ମହାନଗର

Ratnachira Publishing: ରତ୍ନଚିରା ପ୍ରକାଶନୀ ପକ୍ଷରୁ ୭ ପୁସ୍ତକ ଉନ୍ମୋଚିତ: ‘ଅନୁବାଦ ସାହିତ୍ୟ ମୂଳ ରଚନାର ଗରିମା ରକ୍ଷା କରୁ’

ସଂପ୍ରତି ଅନୁବାଦ ସାହିତ୍ୟ ପ୍ରତି ପାଠକ, ଲେଖକ ଓ ପ୍ରକାଶକମାନଙ୍କ ମଧ୍ୟରେ ଆଗ୍ରହ ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ବିଶ୍ୱାୟନ ଓ ଡିଜିଟାଲ୍ ମାଧ୍ୟମର ପ୍ରସାର ଯୋଗୁ ଏହା କେବଳ ଏକ ସୀମିତ ବିଭାଗ ହୋଇ ରହିନାହିଁ, ବରଂ ସାହିତ୍ୟର ଏକ ପ୍ରମୁଖ ଅଂଶ ପାଲଟିଛି।

ଭୁବନେଶ୍ବର: ସଂପ୍ରତି ଅନୁବାଦ ସାହିତ୍ୟ ପ୍ରତି ପାଠକ, ଲେଖକ ଓ ପ୍ରକାଶକମାନଙ୍କ ମଧ୍ୟରେ ଆଗ୍ରହ ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ବିଶ୍ୱାୟନ ଓ ଡିଜିଟାଲ୍ ମାଧ୍ୟମର ପ୍ରସାର ଯୋଗୁ ଏହା କେବଳ ଏକ ସୀମିତ ବିଭାଗ ହୋଇ ରହିନାହିଁ, ବରଂ ସାହିତ୍ୟର ଏକ ପ୍ରମୁଖ ଅଂଶ ପାଲଟିଛି। ଅନୁବାଦ ସାହିତ୍ୟ ରଚନା ସମୟରେ ଅନୁବାଦକଙ୍କୁ ଅତ୍ୟଧିକ ସଚେତନ ଓ ସତର୍କ ହେବାକୁ ପଡ଼ିବ। ମୂଳ ଲେଖକ ଯେଉଁ ବାର୍ତ୍ତା ଦେବାକୁ ଚାହୁଛନ୍ତି, ଯଦି ତାହା ପାଠକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ନ ପାରେ ତେବେ ଏହାର ଭାବପ୍ରବଣତା ଓ ଶୈଳୀ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ। ଏଥିପ୍ରତି ଅନୁବାଦକମାନେ ଧ୍ୟାନଦେବା ଜରୁରି। ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ରତ୍ନଚିରା ପ୍ରକାଶନୀ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ୭ଟି ପୁସ୍ତକ ଉନ୍ମୋଚନ ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ ରତ୍ନଚିରା ପ୍ରକାଶନୀ ବିଭିନ୍ନ ବର୍ଗର ପାଠକଙ୍କ ରୁଚିକୁ ଦୃଷ୍ଟିରେ ରଖି ପୁସ୍ତକ ପ୍ରକାଶନ ଜାରି ରଖିଛି। କେବଳ ପୁରୁଣା ଲେଖକ ନୁହେଁ ବରଂ ନୂଆ ଲେଖକମାନଙ୍କୁ ମଧ୍ୟ ସୁଯୋଗ ଦେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୁସ୍ତକଗୁଡ଼ିକ ପାଠକାଦୃତି ସାଉଁଟିବାକୁ ସଫଳ ହୋଇଛି। ‘ପୌରୁଷ’ର ସମ୍ପାଦକ ଗବେଷକ ଅସିତ ମହାନ୍ତି ‘ଭଲ ପାଇବାର ଭାଷା’ ଉପନ୍ୟାସ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ।

ଗାଳ୍ପିକା ଚିନ୍ମୟୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡ. ଦିଗରାଜ ବ୍ରହ୍ମାଙ୍କ ଶିଶୁ କିଶୋର ଉପନ୍ୟାସ ‘ମୁନା ଡାକ୍ତର’, ଉଲ୍ଲାସ ବେହେରାଙ୍କ ଦ୍ୱାରା ଅନୁଦିତ ସ୍ନେହଲତା ପୃଷ୍ଟିଙ୍କ ଓଡ଼ିଆ ଉପନ୍ୟାସ ‘ଭଲ ପାଇବାର ଭାଷା’ର ଇଂରାଜୀ ଅନୁବାଦ ‘ଆନ୍ ଏଲେଜି ଅନ୍‌ ଲଭ୍‌’, ପ୍ରଦୀପ କୁମାର ରାୟଙ୍କ ଅନୁଦିତ ବାଣୀ ବସୁଙ୍କ ବଙ୍ଗଳା ଉପନ୍ୟାସ ‘ଉଜାଣୀ ଯାତ୍ରା’ର ଓଡ଼ିଆ ଅନୁବାଦ, ଅରବିନ୍ଦ ଦାସଙ୍କ ଗଳ୍ପ ସଂକଳନ ‘ଅଭିନେତ୍ରୀ’, ଚିନ୍ମୟ ହୋତାଙ୍କ ଲଳିତ ନିବନ୍ଧ ‘ଚିନ୍ମୟ ଚେତନା’, ସୁବ୍ରତ କୁମାର ଦାସଙ୍କ ପ୍ରବନ୍ଧ ଓ ଆଲୋଚନା ପୁସ୍ତକ ‘କଥା କାରିଗରୀ’ ଏବଂ ଶୁଭାଙ୍ଗିନୀ ପଟ୍ଟନାୟକଙ୍କ ଉପନ୍ୟାସ ‘ତୋ ପ୍ରେମରେ’ ଉନ୍ମୋଚିତ ହୋଇଥିଲା। ସଭାରେ ଗାଳ୍ପିକ ମନୋଜ କୁମାର ଜେନା, କବି ରାଜୁ ସାମଲ, ଦୁର୍ଗାପ୍ରସାଦ ମିଶ୍ର, ଉଲ୍ଲାସ ବେହେରା, ଶୁଭାଙ୍ଗିନୀ ପଟ୍ଟନାୟକ, ନିରୁପମା କର, ରତ୍ନଚିରା ପବ୍ଲିକେସନ୍ସର ମୁଖ୍ୟ କରୁଣାକର ପୃଷ୍ଟି, ସମୀକ୍ଷା ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ‘ରତ୍ନଚିରା’ ସମ୍ପାଦିକା ସ୍ନେହଲତା ପୃଷ୍ଟି ଧନ୍ୟବାଦ ଦେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button