ମହାନଗର

BMC and BDA: ଏମିତି ଚାଲିଛି ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟ: କମିସନର୍‌ ନ ଥିଲେ ଅଧସ୍ତନ ଛୁ

ରାଜଧାନୀ ଭୁବନେଶ୍ବରର ବିକାଶ ଭାର ବିଏମ୍‌ସି ଓ ବିଡିଏ ଉପରେ ନିର୍ଭରଶୀଳ। ଭୁବନେଶ୍ବର ସହରର ବିକାଶର ଗତି ଏହି ଦୁଇ କାର୍ଯ୍ୟାଳୟର କାମ ଉପରେ ନିର୍ଭର କରୁଛି। କିନ୍ତୁ କିଛି ମାସ ହେଲାଣି ଦୁଇ କାର୍ଯ୍ୟାଳୟରେ ଅଚଳାବସ୍ଥା ଲାଗି ରହିଛି।

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ବିକାଶ ଭାର ବିଏମ୍‌ସି ଓ ବିଡିଏ ଉପରେ ନିର୍ଭରଶୀଳ। ଭୁବନେଶ୍ବର ସହରର ବିକାଶର ଗତି ଏହି ଦୁଇ କାର୍ଯ୍ୟାଳୟର କାମ ଉପରେ ନିର୍ଭର କରୁଛି। କିନ୍ତୁ କିଛି ମାସ ହେଲାଣି ଦୁଇ କାର୍ଯ୍ୟାଳୟରେ ଅଚଳାବସ୍ଥା ଲାଗି ରହିଛି। ସରକାରୀ ବାବୁ ବା କମିସନର୍‌ମାନେ ନିୟମିତ କାର୍ଯ୍ୟାଳୟରେ ରହୁନାହାନ୍ତି। ଖୋଜିଲେ ଦେଖା ମିଳୁନି। ଡେପୁଟି କମିସନର୍‌, ଆସିଷ୍ଟାଣ୍ଟ କମିସନର୍‌ଙ୍କଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀଙ୍କ ଚେୟାର ଫାଙ୍କା ପଡ଼ୁଛି। ଏଣୁ ଲୋକଙ୍କୁ ନିରାଶ ହେବାକୁ ପଡ଼ୁଛି। ଅଭିଯୋଗ ନେଇକି ଗଲେ, ଏହାର ସମାଧାନ ହୋଇପାରୁନି। ଏହାକୁ ନେଇ ରାଜଧାନୀବାସୀଙ୍କ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଯଦି ଭୁବନେଶ୍ବର ବିକାଶର ଖିଅ ଧରିଥିବା ଦୁଇ ପ୍ରମୁଖ କାର୍ଯ୍ୟାଳୟରେ ଏଭଳି ଅଚଳାବସ୍ଥା ଲାଗି ରହିବ, ଲୋକେ ସାମାନ୍ୟ ମୌଳିକ ସୁବିଧାରୁ ବି ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି।

ସେପଟେ ଅଭିଯୋଗ ହୋଇଛି, ଯେହେତୁ ଉଭୟ ବିଏମ୍‌ସି ଓ ବିଡିଏ ମୁଖ୍ୟ ଭାବେ ଜଣେ ଅଧିକାରୀ ରହିଛନ୍ତି, ସେ ବିଡିଏ ଗଲେ, ବିଏମ୍‌ସି ‌ଖାଲି ପଡ଼ୁଛି। ବିଏମ୍‌ସିରେ ରହିଲେ, ବିଡିଏ ଖାଲି ପଡ଼ୁଛି। ମୁଖିଆ ନ ରହିବାରୁ ଅଧସ୍ତନ କର୍ମଚାରୀମାନେ ବି କାମରେ ଠକିବା ଆରମ୍ଭ କରି ଦେଇଛନ୍ତି। ଯଦି କେହି କାର୍ଯ୍ୟାଳୟ ଆସୁଛନ୍ତି, ଉପସ୍ଥାନ ପକାଇ ପଳାଉଛନ୍ତି। ସେପଟେ ଯଦି କେହି ଅନୁପସ୍ଥିତିର କାରଣ ପଚାରୁଛି, ଏସ୍‌ଆଇଆର୍‌ କାମରେ ବାହାରେ ଥିବା ସହଜ ଉତ୍ତର ଦେଉଛନ୍ତି।

ଖୋଜିଲେ କେହି ମିଳୁନାହାନ୍ତି, ଚେୟାର ଫାଙ୍କା

ବିଧାନସଭା, ସଚିବାଳୟଠାରୁ ଆରମ୍ଭ କରି ରାଜ୍ୟର ସବୁ ମୁଖ୍ୟାଳୟ ଏଠାରେ ଥିବାରୁ ବିଏମ୍‌ସି ଅନେକ ଗୁରୁତ୍ବ ବହନ କରୁଛି। ଏଣୁ ବିଏମ୍‌ସିର କଳେବର, ଜନସଂଖ୍ୟା, ପରିଚାଳନା ଭାର ବୃଦ୍ଧି ପରେ ରାଜ୍ୟ ସରକାର ଏହାର ୱାର୍ଡ ସଂଖ୍ୟା ୬୭କୁ ବଢ଼ାଇଥିଲେ ଓ ଜଣେ ବରିଷ୍ଠ ଆଇଏଏସ୍‌ଙ୍କୁ କମିସନର୍‌ ଭାବେ ଏହାର ପରିଚାଳନା ଭାର ଦେବାକୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ସେବେଠୁ ଜଣେ ଆଇଏଏସ୍‌ ଅଧିକାରୀ ବିଏମ୍‌ସି ଦାୟିତ୍ବ ସମ୍ଭାଳି ଆସୁଛନ୍ତି। ଏ ଭିତରେ ୧୬ଜଣ କମିସନର୍‌ ବଦଳି ସାରିଛନ୍ତି। ଶେଷ କମିସନର୍‌ ଭାବେ ୨୦୨୫ ଜୁଲାଇରେ ରାଜେଶ ପ୍ରଭାକର ପାଟିଲ୍‌ଙ୍କ ବଦଳି ପରେ ଚଞ୍ଚଳ ରାଣା କମିସନର୍‌ ଭାର ତୁଲାଇ ଆସୁଛନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ୪ ବର୍ଷ ହେବ ଉଭୟ ବିଡିଏ ଉପାଧ୍ୟକ୍ଷ ଭାବେ ଜଣେ ବରିଷ୍ଠ ଆଇଏଏସ୍‌ ଓ ବିଏମ୍‌ସି କମିସନର୍‌ ଭାବେ ଜଣେ ବରଷ୍ଠ ଆଇଏଏସ୍‌ଙ୍କୁ ନିଯୁକ୍ତି ଦିଆଯାଉଥିଲା। ୨୦୨୨ ମସିହାରେ ଶେଷ ବିଏମ୍‌ସି କମିସନର୍‌ ଭାବେ ସଂଜୟ କୁମାର ସିଂହଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିଲା। ତାଙ୍କ ପରଠୁ ଆଉ ବିଏମ୍‌ସି କମିସନର୍‌ଙ୍କୁ ବିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ବ ମିଳିନଥିଲା। କିନ୍ତୁ ୨୦୨୫ ଅକ୍ଟୋବରରେ ସରକାର ଏନ୍‌. ଥିରୁମାଲା ନାଏକଙ୍କୁ ବଦଳି କରି ବିଏମ୍‌ସି କମିସନର୍‌ ଶ୍ରୀ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ଏଣୁ ଶ୍ରୀ ରାଣା ନା ବିଏମ୍‌ସିକୁ ଫୋକସ୍‌ କରି ପାରୁଛନ୍ତି ନା ବିଡିଏକୁ। ସେପଟେ ଭୁବନେଶ୍ବର ସ୍ମାର୍ଟ ସିଟି ଦାୟିତ୍ବ ବି ଶ୍ରୀ ରାଣାଙ୍କୁ ଦିଆଯାଇଛି। ଜଣେ ଅଧିକାରୀଙ୍କୁ ତିନି ପ୍ରମୁଖ ଦାୟିତ୍ବ ଦେଇ ସରକାର ଏକ ଭୁଲ୍‌ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହା ରାଜଧାନୀ ବିକାଶରେ ଭଟ୍ଟା ସୃଷ୍ଟି କରୁଛି ବୋଲି ଅଭିଯୋଗ ଉଠିଲାଣି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button