ମହାନଗର

Egg: ଅଣ୍ଡା ଗୋଟାକୁ ୯ ଟଙ୍କା: ଦୁଇ ମାସରେ ଦର ଦୁଇଗୁଣ, ଓଡ଼ିଶାକୁ ଅଣ୍ଟୁୂନି, ବାହାରକୁ ପଠାଯାଉଛି

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦୁଇ ମାସ ତଳେ ଖୁଚୁରା ବଜାରରେ ଅଣ୍ଡା ଗୋଟା ଦର ୫ ଟଙ୍କା ତଳକୁ ଖସିଆସିଥିଲା। ଟ୍ରେ କିଣିଲେ ୧୪୦ ଟଙ୍କା ପଡ଼ୁଥିଲା। ଆଉ ପେଟି ପିଛା ହୋଲସେଲ୍‌ ଦର ୯୨୦ ଟଙ୍କା ରହିଥିଲା। ଦିନ କେଇଟା ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି।

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦୁଇ ମାସ ତଳେ ଖୁଚୁରା ବଜାରରେ ଅଣ୍ଡା ଗୋଟା ଦର ୫ ଟଙ୍କା ତଳକୁ ଖସିଆସିଥିଲା। ଟ୍ରେ କିଣିଲେ ୧୪୦ ଟଙ୍କା ପଡ଼ୁଥିଲା। ଆଉ ପେଟି ପିଛା ହୋଲସେଲ୍‌ ଦର ୯୨୦ ଟଙ୍କା ରହିଥିଲା। ଦିନ କେଇଟା ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଭୁବନେଶ୍ବର ସମେତ ସାରା ରାଜ୍ୟରେ ଏବେ ଅଣ୍ଡା ହୁହୁ ହୋଇ ବଢ଼ୁଛି। ଆଜିର ଖୁଚୁରା ବଜାରରେ ଅଣ୍ଡା ଗୋଟା  ୯ ଟଙ୍କା ଲେଖାଏ ବିକ୍ରି ହେଉଛି। ଏକାଥରେ ଟ୍ରେ କିଣିଲେ ଟିକିଏ ରିହାତି ମିଳୁଛି। ନ ହେଲେ ସେଭଳି କୌଣସି ଫରକ ଦେଖିବାକୁ ମିଳୁ ନାହିଁ। କେବଳ ଅଣ୍ଡା ନୁହେଁ, ଚିକେନ୍‌ ଦର ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ କିଲୋ ପିଛା ୨୨୦ରୁ ୨୫୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଆଜି ୨୬୦ରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ନଜରକୁ ଆସିଛି। ହଠାତ୍‌ ଏଭଳି ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ଅଣ୍ଡା ଉତ୍ପାଦନ କେନ୍ଦ୍ରରେ ଦର ଅଧିକ ଥିବାରୁ ବାଧ୍ୟ ହୋଇ ଦର ବଢ଼ୁଥିବା ବ୍ୟବସାୟୀମାନେ କହିବା ସହ ହାତ ଟେକି ଦେଲେଣି। ବଜାରରେ ଅଣ୍ଡା ଦର ବୃଦ୍ଧି ପାଇବା ପଛରେ ବିଭିନ୍ନ କାରଣ ଥିବା ପୋଲିଟ୍ରି ଉତ୍ପାଦକମାନେ କହିଛନ୍ତି। ସେମାନଙ୍କ କହିବା କଥା ହେଉଛି ଖାଦ୍ୟ ଦର ବୃଦ୍ଧି ସହ ଉତ୍ପାଦନ ଖର୍ଚ୍ଚ ବଢ଼ିଛି। ଏହା ଅଣ୍ଡା ଦର ଉପରେ ପ୍ରଭାବ ପକାଇଛି। ବିଶ୍ୱ ବଜାରରେ ଅଣ୍ଡାର ଚାହିଦା ବୃଦ୍ଧି ପାଇଥିବାରୁ ରପ୍ତାନି ମଧ୍ୟ ବଢ଼ିଛି। ପ୍ରଭାବରେ ଦେଶୀୟ ବଜାରରେ ଯୋଗାଣ ଉପରେ ଚାପ ସୃଷ୍ଟି ହେଉଛି।  ଏବର୍ଷ ପ୍ରଚଣ୍ଡ ଗରମ ମଧ୍ୟ ପୋଲିଟ୍ରି ଉତ୍ପାଦନକୁ ପ୍ରଭାବିତ କରିଛି। ଉଚ୍ଚ ତାପମାତ୍ରା କାରଣରୁ କୁକୁଡ଼ାଙ୍କ ମୃତ୍ୟୁହାର ବୃଦ୍ଧି ପାଇଥିବାରୁ ଅଣ୍ଡା ଉତ୍ପାଦନ କମିଥିବା ସେମାନେ କହିଛନ୍ତି।

ଓଡ଼ିଶାକୁ ଅଣ୍ଟୁୂନି, ବାହାରକୁ ପଠାଯାଉଛି
ଦୈନିକ ଦୁଇ ଲକ୍ଷ ଉତ୍ପାଦନ ଲକ୍ଷ୍ୟ: ମନ୍ତ୍ରୀ

ସେପଟେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ବିଭିନ୍ନ କାରଣ ପାଇଁ ଅଣ୍ଡା ଦର ବୃଦ୍ଧି ପାଇଥାଏ। ଯେଉଁଠି ଅଣ୍ଡା ଉତ୍ପାଦନ ହେଉଛି ସେଠାରୁ ବ୍ୟବସାୟୀମାନେ ପାଖାପାଖି ୭ ଟଙ୍କା ୧୫ରୁ ୨୦ ପଇସା ଦେଇ ଆଣୁଛନ୍ତି। ଖୁଚୁରା ବ୍ୟବସାୟୀମାନେ ଅଣ୍ଡା ଗୋଟାକୁ ୯ ଟଙ୍କା ଲେଖାଏ ବିକ୍ରି କରିବାର ନଜର ଆସିଛି। ଏସିଆ ଓ ଆଫ୍ରିକା ଦେଶଗୁଡ଼ିକରେ ଆମ ଅଣ୍ଡାର ବହୁତ ଚାହିଦା ଥିବାରୁ ପ୍ରତି ସପ୍ତାହରେ ଅଣ୍ଡାଗୁଡ଼ିକ ବାହାରକୁ ରପ୍ତାନି ହେଉଛି। ଏବେ ଆମର ଦୈନିକ ୧କୋଟି ୨୭ ଲକ୍ଷ ଅଣ୍ଡା ଏବଂ ବାର୍ଷିକ ୪୬୦ କୋଟି ଅଣ୍ଡା ଉତ୍ପାଦନ ହେଉଛି। ତେବେ ଆମର ବାର୍ଷିକ ଆବଶ୍ୟକତା ୮୦୦ରୁ ୯୦୦ କୋଟି ରହୁଛି। ତାହାକୁ ନଜରରେ ରଖି ଆ‌ମ ସରକାର ବିଭିନ୍ନ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମାଧ୍ୟମରେ କୁକୁଡା ଫାର୍ମ କରିବାକୁ ସବ୍‌ସିଡ୍‌ ଦିଆଯାଉଛି। ୫୦୦ରୁ ୫୦୦୦ ପର୍ଯ୍ୟନ୍ତ କୁକୁଡ଼ା ପାଳନ କରିବାକୁ ୫୦% ପର୍ଯ୍ୟନ୍ତ ସବ୍‌ସିଡ୍‌ ମିଳୁଛି। ଏବେ ସ୍କୁଲଗୁଡ଼ିକ ଖୋଲିଥିବାରୁ ଅଣ୍ଡାର ଆବଶ୍ୟକତା ଆହୁରି ବଢ଼ିଯାଇଛି। ଉତ୍ପାଦନ ଧୀରେ ଧୀରେ ବଢ଼ିଲେ ଦର ପୁଣି କମିଯିବ। ଫାର୍ମଗୁଡ଼ିକ ସହ କଥାବାର୍ତ୍ତା ଚାଲିଛି। ଅଣ୍ଡା ବ୍ୟବସାୟ ଖୋଲା ବଜାରରେ ହେଉଥିବାରୁ ଯିଏ ଉତ୍ପାଦନ କରିବ ସିଏ ଅଣ୍ଡାକୁ କେଉଁଠି ବିକ୍ରି କରିବ ତାହାର ନିଜସ୍ବ ନିଷ୍ପତ୍ତି। ଘରୋଇ ସଂସ୍ଥା ଉପରେ ସରକାର କୌଣସି ଅଙ୍କୁଶ ଲଗାଇପାରିବେ ନାହିଁ। ତେବେ ଆମେ ଦୈନିକ ୨ କୋଟି ଅଣ୍ଡା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button