ରାଜ୍ୟ

Humanity story : ବାପ ଛେଉଣ୍ଡ ଝିଅକୁ ସାହା ହେଲେ ମୁସଲିମ୍ ବ୍ୟକ୍ତି, ହିନ୍ଦୁ ଯୁବକଙ୍କ ସହ ରୀତିନୀତିରେ କରାଇଲେ ବାହାଘର

ବାଲିପାଟଣା,୨୨/୦୭ : ବାପ ଛେଉଣ୍ଡ ଗରିବ ହିନ୍ଦୁ ଝିଅକୁ ସାହା ହେଲେ ମୁସଲିମ୍‌ ବ୍ୟକ୍ତି। ନିଜର ଝିଅ ଭାବେ ଗ୍ରହଣ କରି ତାକୁ ଏକ ହିନ୍ଦୁ ପୁଅ ସହିତ ପାରମ୍ପରିକ ରୀତିରେ ବିବାହ ଦେଇଛନ୍ତି। ହିନ୍ଦୁ ମୁସଲିମ୍‌ ଭାଇଚାରାର ନିଦର୍ଶନ ଓ ମାନବିକତାର ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲିପାଟଣା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ନିମାପଡ଼ା ଥାନା ଅଧୀନ ଗଡ଼ତାରିଆ ଗାଁର ପୂଜା ନାୟକ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇଯାଇଥିଲେ । ପରିବାର ଅବସ୍ଥା ଏତେ ଖରାପ ଯେ ଚଳିବା କଷ୍ଟକର ହେଉଥିଲା । ଯେଉଁଠି ଘର ଚଳିବା ସହଜ ନଥିଲା ସେଥିରେ ପୁଣି ବଢ଼ିଲା ଝିଅ ପୂଜା କଥା ଚିନ୍ତା କରିବ କିଏ । ତାଙ୍କର ଏଭଳି ଅବସ୍ଥା ଦେଖି ବାଲିପାଟଣା ସାହେବ ନଗର ଗ୍ରାମର ସମାଜସେବୀ ଆଜାଦ ଅଲ୍ଲୀ ଖାନ୍‌ ପୂଜାକୁ ନିଜର ଝିଅ କରିନେଲେ । ତା’ର ସମସ୍ତ ଦାୟିତ୍ୱ ନେବା ସହ ତା’ପାଇଁ ଗୋଟିଏ ହିନ୍ଦୁ ଧର୍ମର ବର ଖୋଜିଥିଲେ । ଶେଷରେ ବାଲିପାଟଣା ଥାନା ଅଠାନ୍ତର ଗ୍ରାମର ଜଣେ ହିନ୍ଦୁ ଯୁବକଙ୍କ ସହିତ ତା’ର ବିବାହ କରାଇଛନ୍ତି । ବିବାହର ସମସ୍ତ ଖର୍ଚ୍ଚ ଆଜାଦ ବହନ କରିଛନ୍ତି । ସ୍ଥାନୀୟ ମା’ ଗିରିଙ୍ଗେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଛି । ଆଖପାଖ ଅଞ୍ଚଳର ଶତାଧିକ ଲୋକ ଏହି ବିବାହ ଉତ୍ସବରେ ଯୋଗଦେଇ ବରକନ୍ୟାଙ୍କୁ ଆଶୀର୍ବାଦ କରିବା ସହ ଆଜାଦଙ୍କ ଏଭଳି କାର୍ଯ୍ୟକୁ ସ୍ୱାଗତ କରିଛନ୍ତି । ଜାତି ଧର୍ମ ଭୁଲି ସେ ଝିଅଟିକୁ ନିଜ ଝିଅ ଭାବେ ଗ୍ରହଣ କରିବା ଓ ଗୋଟିଏ ହିନ୍ଦୁ ପରିବାରରେ ବିବାହ ଦେଇଥିବାରୁ ସବୁ ଧର୍ମର ଲୋକେ ତାଙ୍କର ପ୍ରଶଂସା କରିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button