Allowance: ଗରିବଙ୍କୁ ଉପହାସ ସରକାରୀ ବ୍ୟବସ୍ଥା… ଭତ୍ତା ହଜାରେକୁ ଭଡ଼ା ହଜାରେ
ବୁଢ଼ାବୁଢ଼ୀ ଓ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତି ମାସରେ ଭତ୍ତା ବାଣ୍ଟୁଛନ୍ତି ସରକାର। ହେଲେ, ଉପାନ୍ତ ଅଞ୍ଚଳର ଗରିବ ହିତାଧିକାରୀଙ୍କ ଲାଗି ଏହି ସରକାରୀ ସହାୟତା ଉପହାସ ପାଲଟିଛି।

କପିଳେନ୍ଦ୍ର ପ୍ରଧାନ
ଅନୁଗୋଳ: ବୁଢ଼ାବୁଢ଼ୀ ଓ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତି ମାସରେ ଭତ୍ତା ବାଣ୍ଟୁଛନ୍ତି ସରକାର। ହେଲେ, ଉପାନ୍ତ ଅଞ୍ଚଳର ଗରିବ ହିତାଧିକାରୀଙ୍କ ଲାଗି ଏହି ସରକାରୀ ସହାୟତା ଉପହାସ ପାଲଟିଛି। ପଞ୍ଚାୟତ କାର୍ଯ୍ୟାଳୟରୁ ହଜାରେ ଟଙ୍କା ଭତ୍ତା ଆଣିବାକୁ କିଏ ୫ଶହ ଟଙ୍କା ଅଟୋଭଡ଼ା ଗଣୁଛି ତ’ ଆଉ କିଏ ହଜାରେ ଟଙ୍କା ଖର୍ଚ୍ଚ କରୁଛି। ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ବହୁ ଗାଁର ହିତାଧିକାରୀ ହଜାରେ ଟଙ୍କା ଭତ୍ତା ପାଇବା ଲାଗି ପ୍ରତିମାସରେ ଏମିତି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳରେ ରହିଛି ଟିକରପଡ଼ା ଗ୍ରାମପଞ୍ଚାୟତ। ଟିକରପଡ଼ା ପଞ୍ଚାୟତର ମଝିପଡ଼ା, ଅଁଳା ଖଣି, ବେହେରାସାହି ଓ ଗଇନ୍ଦି ଭଳି ବହୁ ଗାଁ, ପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୦ରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ। ୬୦ରୁ ଅଧିକ ପରିବାର ବାସ କରୁଥିବା ମଝିପଡ଼ା ଗାଁରେ ଏବେ ୧୨ ଜଣ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ହେଲେ, ସେମାନଙ୍କ ମଧ୍ୟରୁ ଗଙ୍ଗାଧର ବେହେରା, ସଂଯୁକ୍ତା ଯାନୀ, ସୋମବାରୀ ବେହେରାଙ୍କ ଭଳି ୬ ଜଣ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଜରିଆରେ ଭତ୍ତା ପାଉଥିବା ବେଳେ ଅନ୍ୟ ୬ ଜଣ ବ୍ୟାଙ୍କଖାତା ଜରିଆରେ ଭତ୍ତା ପାଉଛନ୍ତି। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଫିଙ୍ଗର ପ୍ରିଣ୍ଟ ଓ ଆଖି ସ୍କାନିଂ ଜରିଆରେ ଭତ୍ତା ପାଉଥିବା ହିତାଧିକାରୀ ପ୍ରତିମାସରେ ଭତ୍ତା ଟଙ୍କା ଆଣିବାକୁ ଟିକରପଡ଼ା ଯାଇଥାନ୍ତି। କିନ୍ତୁ, ଏ ବୟସରେ ସେମାନେ ଚାଲିଚାଲି ପଞ୍ଚାୟତ କାର୍ଯ୍ୟାଳୟ ଯିବା ସମ୍ଭବ ହେଉନଥିବାରୁ କେବଳ ଅଟୋରିକ୍ସା ଭଡ଼ା ବାବଦରେ ସେମାନଙ୍କ ୫୦୦ ଟଙ୍କା ଖର୍ଚ୍ଚ ହୋଇଯାଉଛି।
ଭତ୍ତା ଆଣିବାକୁ ୧୦ରୁ ୪୦ କିମି ଦୂର ଯାତ୍ରା
ଅଟୋଭଡ଼ାରେ ସରିଯାଉଛି ଅର୍ଥ
ଗାଁରେ ଭତ୍ତା ଦେବାକୁ ଉଠିଲା ଦାବି
ଅପରପକ୍ଷରେ ମଝିପଡ଼ାର ଅନ୍ୟ ୬ ଜଣ ହିତାଧିକାରୀଙ୍କୁ ବ୍ୟାଙ୍କଖାତାରୁ ଭତ୍ତା ଟଙ୍କା ଉଠାଇବା ଲାଗି ଗାଁରୁ ୩୦ରୁ ୪୦ କିଲୋମିଟର ଦୂର ଜଗନ୍ନାଥପୁର, କରତପଟା ନଚେତ୍ ବନ୍ତଳାରେ ଥିବା ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ୁଛି। ଏହି ହିତାଧିକାରୀଙ୍କୁ ହଜାରେ ଟଙ୍କା ଭତ୍ତା ପାଇବା ଲାଗି ହଜାରେ ଟଙ୍କା ଅଟୋଭଡ଼ା ଦେବାକୁ ପଡ଼ିଥାଏ। ତେଣୁ, ସେମାନେ ୩-୪ ମାସରେ ଥରେ ଏକକାଳୀନ ଭତ୍ତା ଉଠାଇବାକୁ ଆସୁଥିବା କହିଛନ୍ତି। ଭତ୍ତା ପାଇବା ପାଇଁ ମଝିପଡ଼ା ଗ୍ରାମ ସଭାପତି ଘାସିରାମ ଯାନୀ କହିଛନ୍ତି, ଯଦି ପ୍ରତିମାସରେ ଭତ୍ତା ଆଣିବା ପାଇଁ ଗାଁର ବୁଢ଼ାବୁଢ଼ୀ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ସାରିଦେବେ, ତେବେ ସେମାନେ ଚଳିବେ କେମିତି? ପ୍ରତିମାସରେ ଗାଁକୁ ଆସି ଭତ୍ତା ଦିଆଯାଉ ବୋଲି ଶ୍ରୀ ଯାନୀ କହିଛନ୍ତି। ସେଭଳି ଗଇନ୍ଦି ଓ ବେହେରା ସାହିର ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀମାନେ ଭତ୍ତା ଆଣିବା ପାଇଁ ଜୀବନକୁ ବାଜିରେ ଲଗାଇ ହୁଲି ଡଙ୍ଗା ସହାୟତାରେ ନାଳ ପାର ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି।
ଏ ସଂକ୍ରାନ୍ତରେ ଟିକରପଡ଼ା ସରପଞ୍ଚ ସୌମ୍ୟରଞ୍ଜନ ସାହୁ କହିଛନ୍ତି, ପଞ୍ଚାୟତର ବହୁ ହିତାଧିକାରୀ ଭତ୍ତା ପାଇବାକୁ ଅଧାରୁ ଅଧିକ ଟଙ୍କା ଗାଡ଼ିଭଡ଼ାରେ ଖର୍ଚ୍ଚ କରୁଥିବା ନେଇ ସେ ଅବଗତ ଅଛନ୍ତି। ତେଣୁ, ସେମାନଙ୍କ ନିକଟରେ ଭତ୍ତା ଟଙ୍କା ପହଞ୍ଚାଇବା ଲାଗି ବ୍ୟବସ୍ଥା କରିବା ଆବଶ୍ୟକ। ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା କହିଛନ୍ତି, ଗାଁକୁ ଯାଇ ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଏଯାଏଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ। ତେବେ, ଉପାନ୍ତ ଅଞ୍ଚଳର ଏହି ହିତାଧିକାରୀମାନେ କିଭଳି ଖର୍ଚ୍ଚାନ୍ତ ନହୋଇ ଭତ୍ତା ପାଇପାରିବେ, ସେଦିଗରେ ଜିଲ୍ଲା ପ୍ରଶାସନ ବିଚାର କରୁଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।
ସୌଜନ୍ୟ ସମ୍ବାଦ




