Buddhist Guru: ଦ୍ବିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ସ୍ମୃତିରକ୍ଷାକୁ ଉପେକ୍ଷା: ଅଢ଼େଇ ବର୍ଷ ପରେ ବି ପ୍ରତିମୂର୍ତ୍ତି ସ୍ଥାପନ ନୋହିଲା
ଦ୍ବିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭବଙ୍କ ଆବିର୍ଭାବ ଝାରସୁଗୁଡ଼ା ଜିଲ୍ଲାର ପଦ୍ମପୁରରେ ହୋଇଥିବା ନେଇ ଆନ୍ତର୍ଜାତିକ ସ୍ତରରେ ପ୍ରମାଣିତ ହୋଇସାରିଛି। ଗତବର୍ଷଠାରୁ ପଦ୍ମପୁର ନିକଟ ଭିଖମପାଲିରେ ତାଙ୍କ ଜୟନ୍ତୀ ଉତ୍ସବ ପାଳନ ଆରମ୍ଭ ମଧ୍ୟ ହୋଇଛି।

ଝାରସୁଗୁଡ଼ା: ଦ୍ବିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭବଙ୍କ ଆବିର୍ଭାବ ଝାରସୁଗୁଡ଼ା ଜିଲ୍ଲାର ପଦ୍ମପୁରରେ ହୋଇଥିବା ନେଇ ଆନ୍ତର୍ଜାତିକ ସ୍ତରରେ ପ୍ରମାଣିତ ହୋଇସାରିଛି। ଗତବର୍ଷଠାରୁ ପଦ୍ମପୁର ନିକଟ ଭିଖମପାଲିରେ ତାଙ୍କ ଜୟନ୍ତୀ ଉତ୍ସବ ପାଳନ ଆରମ୍ଭ ମଧ୍ୟ ହୋଇଛି। ହେଲେ ତାଙ୍କର ସ୍ମୃତିରକ୍ଷା ଦିଗରେ ପ୍ରଶାସନିକ ଅବହେଳା ଏବେ ସମଗ୍ର ଜିଲ୍ଲାର ବୁଦ୍ଧିଜୀବୀଙ୍କ ପାଇଁ ଅସନ୍ତୋଷର କାରଣ ହେଲାଣି। ଆଜିକୁ ୪ ବର୍ଷରୁ ଅଧିକ ହେଲା ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ରମ୍ପାଲୁଗାରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଏଥିପାଇଁ ଦୁଇଥର ଟେଣ୍ଡର ହୋଇ ସାରିଥିଲେ ମଧ୍ୟ ନିର୍ମାଣ ଆରମ୍ଭ ହେଉନାହିଁ। ଏହି ପ୍ରତିମୂର୍ତ୍ତିଟି ବ୍ରୋଞ୍ଜରେ ତିଆରି ହେବା ପାଇଁ ଯୋଜନା ହୋଇଥିବା ବେଳେ ବର୍ତ୍ତମାନ ନୂତନ ଟେଣ୍ଡରରେ ଫାଇବର ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ପ୍ରଶାସନିକ ମହଲରେ ହୋଇଥିବା ଯୋଜନାକୁ ନେଇ ପଦ୍ମସମ୍ଭବ ଜନ୍ମପୀଠ ସୁରକ୍ଷା ସମିତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
୩ ବର୍ଷ ତଳୁ ବୌଦ୍ଧ ଧର୍ମର ଦ୍ବିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମପୀଠ ଲଖନପୁର ବ୍ଲକ୍ର ହୀରାକୁଦରେ ଜଳସମାଧି ନେଇଥିବା ପଦ୍ମପୁର ହୋଇଥିବା ନେଇ ଶାନ୍ତିନିକେତନ ବିଶ୍ବବିଦ୍ୟାଳୟରେ ଆୟୋଜିତ ଆନ୍ତର୍ଜାତିକ ସେମିନାରରେ ପ୍ରମାଣିତ ହୋଇଥିଲା। ପ୍ରଖ୍ୟାତ ଐତିହାସିକ ଡ. ପ୍ରବୀର ପଟ୍ଟନାୟକ ଏ ସଂକ୍ରାନ୍ତରେ ତଥ୍ୟଭିତ୍ତିକ ପ୍ରମାଣ ରଖିବା ପରେ ଏହାକୁ ସରକାରୀ ସ୍ତରରେ ସ୍ବୀକୃତି ମିଳିଥିଲା। ଏହାକୁ ନେଇ ସମଗ୍ର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଥିଲା। ଗତବର୍ଷଠାରୁ ଦ୍ବିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭବ ସ୍ମୃତିରକ୍ଷା ସମିତି ଗଠିତ ହୋଇ ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ତାଙ୍କର ଭବ୍ୟ ଜୟନ୍ତୀ ସମାରୋହ ବି ଆୟୋଜନ ହେଉଛି। ଏହାପରେ ତାଙ୍କର ସ୍ମୃତିରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରାୟ ଅଢ଼େଇ ବର୍ଷ ତଳେ ଏମ୍ସିଏଲ୍ ପକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଆସିଥିଲା। ଏହି ଅର୍ଥରେ ରମ୍ପାଲୁଗାସ୍ଥିତ ପାର୍କରେ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ପ୍ଲାଟ୍ଫର୍ମ ଉପରେ ୧୨ ଫୁଟର ବ୍ରୋଞ୍ଜ ପ୍ରତିମୂର୍ତ୍ତି ତିଆରି କରିବାକୁ ଯୋଜନା ହୋଇଥିଲା। ପଦ୍ମସମ୍ଭବ ପଦ୍ମଫୁଲ ଉପରେ ବିରାଜମାନ କରୁଥିବାରୁ ଉକ୍ତ ପ୍ରତିମୂର୍ତ୍ତି ମଧ୍ୟ ବ୍ରୋଞ୍ଜ ନିର୍ମିତ ବିରାଟ ପଦ୍ମଫୁଲ ଉପରେ ରଖିବାର ଯୋଜନା ହୋଇଥିଲା। ପ୍ରତିମୂର୍ତ୍ତି ବାବଦକୁ ୩୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଉକ୍ତ ପ୍ଲାଟ୍ଫର୍ମ ଉପରକୁ ଯାଇ ପର୍ଯ୍ୟଟକ ଶୁଆକାନୀ ଏବଂ ମହାନଦୀର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଭଳି ବ୍ୟବସ୍ଥା ରହିଥାନ୍ତା।
ଅଢ଼େଇ ବର୍ଷ ପରେ ବି ପ୍ରତିମୂର୍ତ୍ତି ସ୍ଥାପନ ନୋହିଲା
ବ୍ରୋଞ୍ଜରୁ ଫାଇବର୍ ପ୍ରତିମୂର୍ତ୍ତିକୁ ବଦଳିଲା ଯୋଜନା
ଉକ୍ତ ପ୍ରତିମୂର୍ତ୍ତି ପାଇଁ ଟେଣ୍ଡର ପ୍ରକାଶ ପାଇବା ପରେ କଟକ ଅଞ୍ଚଳର ଜଣେ ମୂର୍ତ୍ତିକାରଙ୍କୁ ନିର୍ମାଣ ଦାୟିତ୍ବ ମିଳିଥିଲା। ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ପୂର୍ବରୁ ଆବଶ୍ୟକ ମାଟି ଛାଞ୍ଚ ସହିତ ଆନୁଷଙ୍ଗିକ କାମ ବି ଅଧା ସରିଯାଇଥିଲା। ଲଖନପୁର ବ୍ଲକ୍ ପ୍ରଶାସନର କିଛି କର୍ମଚାରୀ ଉକ୍ତ ମୂର୍ତ୍ତିକାରଙ୍କ ପାଖକୁ ଯାଇ ହୋଇଥିବା କାମର ଅନୁଧ୍ୟାନ କରିବା ପରେ ତାଙ୍କୁ ପ୍ରାୟ ୩ ଲକ୍ଷ ଟଙ୍କାର ରନିଂ ବିଲ୍ ପ୍ରଦାନ କରିଥିଲେ। କିନ୍ତୁ ବିଡିଓ ବଦଳିବା ପରେ ସବୁ କିଛି ଫସର ଫାଟିଯାଇଛି। ନୂତନ ବିଡିଓ ଆସିବା ପରେ ପୁରୁଣା ଟେଣ୍ଡରକୁ ବାତିଲ କରିବା ସହ ବ୍ରୋଞ୍ଜ ପ୍ରତିମୂର୍ତ୍ତି ବଦଳରେ ଫାଇବର ମୂର୍ତ୍ତି ସ୍ଥାପନ ପାଇଁ ଯୋଜନା ହୋଇଥିବା ଜଣାପଡ଼ିଛି। ନିର୍ଜନ ସ୍ଥାନରେ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ହେଲେ ଚୋରି ଆଶଙ୍କାରେ ଫାଇବର ମୂର୍ତ୍ତି ସ୍ଥାପନ ପାଇଁ ବ୍ଲକ୍ ପ୍ରଶାସନ ଯୋଜନା କରିଥିବା ସୂଚନା ମିଳିଛି। ହେଲେ ଅଢ଼େଇ ଟନ୍ ଓଜନର ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ପାଚେରିଘେରା ପାର୍କ ଭିତରୁ କିଏ ଚୋରି କରିବ ବୋଲି ସ୍ମୃତିରକ୍ଷା ସମିତି ପ୍ରଶ୍ନ କରିଛି।
ସୌଜନ୍ୟ ସମ୍ବାଦ




