Uttara: ଉତ୍ତରା ଛକରୁ ଜବରଦଖଲ ଉଚ୍ଛେଦ: ୧୪ ଦୋକାନରେ ବୁଲ୍ଡୋଜର୍ ପାହାର
ସରଦେଇପୁର-ନିମାପଡ଼ା ରାସ୍ତାର ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତରା ଛକରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୧୪ଟି ଦୋକାନକୁ ବୁଲ୍ଡୋଜର୍ ଲଗାଇ ମାଟିରେ ମିଶାଇ ଦିଆଯାଇଛି।

ଧଉଳି: ସରଦେଇପୁର-ନିମାପଡ଼ା ରାସ୍ତାର ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତରା ଛକରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୧୪ଟି ଦୋକାନକୁ ବୁଲ୍ଡୋଜର୍ ଲଗାଇ ମାଟିରେ ମିଶାଇ ଦିଆଯାଇଛି। ଅନ୍ୟପକ୍ଷରେ ବିନା ଥଇଥାନରେ ଦୋକାନ ଭଙ୍ଗା ଯାଉଥିବାରୁ ଦୋକାନୀମାନଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ପୂର୍ବରୁ ବାଳକାଟି ବଜାରରୁ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଥଇଥାନ କରାଯାଇନାହିଁ। ସରକାରୀ ଜାଗାରେ ଛୋଟମୋଟ ଦୋକାନ କରିଥିବା ବ୍ୟବସାୟୀମାନଙ୍କ ଭାତହାଣ୍ଡିକୁ ଜିଲ୍ଲା ପ୍ରଶାସନ ବିକାଶ ବାହାନାରେ ଭାଙ୍ଗି ଦେଉଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ୬ମାସ ପୂର୍ବେ ବାଳକାଟି ବଜାରରୁ ଦୋକାନୀମାନଙ୍କୁ ହଟାଇ ଦିଆଗଲା।
ମାତ୍ର ୬ମାସ ପରେ ବି ସେଠାରେ ଡ୍ରେନ୍ ନିର୍ମାଣ କରାଯାଇ ନାହିଁ କି ରାସ୍ତା ସମ୍ପ୍ରସାରଣ କାମ ହୋଇନାହିଁ। ଅଥଚ ଜିଲ୍ଲା ପ୍ରଶାସନ ଛୋଟ ବେପାରୀଙ୍କ ପିଲାଛୁଆଙ୍କ ପେଟକୁ ଲାତ ମାରିଚାଲିଛନ୍ତି। ଆଜି ଭୁବନେଶ୍ୱର ତହସିଲଦାର ଜୟନ୍ତ ଜୟସିଂହଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ତହସିଲଦାର ଲକ୍ଷ୍ମୀ ତିରିଆ, ରାଜସ୍ବ ସୁପର୍ଭାଇଜର ଦୀପ୍ତିମୟୀ ପରିଡ଼ା, ଧଉଳି ଆର୍ଆଇ ଶିବ କୁମାର ସେଠୀ ଏହି ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ ଉତ୍ତରା ଛକଠାରୁ ବୁଦ୍ଧିପଡ଼ା ବଜାର ପର୍ଯ୍ୟନ୍ତ ରାସ୍ତା ନବୀକରଣ ଓ ଡ୍ରେନ୍ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ସାଢ଼େ ୭ କୋଟି ଟଙ୍କା ମଞ୍ଜୁର ହୋଇଛି।
ସୌଜନ୍ୟ ସମ୍ବାଦ




