ରାଜ୍ୟ

Adapa abadha : ଶ୍ରଦ୍ଧାଳୁଙ୍କ ପକେଟ୍‌କୁ ବାଧୁଛି ଆଡ଼ପ ଅବଢ଼ା ଦର, ମାଗଣା ଅନ୍ନ ବଣ୍ଟନ କେନ୍ଦ୍ରରେ ପୂରୁଛି ପେଟ

ଆଡ଼ପ ଅବଢା ଦର ଅମୂଲ ମୂଲ। ପରିବାର ସହ ପେଟପୂରା ଅବଢ଼ା ଖାଇଲେ ୧ ହଜାର ଖର୍ଚ୍ଚ। ଘରକୁ ବାନ୍ଧିଲେ ଆଉ ହଜାରେ ଖର୍ଚ୍ଚ। ମାଗଣା ଅନ୍ନ ବଣ୍ଟନ କେନ୍ଦ୍ରରେ ପେଟ ପୂରାଇବାକୁ ଶ୍ରଦ୍ଧାଳୁ ବାଧ୍ୟ।

ପୁରୀ, ୨୨/୦୭ : ପାଗ ଭଲ ଥିବାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ୨ ଦିନ ଧରି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସୋମବାର ଅପେକ୍ଷା ମଙ୍ଗଳବାର ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଡ଼ପ ଅବଢ଼ା ଖାଇଥିଲେ । ଏଥିସହ ବ୍ରାହ୍ମଣ ଭୋଜନ ପ୍ରଦାନ ସାଙ୍ଗକୁ ଦାନ ଦେଇ ପରିବାରର ମଙ୍ଗଳ କାମନା କରିଥିଲେ । ଆଡ଼ପ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଅବଢ଼ା ଦର ଅମୂଲମୂଲ ହୋଇଛି । ଅବଢ଼ାରେ ସାଦା ଅନ୍ନ, ଡାଲି, ବେସର, ମହୁର, ଖଟା ଛୋଟ ଥାଳି ଦର ୧୦୦ ଟଙ୍କା ହୋଇଥିବା ବେଳେ ଖେଚେଡ଼ି, ଡାଲମା, ବେସର, ମହୁର, ଖଟା ଖାଇଲେ ଏହାର ଛୋଟ ପ୍ଲେଟ ଦର ୨୫୦ ଟଙ୍କା । ସେପଟେ ପାରମାଣିକ ଟିକେଟ୍‌ ଦର ୫୦ ଟଙ୍କା ହୋଇଥିଲେ ହେଁ ଅନେକ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଟିକେଟ୍‌ କାଟି ଶ୍ରୀଗୁଣ୍ଡିଚା ମନ୍ଦିର ପାଟ ଅଗଣା ଭିତରେ ଲମ୍ବା ଧାଡ଼ି କରି ଅପେକ୍ଷା କରି ରହୁଛନ୍ତି ।

ସେହିପରି ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁ ପେଟପୂରା ଅବଢ଼ା ଖାଇଲେ ପ୍ରାୟ ୧ ହଜାର ଟଙ୍କା ଖର୍ଚ୍ଚ । ଘରକୁ ନେବା ନିମନ୍ତେ ବାନ୍ଧିବା ବେଳକୁ ଆଉ ହଜାରେ ଖର୍ଚ୍ଚ । ବ୍ରାହ୍ମଣ ଭୋଜନ ଓ ଦାନ ଦେବାକୁ ହେଲେ ଏବାବଦରେ ୨୦୦ରୁ ୩୦୦ ଟଙ୍କା ଖର୍ଚ୍ଚ । ସେହିପରି ଶ୍ରୀଜିଉମାନଙ୍କୁ ରତ୍ନବେଦି ନିକଟରୁ ଦର୍ଶନ କରିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ପାରମାଣିକ ଟିକେଟ୍‌ କରିବାକୁ ପଡ଼ୁଛି । ଏବାବଦରେ ଜଣଙ୍କ ପିଛା ୫୦ ଟଙ୍କା ହିସାବରେ ଦାମ୍‌ ଦେବାକୁ ପଡ଼ୁଛି । ଗରିବ ଶ୍ରେଣୀର ଶ୍ରଦ୍ଧାଳୁଙ୍କୁ ଏହି ଅହେତୁକ୍‌ ଦାମ୍‌ ବାଧୁଥିବା ବେଳେ ମଧ୍ୟମ ବର୍ଗର ପରିବାର ବାଧ୍ୟ ବାଧ୍ୟକତାରେ ଖର୍ଚ୍ଚ କରୁଛି । ପକେଟରେ ଟଙ୍କା ନଥିଲେ ଗରିବ ଭକ୍ତଙ୍କୁ ଆଡ଼ପ ମଣ୍ଡପ ରତ୍ନବେଦି ନିକଟରୁ ମହାପ୍ରଭୁଙ୍କ ଦର୍ଶନ ମନା । ସେହିପରି ପକେଟରେ ଟଙ୍କା ନଥିଲେ ଘରକୁ ନେବା ଦୂର କଥା, ସେମାନେ ପେଟପୂରା ଅବଢ଼ା ଖାଇପାରୁନାହାନ୍ତି । ତେଣୁ ସାଧାରଣ ଲାଇନ୍‌ରେ ମହାପ୍ରଭୁଙ୍କ ଦର୍ଶନ ପରେ ତୁଣ୍ଡରେ ଆଡ଼ପ ଅବଢ଼ା ଲଗାଇ ଗରିବ ଶ୍ରଦ୍ଧାଳୁମାନେ ଘରକୁ ଯାଉଛନ୍ତି । ପେଟ ପୂରାଇବା ନିମନ୍ତେ ଅନେକ ବସ୍‌ଷ୍ଟାଣ୍ଡ ଓ ଅନ୍ୟ ସ୍ଥାନମାନଙ୍କରେ ମାଗଣା ଅନ୍ନଦାନ କେନ୍ଦ୍ରକୁ ଯାଉଛନ୍ତି ।

ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁହାଇବା ଭଳି ଦରରେ ଅବଢ଼ା ବଣ୍ଟନ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଗଲାନାହିଁ । ଏନେଇ ବାଲେଶ୍ୱରର ମଦନ ବେହେରା କହିଛନ୍ତି, ୫୦୦ ଟଙ୍କା ନେଇ ପରିବାର ସହ ପୁରୀକୁ କାଳିଆ ଦର୍ଶନ ନିମନ୍ତେ ଆସିଥିଲେ । ଟ୍ରେନ୍‌ ଭଡ଼ା ଯିବା ଆସିବା ଦର ଦେବା ପରେ ୨୦୦ ଟଙ୍କା ଦେଇ ଅବଢ଼ା ଖାଇଥିଲେ । ପିଲାମାନଙ୍କ ନିମନ୍ତେ ଗୋଟିଏ କଣ୍ଡେଇ ଶରଧାବାଲିରୁ କିଣି ଦେବା ପରେ ପକେଟରେ ଆଉ ଟଙ୍କା ନଥିଲା । ତେଣୁ ବାଧ୍ୟ ହୋଇ ପେଟ ପୂରାଇବା ନିମନ୍ତେ ସମସ୍ତେ ପରିବାର ସହ ବସ୍‌ଷ୍ଟାଣ୍ଡରେ ଦିଆଯାଇଥିବା ମାଗଣା ଅନ୍ନ ବଣ୍ଟନ କେନ୍ଦ୍ରକୁ ଯାଇଥିଲୁ । ପ୍ରଶାସନ ଯଦି ସ୍ୱଳ୍ପ ମୂଲ୍ୟରେ ପେଟପୂରା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା କରନ୍ତା ବେଶ ଭଲ ହୁଅନ୍ତା ବୋଲି ବୋଲି ମଦନ କହିଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button