Fighter Jet Crash: ଆମେରିକାକୁ ବଡ଼ ଝଟ୍କା: ୧୦୯ ନିୟୁତ ଡଲାର ମୂଲ୍ୟର ଶକ୍ତିଶାଳୀ ଜେଟ୍ ଏଫ୍-୩୫-ବି ଅଗ୍ନିପିଣ୍ଡୁଳାରେ ପରିଣତ
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ କୁହାଯାଉଥିବା ଆମେରିକୀୟ ଏଫ୍-୩୫ କାଲିଫର୍ନିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାନ ଡିଏଗୋର ମାରିନ୍ କର୍ପସ୍ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ୍ କର୍ପସ୍ର ଏଫ୍-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ୱାସିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ କୁହାଯାଉଥିବା ଆମେରିକୀୟ ଏଫ୍-୩୫ କାଲିଫର୍ନିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାନ ଡିଏଗୋର ମାରିନ୍ କର୍ପସ୍ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ୍ କର୍ପସ୍ର ଏଫ୍-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟିକୁ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆମେରିକୀୟ ଅଧିକାରୀମାନେ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଏହାକୁ ଏକ କ୍ଲାସ -ଏ ଦୁର୍ଘଟଣା ବୋଲି କହିଛନ୍ତି। ଯାହା ଦୁର୍ଘଟଣାର ସବୁଠାରୁ ଗମ୍ଭୀର ବର୍ଗ। ବିମାନଟି ମାରିନ୍ ଏୟାରକ୍ରାଫ୍ଟ ଗ୍ରୁପ୍ ୧୧ ର ତୃତୀୟ ଏୟାରକ୍ରାଫ୍ଟ ୱିଙ୍ଗରେ ସାମିଲ ଥିଲା।ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ୧୦ଟାରେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ବେସ୍ରେ ଖସିବା ପରେ ବିମାନଟି ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା। ତୃତୀୟ ମାରିନ୍ ଏୟାରକ୍ରାଫ୍ଟ ୱିଙ୍ଗ ଏକ ବିବୃତିରେ କହିଛି ଯେ, ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ବାହାରକୁ ବାହାରି ଆସିଥିଲେ। ତାଙ୍କର ଜୀବନ ପ୍ରତି କୌଣସି ବିପଦ ନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଦୁର୍ଘଟଣାର କାରଣ ସମ୍ପର୍କରେ ସୂଚନା ମିଳିନାହିଁ
ଆମେରିକୀୟ ସେନା ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ। ଏହା ହେଉଛି ଏକ ପଞ୍ଚମ ପିଢ଼ିର ଲଢୁଆ ବିମାନ। ଏହା ଏଫ୍-୩୫ର ଏକ ସର୍ଟ-ଟେକ୍-ଅଫ୍ ଏବଂ ଭର୍ଟିକାଲ୍-ଲ୍ୟାଣ୍ଡିଂ ସଂସ୍କରଣ। ଏହା ମୁଖ୍ୟତଃ ଆମେରିକା ମାରିନ୍ କର୍ପସ ଦ୍ୱାରା ପରିଚାଳିତ। ଏହି ବିମାନର ମୂଲ୍ୟ ପ୍ରାୟ ୧୦୯ ନିୟୁତ ଡଲାର ବୋଲି କୁହାଯାଉଛି।
ଏହି ବିମାନର ଦୁର୍ଘଟଣା ଯୁକ୍ତରାଷ୍ଟ୍ରକୁ ବଡ଼ ଝଟ୍କା ଦେଇଛି। ୱାସିଂଟନ ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପଞ୍ଚମ ପିଢ଼ିର ଜେଟ୍ ଭାବରେ ବିକ୍ରି କରୁଛି। ଏବେ ଆମେରିକା ପାଇଁ ଏହି ବିମାନ ବିକ୍ରି କରିବା ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପୂର୍ବରୁ, ୩୦ ଜୁଲାଇ ୨୦୨୫ରେ, କାଲିଫର୍ନିଆର ନୌସେନା ଏୟାର ଷ୍ଟେସନ ଲେମୁର ନିକଟରେ ଏକ ଯୁକ୍ତରାଷ୍ଟ୍ର ନୌସେନା ଏଫଫ-୩୫-ସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସୌଜନ୍ୟ ସମ୍ବାଦ




