ରାଜ୍ୟ

Agriculture subsidy: କୃଷି ସହାୟତା ରାଶି ହଡ଼ପ ଅଭିଯୋଗ: ସହକାରୀ କୃଷି ଅଧିକାରୀ ନିଲମ୍ବିତ, ୨ ବହିଷ୍କୃତ

ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ତୈଳବୀଜ ଚାଷ ପାଇଁ ସିଆର୍‌ଏଫ୍‌ଏମ୍‌ ଯୋଜନାରେ ବଡ଼ଧରଣର ଦୁର୍ନୀତି। ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ଚାଷୀଙ୍କ ପାଇଁ ଆସିଥିବା ସହାୟତା ରାଶି ହଡ଼ପ ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି।

ଅନୁଗୋଳ: ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ତୈଳବୀଜ ଚାଷ ପାଇଁ ସିଆର୍‌ଏଫ୍‌ଏମ୍‌ ଯୋଜନାରେ ବଡ଼ଧରଣର ଦୁର୍ନୀତି। ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ଚାଷୀଙ୍କ ପାଇଁ ଆସିଥିବା ସହାୟତା ରାଶି ହଡ଼ପ ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏହି ଘଟଣାରେ ବ୍ଲକ୍‌ ସହକାରୀ କୃଷି ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ଏହାସହିତ ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି। କିଶୋରନଗର ବ୍ଲକ୍‌ ପରି ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଲାଭ ଦେବା ପାଇଁ ସିଆରଏଫ୍‌ଏମ୍‌ ଯୋଜନାରେ ତୈଳବୀଜ ଜାତୀୟ ଫସଲ କରିବାକୁ ପ୍ରୋତ୍ସାହିତ କରାଯାଉଥିଲା। ଏହି ଯୋଜନାରେ ଚାଷୀଙ୍କୁ ମାଗଣାରେ ସାର, ବିହନ, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ଫଳରେ ଚାଷୀମାନେ ରବିଋତୁରେ ଏହି ଚାଷ କରି ଫାଇଦା ପାଉଥିଲେ। କିନ୍ତୁ, ୨୦୨୪-୨୫ ବର୍ଷର ଏହି ସହାୟତା ରାଶି ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସହାୟତା ସାମଗ୍ରୀ ଚାଷୀଙ୍କ ପାଖରେ ପହଞ୍ଚିନଥିଲା। ଏହା ଜଣାପଡ଼ିବା ପରେ କୃଷି ବିଭାଗ ପକ୍ଷରୁ ଖୋଳତାଡ଼ କରାଯାଇଥିଲା। ଆଭ୍ୟନ୍ତରୀଣ ଅଡିଟ୍‌ କରାଯିବା ସହ ଏକ ଉଚ୍ଚସ୍ତରୀୟ କମିଟି ଏହାର ତଦନ୍ତ କରିଥିଲା। ତଦନ୍ତ ସମୟରେ ଅନିୟମିତତା ନେଇ ଠୋସ୍‌ ପ୍ରମାଣ ପାଇଥିଲା କମିଟି। ଏହି ଆଧାରରେ କିଶୋରନଗର ବ୍ଲକ୍‌ର ସହକାରୀ କୃଷି ଅଧିକାରୀ ଦୀପ୍ତିମୟୀ ସିଂହଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ସେହିପରି କୃଷି ବୈଷୟିକ ପରିଚାଳକ ଗୋପବନ୍ଧୁ ସାହୁ ଓ ବ୍ଳକ୍‌ ସଂଯୋଜକ ରଞ୍ଜନ କୁମାର ପ୍ରଧାନଙ୍କୁ ବହି‌ଷ୍କୃତ କରିଛନ୍ତି ସରକାର। ବହିଷ୍କୃତ ଏହି ଦୁଇ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା‌ଯୋଗ୍ୟ, ଏହି ମାସ ୪ ତାରିଖରେ ସହକାରୀ କୃଷି ଅଧିକାରୀ ଦୀପ୍ତିମୟୀ ସିଂହ କି‌ଶୋରନଗର ଥାନାରେ ଅନିୟମିତତା ନେଇ ଅଭିଯୋଗ କରିଥିଲେ। ବ୍ଲକ୍‌ ସଂଯୋଜକ ରଞ୍ଜନ କୁମାର ପ୍ରଧାନଙ୍କ ବିରୋଧରେ ‌ସେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଆଉ ସରକାର ତାଙ୍କୁ ହିଁ ନିଲମ୍ବନ କରି କାର୍ଯ୍ୟାନୁ‌ଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତାଙ୍କ ଜାଣତରେ ଏତେ ବଡ଼ ଅନିୟମିତତା ହୋଇଥିବା ପ୍ରମାଣ ମିଳିଛି। ଏହା ଜାଣିବା ପରେ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିଲେ। ଏ ସଂପର୍କରେ ଅନୁଗୋଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିନୋଦ କୁମାର ଦଳେଇ କହିଛନ୍ତି ଯେ ଚାଷୀଙ୍କ ସହାୟତା ରାଶି ହଡ଼ପ କରାଯାଇଥିବା ଜଣାପଡ଼ିବା ପରେ ଏହାର ତଦନ୍ତ କରାଯାଇଥିଲା। ଅନିୟମିତତା ନେଇ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button