CJP: ସିଜେପି ଆନ୍ଦୋଳନ ପାଇଁ ସୁପ୍ରିମ୍କୋର୍ଟ ମେଟ୍ରୋ ଷ୍ଟେସନ୍ ବନ୍ଦ: ପ୍ରଧାନ ବିଚାରପତି କହିଲେ ମୁଁ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିବି
ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଯୋଗୁ ପ୍ରମୁଖ ମେଟ୍ରୋ ଷ୍ଟେସନଗୁଡ଼ିକ ବନ୍ଦ ରହିଥିବାରୁ ସୁପ୍ରିମ୍କୋର୍ଟକୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସୁପ୍ରିମ୍କୋର୍ଟ ବାର୍ ଏସୋସିଏସନ୍ (ଏସ୍ସିବିଏ) ଏନେଇ ଗଭୀର ଚିନ୍ତା ପ୍ରକଟ କରିଛି।

ନୂଆଦିଲ୍ଲୀ: ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଯୋଗୁ ପ୍ରମୁଖ ମେଟ୍ରୋ ଷ୍ଟେସନଗୁଡ଼ିକ ବନ୍ଦ ରହିଥିବାରୁ ସୁପ୍ରିମ୍କୋର୍ଟକୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସୁପ୍ରିମ୍କୋର୍ଟ ବାର୍ ଏସୋସିଏସନ୍ (ଏସ୍ସିବିଏ) ଏନେଇ ଗଭୀର ଚିନ୍ତା ପ୍ରକଟ କରିଛି। ଏସ୍ସିବିଏ ସଭାପତି ବିକାଶ ସିଂହ ଆଜି ଏହି ପ୍ରସଙ୍ଗ ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ସୁପ୍ରିମ୍କୋର୍ଟ ଷ୍ଟେସନ୍ ସମେତ ଦିଲ୍ଲୀର ଅନେକ ମେଟ୍ରୋ ଷ୍ଟେସନ୍ ବନ୍ଦ ଥିବାରୁ ଓକିଲ, ଆବେଦନକାରୀ ଓ ଅଦାଲତ କର୍ମଚାରୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି ମଧ୍ୟାହ୍ନ ସୁଦ୍ଧା ଷ୍ଟେସନ୍ ଖୋଲିବା ନେଇ କୌଣସି ପଦକ୍ଷେପ ନିଆନଯାଏ ତେବେ ଆମେ ଏହି ବିଷୟକୁ ନିଜେ ଦେଖିବୁ। ସିଜେଆଇ ମଧ୍ୟ ବାର୍କୁ ନିଶ୍ଚିତ କରାଇଛନ୍ତି ଯେ ଆବଶ୍ୟକ ପଡ଼ିଲେ ସେ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିବେ।
ଅନ୍ୟପଟେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଛାତ୍ରମାନଙ୍କ ଉପରେ ପୁଲିସ ବର୍ବରତା ବିରୋଧରେ ଗୁରୁବାର ସୁପ୍ରିମ୍କୋର୍ଟର ଓକିଲମାନେ ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ସମ୍ବିଧାନର ମୁଖବନ୍ଧ ଆବୃତ୍ତି କରିଛନ୍ତି। ‘ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ’ ଅଭିଯାନ ଅନ୍ତର୍ଗତ ଓକିଲମାନେ ଛାତ୍ରମାନଙ୍କୁ ସମର୍ଥନ ଜଣାଇବା ସହିତ ସେମାନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଏହି ଅବସରରେ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ, ଏସ୍ ମୁରଲୀଧର ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା।
ସୌଜନ୍ୟ ସମ୍ବାଦ




