ରାଜ୍ୟ

School lunch: ସ୍କୁଲ ମଧ୍ୟାହ୍ନଭୋଜନକୁ ଦରଦାମ୍‌ ମାଡ଼: ଥାଳିରୁ ହଟିଯିବ ଅଣ୍ଡା!

ଅଣ୍ଡା ଗୋଟା ୧୦ ଟଙ୍କା‌। ସବୁ ପରିବା କିଲୋ ପିଛା ଦର ୬୦ ଟଙ୍କା ତଳକୁ ନାହିଁ। ଖାଇବା ତେଲ ଲିଟର ପିଛା ମୂଲ୍ୟ ୨୦୦ ଟଙ୍କା। ଆଳୁ ନିୟନ୍ତ୍ରଣ ଭିତରେ ରହିଥିବା ବେଳେ ପିଆଜ କେଜି ୪୦ ଟଙ୍କା ଛୁଇଁଲାଣି।

ଭୁବନେଶ୍ବର: ଅଣ୍ଡା ଗୋଟା ୧୦ ଟଙ୍କା‌। ସବୁ ପରିବା କିଲୋ ପିଛା ଦର ୬୦ ଟଙ୍କା ତଳକୁ ନାହିଁ। ଖାଇବା ତେଲ ଲିଟର ପିଛା ମୂଲ୍ୟ ୨୦୦ ଟଙ୍କା। ଆଳୁ ନିୟନ୍ତ୍ରଣ ଭିତରେ ରହିଥିବା ବେଳେ ପିଆଜ କେଜି ୪୦ ଟଙ୍କା ଛୁଇଁଲାଣି। ଗ୍ୟାସ୍‌ ସଙ୍କଟ ଏପର୍ଯ୍ୟନ୍ତ ସୁଧୁରି ନାହିଁ। ଓଡ଼ିଶା ବଜାରରେ ଆଜି ଦିନରେ ଦରଦାମ୍‌ ଏଭଳି ରହିଥିବାରୁ ଏହାର ସିଧାସଳଖ ପ୍ରଭାବ ସରକାରୀ ବିଦ୍ୟାଳୟରେ ଦିଆଯାଉଥିବା ମାଗଣା ମଧ୍ୟାହ୍ନଭୋଜନ ଉପରେ ପଡ଼ିଛି। ପିଏମ୍‌ ପୋଷଣ ଯୋଜନାରେ ସପ୍ତାହର ୬ ଦିନ ପିଲାଙ୍କୁ ଆବଶ୍ୟକୀୟ ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇବା ଏବେ କଷ୍ଟକର ହୋଇପଡ଼ିଲାଣି। ବର୍ଷକ ତଳେ ମଧ୍ୟାହ୍ନଭୋଜନ ଦର ବଢ଼ିଥିଲେ ମଧ୍ୟ ଯେଉଁଭଳି ଭାବେ ବଜାରରେ ଦରଦାମ୍‌ ବଢ଼ିଛି ତାହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ପ୍ରାଥମିକ ବିଦ୍ୟାଳୟରେ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅର୍ଥକୁ ମିଶାଇ ପ୍ରାଥମିକ ବିଦ୍ୟାଳୟର ଜଣେ ପିଲାଙ୍କ ପିଛା ୧୧ ଟଙ୍କା ୧୫ ପଇସା ଦିଆଯାଉଥିବା ବେଳେ କେବଳ ଅଣ୍ଡା ଗୋଟିଏ କିଣିବାକୁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ବାକି ୧ ଟଙ୍କା ୧୫ ପଇସାରେ କିଭଳି ଅନ୍ୟାନ୍ୟ ରୋଷେଇ ସରଞ୍ଜାମ କିଣାଯିବ ତାହା ମଧ୍ୟାହ୍ନଭୋଜନ ପରିଚାଳକଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।

ଆଜି ପିଲାଙ୍କୁ ଗୋଟାଏ ଅଣ୍ଡା ଦିଆଯାଇ ନାହିଁ
ବିକଳ୍ପ ବ୍ୟବସ୍ଥା ପାଇଁ ଚାଲିଛି ମାନସମନ୍ଥନ
ଖାଇବା ତେଲ, ପରିବା ଦର ନିୟନ୍ତ୍ରଣ ବାହାରେ

ସାରା ଓଡ଼ିଶାରେ ଅଣ୍ଡା ଅଭାବ ସୃଷ୍ଟି ହୋଇଥିବାରୁ ଆଗକୁ ମଧ୍ୟାହ୍ନଭୋଜନ ଥାଳିରୁ ଅଣ୍ଡା ହଟିବା ପରିସ୍ଥିତି ଉପୁଜିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗତକାଲି କହିଥିଲେ ଯେ ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିବାରୁ ‌ପିଲାଙ୍କୁ ଅଣ୍ଡା ଖାଇବାକୁ ଦିଆଯାଉଛି। ଆବଶ୍ୟକୀୟ ଅଣ୍ଡା ଉତ୍ପାଦନ ହେଉ ନ ଥିବାରୁ ଯୋଗାଣରେ ସମସ୍ୟା ହେଉଥିବା ସେ କହିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବକ୍ତବ୍ୟ ପରେ ଆଗକୁ ଅଣ୍ଡା ସଙ୍କଟ ଜଳଜଳ ଦେଖାଦେଉଛି। ଯଦି ସେମିତି କିଛି ହୁଏ ତେବେ ବିଦ୍ୟାଳୟରେ ପିଲାଙ୍କୁ ଅଣ୍ଡା ବଦଳରେ ବିକଳ୍ପ ଖାଦ୍ୟ ଯୋଗାଇବାକୁ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛି। ଆଜି କେତେକ ବିଦ୍ୟାଳୟରେ ପିଲାଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ଦିଆଯାଇ ନ ଥିବା ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରିଥିବା ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button