ଜାତୀୟ

2.56 Billion Year Old Granite : ଭାରତରେ ୨ୟ ସର୍ବପ୍ରାଚୀନ ଗ୍ରାନାଇଟ୍, ୨୫୬ କୋଟି ବର୍ଷ ପୁରୁଣା

ନୂଆଦିଲ୍ଲୀ ୨୨/୦୭: ମଧ୍ୟପ୍ରଦେଶରେ ୨୫୬ କୋଟି ବର୍ଷ ତଳର ଏକ ଗ୍ରାନାଇଟ୍ ଚିହ୍ନଟ ହୋଇଛି । ଏହା ବିଶ୍ୱର ଅନ୍ୟତମ ସର୍ବପ୍ରାଚୀନ ଗୋଲାକାର ଗ୍ରାନାଇଟ୍ ବୋଲି ଗବେଷକମାନେ କହିଛନ୍ତି । ଜିଓସିଷ୍ଟମ୍ସ ଆଣ୍ଡ ଜିଓଏନ୍‌ଭିରନ୍‌ମେଣ୍ଟ ପତ୍ରିକାରେ ସଦ୍ୟ ଅଧ୍ୟୟନ ପ୍ରକାଶ ପାଇଛି । ଅସାଧାରଣ ଘୂର୍ଣ୍ଣାୟମାନ ଢାଞ୍ଚା ପାଇଁ ଏହି ପ୍ରାଚୀନ ଶିଳା ଭୂବୈଜ୍ଞାନିକଙ୍କ ଧ୍ୟାନ ଆକର୍ଷଣ କରିଛି । ଏ ଧରଣର ଶିଳା ବିଶ୍ୱରେ ଅତ୍ୟନ୍ତ ବିରଳ । ଖୁବ୍ ପ୍ରାଚୀନ ହୋଇଥିଲେ ମଧ୍ୟ, ଏହାର ସଂରଚନା ଭୂତାତ୍ତ୍ୱିକ ପ୍ରକ୍ରିୟାକୁ ଭଲଭାବେ ବୁଝିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରୁଛି । ୨୫୦ କୋଟିରୁ ଉଦ୍ଧ୍ୱର୍ ବର୍ଷ ପୂର୍ବେ ପୃଥିବୀର ମହାଦେଶୀୟ କ୍ରଷ୍ଟ (ଭୂପୃଷ୍ଠ ତଳର ପରସ୍ତ)କୁ ଏହା ଆକାର ଦେଇଥିଲା ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି ।

ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର କୁଟାୱାଲି ଗାଁ ନିକଟରେ ଭାରତର ସର୍ବପ୍ରାଚୀନ ଭୂତାତ୍ତ୍ୱିକ କ୍ଷେତ୍ର ବୁନ୍ଦେଲଖଣ୍ଡ କ୍ରାଟନ ମଧ୍ୟରେ ପିଛୋର ଘୂର୍ଣ୍ଣାୟମାନ ଗ୍ରାନାଇଟ୍‌କୁ ଚିହ୍ନଟ କରାଯାଇଛି । ୩୦ ସେମି ବ୍ୟାସ ଯାଏ ବିସ୍ତୃତ ସ୍ୱତନ୍ତ୍ର ଘୂର୍ଣ୍ଣାୟମାନ ସଂରଚନା ଏହାକୁ ସାଧାରଣ ପଥରଠୁ ଭିନ୍ନ କରିଛି । ପ୍ରତ୍ୟେକ ଗୋଲାକାର ବଳୟର ଏକ କେନ୍ଦ୍ର ରହିଛି, ଯାହା ମୁଖ୍ୟତଃ କ୍ୱାର୍ଟଜ, ଫେଲ୍ଡସ୍ପାର ଓ ମିକା ଦ୍ୱାରା ପ୍ରସ୍ତୁତ ଅନେକ ଖଣିଜ ପରସ୍ତ ଦ୍ୱାରା ଆବୃତ୍ତ । ଏହି ଖଣିଜ ପଥରକୁ ଅନନ୍ୟ ରୂପ ପ୍ରଦାନ କରିଛି ।

ୟୁରାନିୟମ୍-ସୀସା (ୟୁ-ପିବି) ଜିରକନ୍ ଡେଟିଂ ଜରିଆରେ ଗବେଷକମାନେ ଜାଣିବାକୁ ପାଇଲେ, ପିଛୋର ଗ୍ରାନାଇଟ୍ ପ୍ରାୟ ୨୫୬ କୋଟି ବର୍ଷ ପୂର୍ବେ ସ୍ଫଟିକୀକୃତ ହୋଇଥିଲା । ଅଦ୍ୟାବଧି ଆବିଷ୍କୃତ ଘୂର୍ଣ୍ଣାୟମାନ ଗ୍ରାନାଇଟ୍ ମଧ୍ୟରେ ଏହା ୨ୟ ସର୍ବପ୍ରାଚୀନ । ଏହା ପୂର୍ବରୁ ପଶ୍ଚିମ ଅଷ୍ଟ୍ରେଲିଆରେ ସର୍ବପ୍ରାଚୀନ ଘୂର୍ଣ୍ଣାୟମାନ ଗ୍ରାନାଇଟ୍ ଆବିଷ୍କୃତ ହୋଇଥିଲା । ଅଧ୍ୟୟନରୁ ଗବେଷକମାନେ ଜିରକନ୍ ସ୍ଫଟିକର ଉପସ୍ଥିତି ପାଇଲେ, ଯାହା ପ୍ରାୟ ୩୫୦ କୋଟି ବର୍ଷ ପୁରୁଣା ଥିଲା । ଏହି ଅବଶେଷ ଆହୁରି ପ୍ରାଚୀନ ଭୂପୃଷ୍ଠର ନିମ୍ନ ପରସ୍ତକୁ ଦର୍ଶାଉଛି, ଯାହା ପରେ ନୂଆ ଗ୍ରାନାଇଟ୍ ସହିତ ମିଶିଥିଲା । ପୃଥିବୀର ପ୍ରାରମ୍ଭିକ ଭୂପୃଷ୍ଠ ତଳ ପରସ୍ତର ନିଓଆର୍କିଆନ ଯୁଗରେ ପୁନଃଚକ୍ରଣ ଆରମ୍ଭ ହୋଇସାରିଥିଲା ବୋଲି ଏହି ପ୍ରାଚୀନ ଖଣିଜ ଅବଶେଷ ପ୍ରମାଣ ଦେଇଛି । ଏହି ଗ୍ରାନାଇଟ୍‌କୁ ନେଇ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହାର ସ୍ୱତନ୍ତ୍ର ଘୂର୍ଣ୍ଣାୟମାନ ଢାଞ୍ଚା କିଭଳି ସୃଷ୍ଟି ହେଲା? ପିଛୋର ଗ୍ରାନାଇଟ୍ ଏହି ବହୁ ପୁରୁଣା ଭୂତାତ୍ତ୍ୱିକ ରହସ୍ୟର ସମାଧାନରେ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ବୋଲି ଗବେଷକମାନେ କହିଛନ୍ତି । ସେମାନଙ୍କ ଅନୁସାରେ, ନିଓଆର୍କିଆନ ଯୁଗରେ ପୃଥିବୀପୃଷ୍ଠ ତଳେ ଅତ୍ୟନ୍ତ ଗଭୀରରେ ଏହି ଗ୍ରାନାଇଟ୍ ସୃଷ୍ଟି ହୋଇଥିଲା । ଏହି ଯୁଗରେ ପୃଥିବୀର ବିକାଶ ଚାଲିଥିଲା ଏବଂ ସ୍ଥାୟୀ ମହାଦେଶଗୁଡ଼ିକର ଅଭ୍ୟୁଦୟ ଆରମ୍ଭ ହେଉଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button