ରାଜ୍ୟ

Biranchi Narayan Temple: ଦ୍ୱିତୀୟ ଅର୍କକ୍ଷେତ୍ର ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିର: ହଜିବାକୁ ବସିଲାଣି ୨୦୦ ବର୍ଷର ପୁରୁଣା ଭିତ୍ତିଚିତ୍ର

ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାସ୍ଥିତ ବିରଞ୍ଚି ନାରାୟଣ ମନ୍ଦିର। ଏହି ମନ୍ଦିର କାନ୍ଥରେ ଥିବା ପ୍ରାୟ ୨୦୦ ବର୍ଷ ପୁରୁଣା ଭିତ୍ତିଚିତ୍ର ମାଧ୍ୟମରେ ଶ୍ରଦ୍ଧାଳୁ ପୌରାଣିକ ଜ୍ଞାନ ଆହରଣ କରୁଥିଲେ।

ଅନୀଲ ପଟ୍ଟନାୟକ

ବୁଗୁଡ଼ା: ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାସ୍ଥିତ ବିରଞ୍ଚି ନାରାୟଣ ମନ୍ଦିର। ଏହି ମନ୍ଦିର କାନ୍ଥରେ ଥିବା ପ୍ରାୟ ୨୦୦ ବର୍ଷ ପୁରୁଣା ଭିତ୍ତିଚିତ୍ର ମାଧ୍ୟମରେ ଶ୍ରଦ୍ଧାଳୁ ପୌରାଣିକ ଜ୍ଞାନ ଆହରଣ କରୁଥିଲେ। ବର୍ତ୍ତମାନ ସମୟର ଅଡିଓ-ଭିଜୁଆଲ୍ ସିଷ୍ଟମ୍ ସହ ଏହା ତୁଳନୀୟ। ହେଲେ ତ୍ରୁଟିପୂର୍ଣ୍ଣ ପୁନରୁଦ୍ଧାର ସହ ରକ୍ଷଣା‌ବେକ୍ଷଣ ଅଭାବରୁ ଏହି ଭିତ୍ତିଚିତ୍ର ହଜିବାକୁ ବସିଲାଣି। ୨୦୦୨-୨୦୦୩ରେ ‘ଇଣ୍ଟାକ୍’ ସଂସ୍ଥା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଠାରୁ ଏହି ଭିତ୍ତିଚିତ୍ରର ସଂରକ୍ଷଣ ଦାୟିତ୍ୱ ନେଇଥିଲା। ସଂସ୍ଥାର ଦକ୍ଷତାକୁ ପରୀକ୍ଷା ନକରି ଐତିହ୍ୟ ପୁନରୁଦ୍ଧାର କାମ ଦିଆଯାଇଥିଲା। ଅଭିଜ୍ଞତା ଅଭାବରୁ ତଥା ଭୁଲ୍ ରାସାୟନିକ ପ୍ରଲେପ ଦେବାରୁ ଏହି ଭିତ୍ତିଚିତ୍ର ନିଶ୍ଚିହ୍ନ ହେବାକୁ ବସିଥିବା ଅଭିଯୋଗ ହେଉଛି।

ଭୁଲ୍ ରାସାୟନିକ ପ୍ରଲେପ ଦିଆଯାଇଥିବା ଅଭିଯୋଗ

ଇତିହାସ କହେ, ରାଜା ଲକ୍ଷ୍ମଣ ଭଞ୍ଜଙ୍କ ବଡ଼ପୁଅ ଶ୍ରୀକର ଭଞ୍ଜଙ୍କ ଶାସନ (୧୮୧୯ରୁ ୧୮୩୨) ଅମଳରେ ସୂର୍ଯ୍ୟନାରାୟଣଙ୍କୁ ପୂଜା ପାଇଁ ବିରଞ୍ଚି ନାରାୟଣ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ମନ୍ଦିର କାନ୍ଥରେ ରାମାୟଣ ଓ କୃଷ୍ଣଲୀଳା ସଂପର୍କରେ ଭିତ୍ତିଚିତ୍ର ଅଙ୍କନ କରାଯାଇଥିଲା। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମଠରେ ବସି ଶ୍ରଦ୍ଧାଳୁମାନେ ରାମାୟଣ, କୃଷ୍ଣଲୀଳା ଓ ଭାଗବତ ଶୁଣିଲା ବେଳେ ଚିତ୍ରମାନଙ୍କର ନାଟକୀୟ ଉପସ୍ଥାପନାକୁ ଅନୁଭବ କରି ପୁରାଣକୁ ବୁଝିପାରିବେ। ଅଷ୍ଟମ ଶତାବ୍ଦୀର ରାଷ୍ଟ୍ରକୁଟ ଚିତ୍ରଶୈଳୀ ବା ଏଲୋରା ଭିତ୍ତିଚିତ୍ରର ରେଖାଶୈଳୀ ସହ ଏହାକୁ ତୁଳନା କରାଯାଏ। ବିଭିନ୍ନ ଭଙ୍ଗୀରେ ଚିତ୍ର ବେଶ୍‌ ମନୋରମ ହୋଇଥିଲା। ରାମ-ଭରତ ଭେଟ ଚିତ୍ରରେ ଗଞ୍ଜାମର ଆଞ୍ଚଳିକ କଳା କଥାକୁ ଚିତ୍ରିତ କରାଯାଇଥିଲା। ଏହାସହ ପାରମ୍ପରିକ ବାଦ୍ୟଯନ୍ତ୍ର ‘ଡୁମ୍ପା’ର ଚିତ୍ର କରାଯାଇ ଓଡ଼ିଶାର ରୀତିଯୁଗକୁ ଜୀବିତ କରାଯାଇଛି। ନାରୀଙ୍କ ବିଭିନ୍ନ ଅଙ୍ଗଭଙ୍ଗୀ ଚିତ୍ରିତ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button