏସ୍ଏଲ୍)ରୁ କଢ଼ାଯାଇଛି। ୮ ଲକ୍ଷ ପୃଷ୍ଠାର ଦସ୍ତାବିଜ ପିଡିଏଫ୍ ଫର୍ମାଟ୍ରେ କଟକ କମିସନରେଟ୍ ପୁଲିସକୁ ଆସିଛି। ଏହି ତଥ୍ୟକୁ ସାଇବର୍ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରୁଛନ୍ତି। ଏହି ଦସ୍ତାବିଜରେ ଚାଟିଂ ସମେତ ଫୋନ୍ରେ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ରହିଛି। ବିଉଟିଙ୍କ ମୃତ୍ୟୁ ପଛରେ ସେଭଳି କିଛି ପ୍ରମାଣ ଚାଟିଂରେ ରହିଛି କି ନାହିଁ, ସେ ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି।
ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ନିର୍ଦ୍ଦେଶକ୍ରମେ ଏକ ତିନିଜଣିଆ ପୁଲିସ ଟିମ୍ ଗଠନ କରାଯାଇଛି। ଏହି ଟିମ୍କୁ ଜଣେ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ ଅନୁଧ୍ୟାନ କରୁଛନ୍ତି। ଗୋଟିଏ ଟିମ୍ ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଧ୍ୟାନ କରୁଛି। ଏସ୍ସିବିରୁ ଯେଉଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି, ଏହାକୁ ଅନୁଧ୍ୟାନ କରାଯାଉଥିବା ବେଳେ ଦ୍ବିତୀୟ ଥର ଏହି ରିପୋର୍ଟ ସଂକ୍ରାନ୍ତ ମତ ଦେବାକୁ ଏସ୍ସିବି ଏଫ୍ଏମ୍ଟି ବିଭାଗ ଡାକ୍ତରଙ୍କୁ ଅନୁରୋଧ କରାଯାଇଛି। ଦ୍ବିତୀୟ ଟିମ୍ ବିଉଟି ମହାନ୍ତିଙ୍କ ମୃତ୍ୟୁ ପୂର୍ବରୁ ଶେଷ ଯୋଗାଯୋଗ ଓ କଥାବାର୍ତ୍ତାର ତଦନ୍ତ କରୁଛି। ତୃତୀୟ ଟିମ୍ ଡିଜିଟାଲ୍ ପ୍ରମାଣ ଏସ୍ଏଫ୍ଏସ୍ଏଲ୍ରୁ ଆସିବା ପରେ ଏହାକୁ ଅନୁଧ୍ୟାନ କରୁଛି। ଆର୍ଥିକ କାରବାର ଓ କଲ୍ ଡିଟେଲ୍ସ ମଧ୍ୟ ଅନୁଧ୍ୟାନ କରାଯାଉଛି।
ବିଉଟି ମହାନ୍ତି ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେମାନଙ୍କୁ ପଚରାଉଚରା କରାଯାଇଛି। ମୃତ୍ୟୁ ପୂର୍ବ ରାତିରେ ବିଉଟି ଯେଉଁ ବ୍ୟକ୍ତିଙ୍କ ସହିତ ବାରମ୍ବାର ଫୋନ୍ରେ କଥା ହୋଇଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ପରିବାର ଲୋକେ ଏହି ଘଟଣାକୁ ନେଇ ଏଯାଏଁ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି। ଅନ୍ୟପଟେ ଏସ୍ଏଫ୍ଏସ୍ଏଲ୍କୁ ବିଉଟିଙ୍କ ଦୁଇଟି ମୋବାଇଲ ପଠାଯାଇଥିବା ବେଳେ ଏଥିରୁ ଗୋଟିଏ ମୋବାଇଲର ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ଆଉ ଏକ ମୋବାଇଲର ରିପୋର୍ଟ ଆସନ୍ତାକାଲି ହସ୍ତଗତ ହେବାର ସମ୍ଭାବନା ରହିଛି।
ସୌଜନ୍ୟ ସମ୍ବାଦ




