ରାଜ୍ୟ

Flood In Jajpur: ଯାଜପୁର ବ୍ଲକରେ ବନ୍ୟା ପାଣି ଘେରରେ ୨୮ ପଞ୍ଚାୟତ

ଚାରି ଦିନ ହେବ ଲଗାଣ ବର୍ଷା ଫଳରେ ବିଭିନ୍ନ ଜିଲ୍ଲାରେ ନଦୀରେ ବନ୍ୟା ଆସି ଥିବାବେଳେ ଯାଜପୁର ଜିଲ୍ଲାରେ ବର୍ଷା ପ୍ରଭାବରେ ନଦୀ ଗୁଡ଼ିକରେ ଫୁଲି ବନ୍ୟା ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳର ଲୋକମାନେ ବନ୍ୟା ପାଇଁ ଜଳବନ୍ଦୀ...

ଯାଜପୁରଟାଉନ (ଅରୁଣ ରାଉତରାୟ): ଚାରି ଦିନ ହେବ ଲଗାଣ ବର୍ଷା ଫଳରେ ବିଭିନ୍ନ ଜିଲ୍ଲାରେ ନଦୀରେ ବନ୍ୟା ଆସି ଥିବାବେଳେ ଯାଜପୁର ଜିଲ୍ଲାରେ ବର୍ଷା ପ୍ରଭାବରେ ନଦୀ ଗୁଡ଼ିକରେ ଫୁଲି ବନ୍ୟା ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳର ଲୋକମାନେ ବନ୍ୟା ପାଇଁ ଜଳବନ୍ଦୀ ହୋଇ ରହିବା ସହିତ ପାଣି ଘେର ମଧ୍ୟରେ ମଧ୍ୟ ରହିଛନ୍ତି। ଏହି ଚାରିଦିନ ବର୍ଷାରେ ଲୋକମାନେ କତରା ହୋଇ ଥିବାବେଳେ ବନ୍ୟା ପାଇଁ ସେମାନେ ଘରୁ ପଦାକୁ ବାହାରି ପାରୁ ନାହାଁନ୍ତି। ହେଲେ ପ୍ରଶାସନ ତାର ସମସ୍ତ ପ୍ରସ୍ତୁତି ହୋଇ ରହିଥିବା କହୁଛି।

ତେବେ ବନ୍ୟା ପାଇଁ ନଦୀ ବନ୍ଧ ଗୁଡ଼ିକ ସବଳ ଥିବା ବଦଳରେ ତଳିଆ ଅଂଚଳରେ ଦୁର୍ବଳ ଅବସ୍ଥାରେ ରହି ସେଗୁଡ଼ିକ ଭାଙ୍ଗି ଘାଇ ସୃଷ୍ଟି ହୋଇ ଥିବାବେଳେ ଲୋକମାନେ ଜଳବନ୍ଦୀ ମଧ୍ୟରେ ରହିଛନ୍ତି। ସେହିପରି  ନଦୀବନ୍ଦ  ମଝିରେ ମଝିରେ ଖଣ୍ଡିଆ ଥିବା ଯୋଗୁ ଗାଁ ଗଣ୍ଡା ମାନଙ୍କରେ ପାଣି ପଶିବା ଦ୍ୱାରା ଲୋକମାନେ ପାଣି ଘେର ଭିତରେ ଅଛନ୍ତି। ଯାଜପୁର ଜିଲ୍ଲା ଉଭୟ ପାର୍ଶ୍ୱରେ ନଦୀ ଦ୍ୱାରା ଘେରି ହୋଇଥିବା ବେଳେ ଜିଲ୍ଲାରେ ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, କାଣୀ, ବୁଢ଼ା ପରି ନଦୀ ଗୁଡ଼ିକରେ ବନ୍ୟା ଜଳ  ପ୍ରବାହିତ ହେଉଛନ୍ତି। ଫଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ବର୍ଷ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକରେ ଖାଦ୍ୟ ମହଜୁତ ରହିଥିବା ପ୍ରଶାସନ କହୁ ଥିବାବେଳେ ବନ୍ୟା ପ୍ରପିଡ଼ିତ ଲୋକମାନେ ସେ ସବୁର ସୁବିଧା ଠିକ୍‍ ଭାବେ ପାଉ ନଥିବା ଅଭିଯୋଗ ହୋଇଛି। ଯାହାକୁ ମୁକାବିଲା ପାଇଁ ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ ହେଉଥିବା ଦେଖାଉ ଥିବାବେଳେ ବନ୍ଧବାଡ ମରାମତିରେ ସୁଧାର ଆସୁନଥିବା ଅଭିଯୋଗ ହେଉଛି।

ଚଳିତ ବର୍ଷ ବନ୍ୟା ପ୍ରସ୍ତୁତି ପୂର୍ବକ ନଦୀ ବନ୍ଧ ମରାମତି, ଘାଇ ମରାମତି ହୋଇଛି ବୋଲି ପ୍ରଶାସନ କହୁଥିବା ବେଳେ ବିଭିନ୍ନ ତଳିଆ ଅଞ୍ଚଳରେ ଏବେବି ନଦୀ ବନ୍ଧ ପାଇଁ ଲୋକମାନେ ପାଣି ଘେର ମଧ୍ୟରେ ଅଛନ୍ତି। ନଦୀରେ ବନ୍ୟା ଆସିବା ଦ୍ବାରା ଯାଜପୁର ସହରସ୍ଥ ଦଶ୍ବାଶମେଧ ଘାଟରେ ପାଣି ୧୦ ଫୁଟର ପାଣି ରହିଥିବା ଦ୍ବାରା ଜଗନ୍ନାଥ ମନ୍ଦିର, ଗଣେଶ ମନ୍ଦିର, ସପ୍ତମାତୃକା, ବିମଳା ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରରେ ପାଣି ପଶିଯାଇଛି।

ସେହିପରି ଦେବୀଗଡ଼ାଘାଟ କାଳୀ ମନ୍ଦିରରେ ୧୦ ଫୁଟର ପାଣି ପାଣି ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି।  ଯାଜପୁରରେ ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ଯାଜପୁର ଓ ଆଖପାଖ ଅଂଚଳ ପଣସା, ପାଟପୁର, ବରାହନାଥ ଆଦି ଅଂଚଳରେ ପାଣି ପଶି ଯାଇ ଥିବାବେଳେ ସେଠାକାର ଲୋକମାନେ ପାଣିରେ ବନ୍ଦି ହୋଇ ରହିଛନ୍ତି। ଯାହାକି ଯାଜପୁର-ଭଦ୍ରକ ଭାୟା ବଳିଘାଇ ରାସ୍ତା ବିଚ୍ଛିନ୍ନ ହୋଇ ରହି ଥିବାବେଳେ ଆଙ୍କୁଲା-ପାଣିକୋଇଲ ରାସ୍ତାର ନମଟିଗିରି ଠାରେ ପାଣି ହେବା ଦ୍ବାରା ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ହେଲେ ବୈତରଣୀର ଶାଖା ବୁଢ଼ା ନଦୀ ଓ ବୈତରଣୀ ନଦୀର ବନ୍ୟା ଯୋଗୁ ଯାଜପୁର ବ୍ଲକର ସିମିଳିଆ, ସଠିଆଟିକିରୀ, ମେରକହସନପୁର, ଦରଜପୁର, ନଖେଇ, ଗୋଠପୁର, ମଇଦପୁର, ଗୌଡ଼ସାହି ଗୋବିନ୍ଦପୁର, ଓଲେଇପଡ଼ା, ବଡ଼ବନ୍ତ, ମିର୍ଜାପୁର, ଚିତାହଟା ଆଦି ଅଞ୍ଚଳ ଗୁଡ଼ିକରେ ବନ୍ୟାଜଳ ପଶିବା ଦ୍ବାରା ଲୋକମାନେ  ପାଣି ଘେରରେ ରହିଛନ୍ତି। ଯାହାକି ଲେକମାନେ ପାଣି ଘେରରୁ ବାହାରି ପାରୁ ନାହାଁନ୍ତି।

ସେହିପରି ବୁଢ଼ାଘାଟ-ସଠିଆଟିକିରୀ ରାସ୍ତା, ମଇଦପୁର, ସଠିଆଟିକିରୀ ଓ ସିମିଳିଆ, ନଖେଇ ଠାରୁ ଉଆସାହି ରାସ୍ତା ପାଣିରେ ବୁଡ଼ିବା ସହିତ ସମୁଦାୟ ଅଂଚଳର ଚାଷଜମି ସବୁ ଜଳମଗ୍ନ ଥିବା ଅଭିଯୋଗ ହୋଇଛି। ସେହିପରି ଯାଜପୁରବ୍ଲକର ଦେବିଲ ସମେତ ତାର ଆଖପାଖ ପଂଚାୟତ ଓ ଗାଁ ଗୁଡ଼ିକ ପାଣି ଘେରରେ ଥିବା ସହିତ ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଥିବା ଅଭିଯୋଗ ହୋଇଛି। ବନ୍ୟା ଦ୍ୱାରା ଯାଜପୁର ଓ ଯାଜପୁରବ୍ଲକ ଅଂଚଳର ୨୮ ପଂଚାୟତ, ୮୪ ଗ୍ରାମ ଓ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇ ଥିବାବେଳେ ୨୬ ହଜାର ଜଳବନ୍ଦୀ ଓ ବହୁ ସଂଖ୍ୟକ ଗୋରୁଗାଇ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି।

ସେହିପରି ଯାଜପୁରବ୍ଲକରେ ବନ୍ୟା ଓ ବର୍ଷାରେ ଜମି ଲକ୍ଷାଧିକ ହେକ୍ଟର ପ୍ରଭାବିତ ହୋଇ ଥିବାବେଳେ ବହୁ ଲୋକ ପାଣି ଘେରରେ ରହିଛନ୍ତି। ବନ୍ୟା ପୁର୍ବରୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ପ୍ରଶାସନ ତରଫରୁ ନିଆ ନଯାଇଥିବାରୁ ସିମିଳିଆ ପଂଚାୟତର ସିମିଳିଆ ଗ୍ରାମର ଭୀମ ଯେନାଙ୍କ ପୁଅ ମନୋଜ ଜେନା ଓରଫ ପାକୁଆ (୩୪) ପଂଚାୟତର ସଠିଆଟିକିର ଅଙ୍କୁରା ପୋଲ ନିକଟରେ ପାଣି ସ୍ରୋତରେ ଭାଷି ଯାଇଥିବା ଅଭିଯୋଗ ହୋଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button