ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ ଯୋଗୁଁ ଭକ୍ତ ଓ କାଉଡ଼ିଆମାନଙ୍କୁ ପାଞ୍ଚଟି ଶିବଲିଙ୍ଗ ସ୍ପର୍ଶ କରିବାକୁ ବାରଣ କରାଯାଇଛି।
ଲଗାଣ ବର୍ଷା ଯୋଗୁଁ ଦେବଗିରି ପାହାଡ଼ରୁ ପ୍ରବାହିତ ଝରଣାରେ ଜଳସ୍ରୋତ ବହୁତ ବଢ଼ିଯାଇଛି। ପଥର ଖୋଳ ଦେଇ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଥିବାରୁ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରବିବାର ରାତିଠାରୁ ପାଞ୍ଚଟି ଶିବଲିଙ୍ଗ ସ୍ପର୍ଶ ଉପରେ କଟକଣା ଜାରି କରାଯାଇଛି।
ବର୍ତ୍ତମାନ କାଉଡ଼ିଆ ଓ ଭକ୍ତମାନେ କେବଳ ପୂଜାମଣ୍ଡପର ଦୀପ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ପୂଜାର୍ଚ୍ଚନା କରୁଛନ୍ତି। ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ ଯେ, ଦେବଗିରି ପର୍ବତମାଳାର ଏକ ଚିରସ୍ରୋତା ଝରଣାର ପଥର ଖୋଳ ମଧ୍ୟରେ ଆବିର୍ଭୂତ ପାଞ୍ଚଟି ଶିବଲିଙ୍ଗଙ୍କୁ ବାବା ପଞ୍ଚଲିଙ୍ଗେଶ୍ୱର ଭାବେ ଶ୍ରଦ୍ଧାଳୁମାନେ ପୂଜା କରିଆସୁଛନ୍ତି। ଏଠାରେ ନୀରଶଯ୍ୟାରେ ବିରାଜମାନ ପାଞ୍ଚଟି ଶିବଲିଙ୍ଗଙ୍କୁ ସ୍ପର୍ଶ କରି ଦର୍ଶନ କରିବାର ପରମ୍ପରା ରହିଛି। ଭକ୍ତମାନଙ୍କ ବିଶ୍ୱାସ ଅନୁଯାୟୀ, ପାଞ୍ଚଟି ଶୈବପୀଠରେ ପୂଜା କଲେ ଯେଉଁ ପୁଣ୍ୟ ଲାଭ ହୁଏ, ପଞ୍ଚଲିଙ୍ଗେଶ୍ୱରରେ ପୂଜା କଲେ ସେହି ସମାନ ପୁଣ୍ୟ ମିଳିଥାଏ।
ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ହଜାର ହଜାର କାଉଡ଼ିଆଙ୍କ “ବୋଲ ବମ୍, ହର ହର ବମ୍” ଏବଂ “ଭୋଲା ବାବା ପାର୍ କରେଗା” ଧ୍ୱନିରେ ସମଗ୍ର ପୀଠ ପ୍ରକମ୍ପିତ ହୋଇଉଠିଥିଲା। ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର କାଉଡ଼ିଆ ବାଲେଶ୍ୱରର ବାଲିଘାଟ, ନୀଳଗିରିର କାଠପାଳ ଏବଂ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ସ୍ଥିତ ସୋନ ନଦୀରୁ ବିଧିବିଧାନ ଅନୁଯାୟୀ ଜଳ ସଂଗ୍ରହ କରି ପାଦରେ ଚାଲିଚାଲି ପଞ୍ଚଲିଙ୍ଗେଶ୍ୱର ପୀଠରେ ପହଞ୍ଚିଥିଲେ। ସେଠାରେ ୩୧୧ଟି ପାହାଚ ଅତିକ୍ରମ କରି ଲାଇନରେ ଯାଇ ଭକ୍ତମାନେ ପୂଜାମଣ୍ଡପ ପର୍ଯ୍ୟନ୍ତ ପହଞ୍ଚି ବାବାଙ୍କୁ ଜଳାଭିଷେକ ଓ ପୂଜାର୍ଚ୍ଚନା କରୁଛନ୍ତି।
ସୌଜନ୍ୟ ଧରିତ୍ରୀ




