Protest: ଚକମା ଦେଲା କଂଗ୍ରେସ; ରାହୁଲଙ୍କୁ ଉଠାଇନେଲା ପୁଲିସ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ଅସ୍ତ୍ର କରିଥିବା କଂଗ୍ରେସ ଦଳ ଆଜି ଦିଲ୍ଲୀରେ ସରକାରଙ୍କୁ ଚକମା ଦେଇଛି। ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଧାନମନ୍ତ୍ରୀ ରହୁଥିବା ୭, ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନ ନିକଟରେ...

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ଅସ୍ତ୍ର କରିଥିବା କଂଗ୍ରେସ ଦଳ ଆଜି ଦିଲ୍ଲୀରେ ସରକାରଙ୍କୁ ଚକମା ଦେଇଛି। ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଧାନମନ୍ତ୍ରୀ ରହୁଥିବା ୭, ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନ ନିକଟରେ ହଠାତ୍ ଧାରଣାରେ ବସି ଆନ୍ଦୋଳନ କରିଥିଲେ। ପୁଲିସ ଓ ଗୁଇନ୍ଦା ଏ ସଂପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲା। କଂଗ୍ରେସ ଦଳର ଏହି ରଣନୀତି କିଛି ସମୟ ପାଇଁ ସରକାର ଓ ପ୍ରଶାସନର ନିଦ ହଜାଇ ଦେଇଥିଲା।
ଅପରାହ୍ଣ ପ୍ରାୟ ସାଢ଼େ ୩ଟାରୁ କଂଗ୍ରେସ ନେତାମାନେ ଧାରଣା ଆରମ୍ଭ କରିଦେଇଥିଲେ। ଧାରଣାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ମଧ୍ୟ ଧାରଣାରେ ବସିଥିଲେ। କଂଗ୍ରେସ ସାଂସଦ ଓ ବରିଷ୍ଠ ନେତାମାନେ ସଡ଼କକୁ ଓହ୍ଲାଇବାର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଧାରଣା ସ୍ଥଳରେ ପହଞ୍ଚି ରାହୁଲଙ୍କ ସହ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଯାଇଥିଲେ। ଶାହଙ୍କ ସହ ଆଲୋଚନା ପରେ ପୁଣି ସେ ରାହୁଲଙ୍କ ସହ କଥା ହୋଇଥିଲେ।
ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ରାହୁଲଙ୍କ ଦାବି ଥିଲା ନିଟ୍ ପ୍ରସଙ୍ଗରେ ସଂସଦରେ ଆଲୋଚନା କରାଯାଉ। ରାହୁଲଙ୍କ ଉକ୍ତ ଦାବିକୁ ମଧ୍ୟ ଗ୍ରହଣ କରାଯାଇଥିଲା। କିନ୍ତୁ ରାହୁଲ ତାଙ୍କର ପୂର୍ବ କଥାରୁ ଓହରି ଯାଇ ଆମର ଦୁଇଟି ଦାବି ରହିଛି ବୋଲି କହୁଛନ୍ତି। ପ୍ରଥମ ଦାବି ସଂସଦରେ ନିଟ୍ ପ୍ରସଙ୍ଗରେ ଆଲୋଚନା ଏବଂ ଦ୍ବିତୀୟ ଦାବି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। ଆନ୍ଦୋଳନସ୍ଥଳରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମଧ୍ୟ ପହଞ୍ଚି ଉକ୍ତ ସ୍ଥାନ ଆନ୍ଦୋଳନ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଥିଲେ। ଏହାର ଉତ୍ତରରେ ରାହୁଲ କହିଥିଲେ ମୁଁ ଯେଉଁଠି ଚାହିବି ସେଠାରେ ବସି ପାରିବି।
ସୌଜନ୍ୟ ସମ୍ବାଦ




